ଭୁବନେଶ୍ୱର : ରାଜ୍ୟରେ କଳ କାରଖାନା ପ୍ରତିଷ୍ଠା ପାଇଁ ବିଗତ ୫ବର୍ଷ ମଧ୍ୟରେ ୧୭୭୨ ହେକ୍ଟର ଜଙ୍ଗଲ ପଦା ହୋଇଛି । ସେହିସବୁ ସ୍ଥାନରୁ ଗଛ କାଟି ସେଠାରେ କାରଖାନା ବସାଇବାକୁ ଖୋଦ୍ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି ।
ନିକଟରେ ଜଙ୍ଗଲ ଜମିରେ କଳକାରଖାନା ସ୍ଥାପନ ନେଇ ବିଧାନସଭାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୭୭୨ ହେକ୍ଟର ଜମିରୁ ଜଙ୍ଗଲ ସଫା ହୋଇଥିବାବେଳେ ଏହା ବଦଳରେ କ୍ଷତିପୂରକ ବନୀକରଣ ପାଇଁ ଜଙ୍ଗଲ ବିଭାଗକୁ ୩୬୫୦ ହେକ୍ଟର ଜମି ଯୋଗାଇ ଦିଆଯାଇଛି । ଏଥି ମଧ୍ୟରୁ ୧୮୭୩ ହେକ୍ଟର ପରିମିତ ଜମିରେ କ୍ଷତିପୂରକ ବନୀକରଣ କରାଯାଇଛି ।
ଏହି ସୂଚନା ଅନୁଯାୟୀ ଅନୁଗୁଳ, କଟକ, ଯାଜପୁର ଓ ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ୫୦ ହେକ୍ଟର ଜଙ୍ଗଲ ଜମି ଅପସାରିତ ହୋଇଥିବାବେଳେଏଠାରେ ୩୦୨୯ଟି ଗଛ କଟାଯାଇଛି । ଏହି ଅଞ୍ଚଳରେ ରେଳ ପ୍ରକଳ୍ପ ସହିତ ଗ୍ୟାସ ପାଇପ୍ ଲାିନ୍ ବିଛାଇବା, ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ସହିତ ଅନ୍ୟ ଶିଳ୍ପସଂସ୍ଥା ପ୍ରତିଷ୍ଠାର ଯୋଜନା ରହିଛି ।
ସେହିଭଳି ରାଉରକେଲା ସର୍କଲରେ ପାଖାପାଖି ୬୦୦ ହେକ୍ଟର ଜଙ୍ଗଲ ଜମି କଳକାରଖାନା, ଖଣି ଖାଦାନ କାମରେ ଲାଗିଛି । ଏଥିପାଇଁ ୬୦ହଜାରରୁ ଅଧିକ ଗଛ କଟାଯାଇଛି । ଭବାନୀପାଟଣା ସର୍କଲରେ ୧୫ ହେକ୍ଟର ଜଙ୍ଗଲ ଜମି ଦଖଲ ହୋଇଥିବାବେଳେଏଠାରେ ୧୨୩୩ ଟି ଗଛ କଟାଯାଇଛି । ଭୁବନେଶ୍ୱର ସର୍କଲରେ ୮୬ ହେକ୍ଟର ଜଙ୍ଗଲ ଜମି ଅପସାରିତ ହୋଇଥିବାବେଳେ ଏଠାରେ ୩୪୬୫ ଗଛ କଟାଯାଇଛି । କୋରାପୁଟ ସର୍କଲରେ ୩୮ ହେକ୍ଟର ଜଙ୍ଗଲ ଜମିରେ ୧୩୨୨ ଗଛ କଟାଯାଇଥିବାବେଳେ ବ୍ରହ୍ମପୁର ସର୍କଲରେ ୯୮୫ ହେକ୍ଟର ଜଙ୍ଗଲ ଜମିରୁ ୧୭୯୧ଟି ଗଛ କଟାଯାଇଛି । ବାରିପଦା ସର୍କଲରେ କଳ କାରଖାନା ପାଇଁ ୧୭୭୨ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହୋଇଥିବାବେଳେ ଏଠାରେ ପାଖପାଖି ୭୨ହଜାର ଗଛ କଟାଯାଇଥିବା ସରକାରୀ ଭାବେ ଦର୍ଶାଯାଇଛି ।
ଜଙ୍ଗଲ ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ପାଇବାକୁହେଲେ ପ୍ରସ୍ତାବିତ ପ୍ରକଳ୍ପ ସନ୍ଦର୍ଭରେ ସ୍ଥାନୀୟ ବନ୍ୟପ୍ରାଣୀ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇ କ୍ଷମତାପନ୍ନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ । ଉକ୍ତ ଯୋଜନାରେ ବନ୍ୟପ୍ରାଣୀ ଗତିପଥ ସୁରକ୍ଷା, ମାନବ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ, ନିର୍ମାଣ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା ରହିଛି ଯାହା ପ୍ରକଳ୍ପ ପ୍ରତିଷ୍ଠା ସମୟରେ କଡାକଡି ଭାବେ କାର୍ଯ୍ୟକାରୀ ହୋଇଥାଏ ।
ସେହିପରି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପରିବେଶ ଅନୁମୋଦନ ସର୍ତ୍ତାବଳୀ ଭାବେ ବନସ୍ଥପାନ, ପ୍ରଦୂଷଣ ନିୟନ୍ତ୍ରଣ, ଜଳ ଓ ଅବଶିଷ୍ଟ ବ୍ୟବସ୍ଥାପନ, ବନ୍ୟପ୍ରାଣୀ ସୁରକ୍ଷା ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥାଏ । ଯାହାକୁ ପ୍ରକଳ୍ପ ପ୍ରତିଷ୍ଠା କରୁଥିବା ସଂସ୍ଥାମାନେ ମାନିବାକୁ ବାଧ୍ୟ । (ତଥ୍ୟ)

