ଭୁବନେଶ୍ୱର : ରାଜ୍ୟରେ ଖୋଲୁଥିବା ଗୋଟିଏ ପରେ ଗୋଟିଏ କଲ୍ ସେଣ୍ଟର ଏବେ ଡିଗ୍ରୀଧାରୀ ଯୁବକ ଯୁବତୀମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଚାକିରି ପାଇଁ ବିକଳ ହେଉଥିବା ପିଲାଙ୍କୁ କେଉଁ ସଂସ୍ଥା ମାସକୁ ୮ହଜାର ଟଙ୍କା ଦେଉଛି ତ ଆଉ କିଏ ୧୪/୧୫ ହଜାର ଟଙ୍କା । ଏହି ସଂସ୍ଥାଗୁଡିକ ସ୍ନାତକ ଓ ଅନ୍ୟାନ୍ୟ ଡିଗ୍ରୀଧାରୀ ପିଲାଙ୍କୁ କେଉଁ ହାରରେ ପାଉଣା ଦେଉଛନ୍ତି ଓ କିଭଳି କାମ କରାଉଛନ୍ତି ତାହାର ତଦାରଖ କେହି କରୁନଥିବା ଲକ୍ଷ୍ୟ କରାଯାଉଛି ।
ରାଜ୍ୟରେ ଏବେ ଗୋଟିଏ ପରେ ଗୋଟିଏ କଲସେଣ୍ଟର ଖୋଲୁଥିବାବେଳେ ଏଥିରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳୁଛି । ଏହାଦ୍ୱାରା ନିଯୁକ୍ତି ହାର ବଢିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏହିସବୁ ସଂସ୍ଥାମାନେ ଯେଉଁମାନଙ୍କୁ ନିଯୁକ୍ତି ଦେଉଛନ୍ତି ସେମାନଙ୍କୁ ମାସିକ ୮ହଜାର ଟଙ୍କାରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି । ଏହାଠାରୁ ଅଧିକ ପାଉଣା ପାଉଥିବା କର୍ମଚାରୀଙ୍କ ସଂଖ୍ୟା ଢେର କମ୍ ରହିଛି । ତେବେ ଯେଉଁମାନଙ୍କ ନିଯୁକ୍ତି ଦେଉଛନ୍ତି ସେମାନଙ୍କୁ କମ୍ ପାଉଣା ଦେବାପାଇଁ ପ୍ରଥମେ ତିନିମାସର ତାଲିମ ଦିଆଯାଉଛି ।
ତାଲିମ ସମୟରେ ଯୁବକ ଯୁବତୀମାନଙ୍କ ଠାରୁ ଲିଖିତ ଚୁକ୍ତିନାମା କରାଇ ନିଆଯାଉଛି । ଏହି ସମୟରେ ଯଦି କେହି କାମ ଛାଡି ଦେଉଛନ୍ତି ତେବେ ସେମାନଙ୍କୁ କାର୍ଯ୍ୟ କରିଥିବା ଦିନର ପାଉଣା ପ୍ରଦାନ କରୁନାହାନ୍ତି । ଏଥିପାଇଁ ପ୍ରାୟତଃ ସବ କଲ୍ ସେଣ୍ଟର କର୍ତ୍ତୃପକ୍ଷ ଦେଢମାସ ଖଟାଇବା ପରେ ଗୋଟିଏ ମାସର ପାଉଣା ଦେଉଛନ୍ତି । କାଳେ କିଏ ଛାଡି ପଳାଇବ ସେଥିପାଇଁ ହାତରେ ପନ୍ଦରଦିନର ପାଉଣା ରଖୁଥିବା ଲକ୍ଷ୍ୟ କରାଯାଉଛି ।
ବିଭିନ୍ନ କଲ୍ ସେଣ୍ଟର ଭଳି ସରକାର ମଧ୍ୟ ନିଜସ୍ୱ କଲ୍ ସେଣ୍ଟର ପାଇଁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତ କରୁଥିବା ଯୁବକ ଯୁବତୀଙ୍କୁ ସ୍ୱଳ୍ପ ପାଉଣା ପ୍ରଦାନ କରୁଛନ୍ତି । ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ କମାଣ୍ଡସେଣ୍ଟରରେ ନିଯୁକ୍ତ ସ୍ନାତକ ଡିଗ୍ରୀଧାରୀଙ୍କୁ ମାସିକ ୧୮ହଜାର ଟଙ୍କା ମିଳୁଥିବାବେଳେ ସେଥିରୁ ବିଭିନ୍ନ ବାବଦରେ ଅର୍ଥ କଟିବା ପରେ ୧୪/୧୫ ହଜାର ଟଙ୍କା ମିଳୁଛି । ଏତେ କମ୍ ପରିମାଣର ପାଉଣା ମିଳୁଥିଲେ ମଧ୍ୟ ନିଯୁକ୍ତିପାଇଁ ବ୍ୟାକୁଳ ଯୁବକ ଯୁବତୀମାନେ ସାହସ କୁଳାଇ ପାରୁନାହାନ୍ତି ।
ରାଜ୍ୟ ସରକାର କୁଶଳୀ, ଅଣକୁଶଳୀ ଓ ଅତିକୁଶଳୀ ମାନଙ୍କର ପାଉଣା ବୃଦ୍ଧି କରିଛନ୍ତି । ଅତି କୁଶଳୀ ଶ୍ରମିକମାନଙ୍କ ପାଉଣା ଦୈନିକ ୬ଶହ ଟଙ୍କା ସ୍ଥିର ହୋଇଥିବାବେଳେ ଏହି ଡିଗ୍ରୀଧାରୀମାନେ ତାହାଠାରୁ ବି କମ୍ ପାଉଛନ୍ତି । ତାଲିମ ନାଁରେ ଏକ ପ୍ରକାର ଶୋଷଣ ଚାଲିଛି । ତାଲିମ ପରେ ବି କମ୍ ପାରିଶ୍ରମିକ ମିଳୁଥିବାରୁ ଅନେକ ଯୁବକ ଯୁବତୀ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି । ତେଣୁ କଲ୍ ସେଣ୍ଟର ଜରିଆରେ ରାଜ୍ୟରେ ନିଯୁକ୍ତି ସୁଯୋଗ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଧିରେ ଧିରେ ମଉଳିବାରେ ଲାଗିଛି ।
ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରରେ ଏଭଳି କଲ୍ ସେଣ୍ଟର ଖୋଲୁଥିବାବେଳେ ଏମାନେ ଯୁବକ ଯୁବତୀଙ୍କୁ କେତେ ପାଉଣା ଦେଉଛନ୍ତି ଓ କିଭଳି କାର୍ଯ୍ୟ କରାଉଛନ୍ତି ତାହା ଉପରେ ଶ୍ରମ ବିଭାଗ କଡା ନଜର ରଖିବାକୁ ମତ ପ୍ରକାଶ ପାଇଲାଣି । (ତଥ୍ୟ)