Home News in Odia କଳା ପୋଷାକରେ କଂଗ୍ରେସର ପ୍ରତିବାଦ

କଳା ପୋଷାକରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : କଂଗ୍ରେସ ସଦସ୍ୟମାନେ ଆଜି ବିଧାନସଭାରେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଥିଲେ । ରାହୁଳ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ବିରୁଦ୍ଧରେ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହୋଇପାରିନଥିବାବେଳେ ଅପରାହ୍ନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ସଦସ୍ୟମାନେ କଳା ରଙ୍ଗର ପୋଷାକ ପିନ୍ଧି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖକୁ ଆସି ରାହୁଳ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ବିରୋଧ କରି ଗୃହରେ ପ୍ରତିବାଦ କରିଥିଲେ । କଂଗ୍ରେସ ସଦସ୍ୟ ସର୍ବଶ୍ରୀ ତାରା ପ୍ରସାଦ ବାହିନିପତି, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଡାକ୍ତର ରାଜନ ଏକା, ରମେଶ ଜେନା, ମହମ୍ମଦ ମୋକିମ ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖକୁ ଆସି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଧ୍ୱନିମାନ ଦେଇଥିଲେ ।

କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କଳା ଚୁଡିଦାର ପଞ୍ଜାବୀ ସହିତ କଳା ରଙ୍ଗର ପଗଡି ବାନ୍ଧିଥିବାବେଳେ ସଦସ୍ୟ ତାରା ପ୍ରସାଦ ବାହିନିପତି କଳା ପ୍ୟାଣ୍ଟ ସାର୍ଟ ସହିତ କଳା ଟୋପି ପିନ୍ଧିଥିଲେ । ସଦସ୍ୟ ସୁରେଶ କୁମାର ରାଉତରାୟ କେବଳ କଳା ଜ୍ୟାକେଟଟିଏ ପିନ୍ଧି ଆସିଥିଲେ । ସେହିଭଳି କଂଗ୍ରେସ ସଦସ୍ୟମାନେ ଆଣି ଥିବା କଳା ପଟିକୁ ସିପିଆଇଏମ୍‍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ମୁଣ୍ଡରେ ବାନ୍ଧି ଦେଇଥିଲେ ।

କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଏକ ଚେୟାର ଉପରେ ଛିଡାହୋଇ ଧ୍ୱନିମାନ ଦେଉଥିବାବେଳେ ଅନ୍ୟ ସଦସ୍ୟମାନେ ତାଙ୍କ ସହ ପାଳି ଧରୁଥିଲେ । ସଦସ୍ୟମାନଙ୍କ ହଟଗୋଳ ଯୋଗୁ ପ୍ରଶ୍ନକାଳ ଆରମ୍ଭ ହୋଇପାରିନଥିବାବେଳେ ବାଚସ୍ପତି ବାରମ୍ବାର କଂଗ୍ରେସ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ । ତେବେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ ଜାରି ରଖିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ଅପରାହ୍ନ ଅଧିବେଶନରେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟକୁ ଆସି ହଟଗୋଳ କରିଥିଲେ । ତେବେ ବାଚସ୍ପତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ ଦୁର୍ଭାଗ୍ୟ ଯେ ଭାରତବର୍ଷରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ସମ୍ବିଧାନର ଖୋଲା ଉଲ୍ଲଙ୍ଘନ ହେଉଛି । ଇନ୍ଦିରା ଗାନ୍ଧୀଙ୍କ ବେଳେ ଏଭଳି ଘଟଣା ଘଟିଥିଲା । ସେତେବେଳେ ତାଙ୍କୁ ମଧ୍ୟ ଜେଲ୍‍ ପଠାଯାଇଥିଲା । ଯେଉଁମାନେ କହୁଛନ୍ତି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ଆଇନ୍‍ ଅନୁସାରେ ହୋଇଛି ସେମାନେ ଇନ୍ଦିରା ଗାନ୍ଧୀଙ୍କ ମାମଲାରୁ ଶିକ୍ଷାଲାଭ କରିବା ଉଚିତ୍‍ ।

