Home Assembly କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

ଭୁବନେଶ୍ୱର : ଓଡିଶା ବିଧାନସଭାରେ କ୍ରମାଗତ ଭାବେ ଅଚଳାବସ୍ଥା ଜାରି ରହିଛି। ଚାଲିପାରୁନି ପ୍ରଶ୍ନକାଳ ଓ ଶୂନ୍ୟକାଳ କି ସ୍ଥାନୀୟ ସମସ୍ୟା ଉପରେ ହୋଇପାରୁନି ଆଲୋଚନା। ସେପଟେ ଗୃହ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ବିନା ବିରୋଧୀରେ ବିଧାନସଭାର ଅନୁମୋଦନ ଲାଭ କରିଛି। ଏସସିବିରେ ଏତେବଡ ଦୁର୍ଘଟଣା ପରେ ବି ସ୍ବାସ୍ଥ୍ୟମନ୍ତ୍ରୀ ନୈତିକ ଦାୟିତ୍ବ ନେଉନଥିବା ବେଳେ ଆଜି ଦୁଇ ବିରୋଧୀ ଦଳ ମିଳିତ ଭାବେ ବିଧାନସଭାରେ କଳା ଦିବସ ପାଳିଛନ୍ତି।

ଆଜି ମୁଖ୍ୟ ବିରୋଧୀ ବିଜେଡି ଓ କଂଗ୍ରେସ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ। ବିରୋଧୀ ସଦସ୍ୟମାନେ କଳା ଟି-ସାର୍ଟ ପିନ୍ଧି କଳା ଦିବସ ପାଳନ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ଥରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆଜି ବିରୋଧୀଙ୍କ ସ୍ଲୋଗାନ ଥିଲା ‘ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ, ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶାସନ ଚାଲିବ କେମିତି’। ସେପଟେ ବିରୋଧୀ ଦଳର ବିରୋଧକୁ ବିରୋଧ କରି ଶାସକ ଦଳ ପକ୍ଷରୁ ମଧ୍ୟ ବିଜୁ-ନବୀନ ଟ୍ରଷ୍ଟ ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଶାସକ ଦଳର ସଦସ୍ୟମାନେ ପ୍ରଶ୍ନକାଳରେ ଏହି ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ଶୂନ୍ୟକାଳରେ ମଧ୍ୟ ନିଜ ନିଜ ଆସନରେ ଏହାକୁ ପ୍ରଦର୍ଶିତ କରିଥିଲେ।

ବିଜେଡି ଓ କଂଗ୍ରେସର ପ୍ରତିବାଦ ଯୋଗୁଁ ପ୍ରଶ୍ନକାଳ ମାତ୍ର ତିନି ମିନିଟ ଚାଲିଥିବା ବେଳେ ଶୂନ୍ୟକାଳରେ ହଟ୍ଟଗୋଳ ମଧ୍ୟରେ ସରକାରୀ ଦଳର ବିଧାୟକମାନେ ବିଜେଡି ଓ କଂଗ୍ରେସ ଦଳର ଆଚରଣ ଉପରେ ବର୍ଷିଥିଲେ। ପ୍ରଶ୍ନକାଳ ତିନି ମିନିଟ ପରେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ହେବା ପରେ ବିରୋଧୀ ସଦସ୍ୟମାନେ କଳା ଟି-ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଆପଣେଇଥିଲେ ସମାନ ରଣନୀତି। ବିରୋଧୀ ଦଳ ଶୂନ୍ୟକାଳରେ ୩୫ ମିନିଟ ଧରି ହଟ୍ଟଗୋଳ କରିବା ପରେ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବୀ ଆଗତ କରିଥିଲେ।

ବିରୋଧୀ ଦଳର ଏଭଳି ରାଜନୀତିକୁ ନେଇ ବର୍ଷିଥିଲେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଥିଲେ ଯେ, ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବିଧାନସଭା ବନ୍ଦ କରି ୧୨ କୋଟି ଟଙ୍କା ରାଜସ୍ବ ନଷ୍ଟ ହେଲାଣି। ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି। ସାଧାରଣତଃ ବଜେଟ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଭାଗ ନେଇଥାନ୍ତି। କିନ୍ତୁ ଲଗାତାର ଭାବେ ଏହାର ବ୍ୟତିକ୍ରମ ଦେଖା ଯାଉଛି। ୨୪ ବର୍ଷ ଶାସନ ଦଳ ଯଦି ବିଧାନସଭାର ବିଧି ବ୍ୟବସ୍ଥା ପାଳନ କରିବେ ନାହିଁ ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ ବୋଲି ସେ କହିଥିଲେ।

ପୂର୍ବରୁ ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ। ଏବେ ଏସସିବି ଦୁର୍ଘଟଣାରେ ନିଜ ଦୁର୍ବଳତାକୁ ଲୁଚାଇବାକୁ ଗୃହକୁ ଅଚଳ କରାଯାଉଛି। ପୂର୍ବରୁ କୌଣସି ଦୁର୍ଘଟଣାସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ। କେବଳ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କିନ୍ତୁ ଭୋରରୁ ଏସସିବି ଗଲେ। ନିୟମିତ ଭାବେ କାର୍ଯ୍ୟାନୁଷ୍ଠାନ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଛି। ଇତିଶ୍ରୀ, ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ବୋଲି ସେ ପ୍ରଶ୍ନ କରିଥିଲେ। ଦୁଇ ଦିନ ତଳେ ଗୃହ ଚଳାଇବାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିଥିଲେ। ହେଲେ କୌଣସି ଉତ୍ତର ଆସିଲା ନାହିଁ ବୋଲି ସେ କହିଛନ୍ତି।