ରାହୁଳଙ୍କ ଘଟଣା ଝିମିଟି ଖେଳରୁ ମହାଭାରତ ଭଳି ହୋଇଛି । ଘଟଣା କର୍ଣ୍ଣାଟକରେ ଘଟିଥିବାବେଳେ ଗୁଜୁରାଟରେ ମାମଲା ହୋଇଥିଲା । ଗୁଜୁରାଟ ଅଦାଲତର ଏହି ମାମଲାକୁ ବିଚାର କରିବାର କ୍ଷମତା ନଥିବା ଭଳି ମୋର ହୃଦବୋଧ ହେଉଛି । ରାହୁଳ ଯାହା କହିଥିଲେ ତାହା ମାନହାନି ନୁହେଁ । ଯାହା ଉଦ୍ଦେଶ୍ୟରେ କହିଥିଲେ ସିଏ ମାମଲା କରିନଥିଲେ ।

ସେ କହିବାର ବହୁଦିନ ପରେ ମାମଲା ରୁଜୁ ହୋଇଥିଲା । ଯିଏ ମାମଲା ରୁଜୁ କରିଥିଲେ ସିଏ ପରବର୍ତ୍ତୀ ସମୟରେ ହାଇକୋର୍ଟ ଯାଇ ନିଜ ମାମଲା ଉପରେ ରହିତାଦେଶ ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ବିଚାରପତି ବଦଳିଯିବା ପରେ ଏହି ମାମଲା ଇଲେକଟ୍ରୋନିକ ବେଗରେ ଚାଲିଥିଲା । ଫେବୃୟାରୀରେ ମାମଲା ଆରମ୍ଭ ହୋଇ ମାର୍ଚ୍ଚରେ ସରିଗଲା । ଏହାପରେ ୨୪ ଘଣ୍ଟାରେ ସଦସ୍ୟ ପଦ ରଦ୍ଦ ହୋଇଗଲା । କଟକ ଘଟଣାରେ କିନ୍ତୁ ସମୟ ନିଆଯାଇଥିଲା ।

ଶ୍ରୀ ମିଶ୍ର କହିଥିଲେ ଯେ ଭାରତର ଆଇନ୍‍ ବ୍ୟବସ୍ଥା ଉପରେ ମୋର ଏବଂ ମୋ ଦଳର ଭରସା ରହିଛି । ଏହି ଘଟଣାରେ ଉପର ଅଦାଲତରେ ମାମଲା ରୁଜୁ ହେବ ଏବଂ ରାୟ ରାହୁଳଙ୍କ ସପକ୍ଷରେ ଯିବ । ତାଙ୍କର ସଦସ୍ୟତା ପଦ ମଧ୍ୟ ଫେରିବ । ରାହୁଳଙ୍କ ୩୫୦୦ କିଲୋମିଟରର ଭାରତ ଯୋଡ ଯାତ୍ରାକୁ ପ୍ରବଳ ଜନସମର୍ଥନ ମିଳିଥିଲା ଓ ଏଥିରେ ଶାସକଦଳ ଆତଙ୍କିତ ହୋଇ ପଡିଥିଲେ । ଲଣ୍ଡନରେ ରାହୁଳ ଯାହା କହିଥିଲେ ତାହା ବିରୁଦ୍ଧରେ ପ୍ରଚାର କରାଗଲା ।

ସଂସଦରେ ଅଦାନୀ ପ୍ରସଙ୍ଗରେ କହିବାକୁ ଚାହିଁବାବେଳେ ତାଙ୍କୁ କହିବାକୁ ଦିଆଗଲା ନାହିଁ । ସିଏ ଯଦି ଏହା କହିଥାନ୍ତେ ତେବେ ଦେଶରେ ପରିବର୍ତ୍ତନ ଆସିଥାନ୍ତି । ତରବରରେ ତାଙ୍କ ସଦସ୍ୟ ପଦକୁ ରଦ୍ଦ କରିଦିଆଗଲା । ଏ ପରିବାର ଦେଶ ପାଇଁ ବହୁ ତ୍ୟାଗ କରିଛନ୍ତି । ଇନ୍ଦିରା,ରାଜୀବ ଓ ସୋନିଆଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୋଇଥିଲା । ଏହି ଘଟଣାରେ ଲଢେଇ ହେବ ଏବଂ ସମ୍ବିଧାନ ଅନୁଯାୟୀ ଦେଶ ଚଳାଇବା ସକାଶେ ଲଢେଇ ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଥିଲେ ।