Home General କଲେଜ ପରିସର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

କଲେଜ ପରିସର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀରେ ଥିବା ଅଧିକାଂଶ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ସୁରକ୍ଷାକର୍ମୀଙ୍କ ଅଭାବ ସହିତ ପୁଲିସ୍‍ ପହରାରେ କୋହଳ ଅବସ୍ଥା ଯୋଗୁଁ ଦୌରାତ୍ମ୍ୟ ଏବେ ବଢି ବଢି ଚାଲିଛି ।

ରାଜଧାନୀର ଅଧିକାଂଶ ସରକାରୀ ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ସମୟରୁ ଅସାମାଜିକ ଯୁବକମାନେ ଆସି ଆଡ୍ଡା ଜମାଉଛନ୍ତି । ଯଦିଓ ଏମାନେ କଲେଜ ପୋଷାକ ପିନ୍ଧି ଆସୁ ନାହାନ୍ତି ତଥାପି ସେମାନଙ୍କୁ ତଡିବାକୁ ନିୟୋଜିତ ଥିବା ସୁରକ୍ଷାକର୍ମୀ କର୍ମୀ କିମ୍ବା କଲେଜ କର୍ତ୍ତୃପକ୍ଷ କେହି ସାହସ କରିପାରୁ ନାହାନ୍ତି । ତେବେ କଲେଜ ଛୁଟି ପରେ ଏମାନଙ୍କ ଦୌରାତ୍ମ୍ୟ ସହିତ ନିଶା ସେବନର ପ୍ରମୁଖ ସ୍ଥାନ ପାଲଟୁଛି ସରକାରୀ ଶିକ୍ଷାନୁଷ୍ଠାନ ପରିସର ।

ଏହାର ଏକ ଉଦାହରଣ ହେଉଛି ଖଣ୍ଡଗିରି ଥାନା ଅଧିନରେ ଥିବା ରାଜଧାନୀ ମହାବିଦ୍ୟାଳୟ । ଏଠାରେ କଲେଜ ଖୋଲିବା ସମୟରୁ ଆସି ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି । ଏମାନେ କଲେଜ ପୋଷାକ ପିନ୍ଧୁନଥିଲେ ବି ଏଠାରେ ମୁତୟନ ଜଣେ ମାତ୍ର ସୁରକ୍ଷାକର୍ମୀ ସେମାନଙ୍କୁ ତଡିବାକୁ ସାହସ କରିପାରୁ ନାହାନ୍ତି । କଲେଜ ପରିସରକୁ କାହିଁକି ଆସୁଛ ପଚାରିଲେ ନାଲିଆଖି ଦେଖାଉଛନ୍ତି ।

ଏହି ଅସାମାଜିକ ଯୁବକମାନେ କଲେଜ ପରିସରରେ ଥିବା ମୋଟରସାଇକେଲ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ବସି ରହିବାରୁ କଲେଜ କର୍ତ୍ତୃପକ୍ଷ ସେଠାରେ ସିଟି ଟିଭି କ୍ୟାମେରା ଲଗାଇଥିଲେ । ହେଲେ ଇତି ମଧ୍ୟରେ ଏହି ଯୁବକମାନେ ତାହାକୁ କାଟି ନେଇ ଯାଇଥିବା ଜଣାଯାଇଛି । ସେହିଭଳି ଏହି କଲେଜ ଚାରିପାଖରେ ଜଙ୍ଗଲିଆ ପରିବେଶ ଥିବାରୁ ତାହା ତାହା ଏହି ଅସାମାଜିକଙ୍କୁ ସୁହାଇଛି ।

କଲେଜ ଛୁଟି ପରେ ଦଳ ଦଳ ହୋଇ ଅସାମାଜିକ ଯୁବକମାନେ ଏଠାକୁ ଆସି ଖୋଲାଖୋଲି ଭାବେ ନିଶା ସେବନ କରୁଛନ୍ତି । ଧିରେ ଧିରେ ଏମାନେ ଗାଡିଷ୍ଟାଣ୍ଡରୁ ଆସି କଲେଜ ଛାତ ଉପରେ ବସି ମଦ୍ୟପାନ କରିବା ସହିତ ମଦବୋତଲଗୁଡିକୁ କଲେଜ ପରିସରରେ ଫିଙ୍ଗୁଛନ୍ତି । ଏମାନଙ୍କୁ ରୋକିବା ସହଜ ହେଉନାହିଁ । ନିକଟରେ କିଛି ଅସାମାଜିକ ଯୁବକ କଲେଜ ପରିସରରେ ଆସି ମାରପିଟ୍‍ କରିବାରୁ ଖୋଦ କଲେଜ ଅଧ୍ୟକ୍ଷ ୨/୩ ଧରି କଲେଜ ସାମ୍ନାରେ ବସି ସେମାନଙ୍କୁ ଜଗିଥିଲେ । ପୁଲିସ୍‍ ବି ଆସି ପଇଁତରା ମାରିଥିଲା । ହେଲେ ପରବର୍ତ୍ତୀ ସମୟରେ ସ୍ଥିତି ଯଥା ପୂର୍ବ ତଥା ପରଂ ।

ଆଶ୍ଚର୍ଯ୍ୟର କଥା ହେଲା ଯେ ଖଣ୍ଡଗିରି ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏହି ସରକାରୀ କଲେଜରେ ଦିନ ରାତି ଅସାମାଜିକ ଯୁବକମାନେ ଆସି ଆଡ୍ଡା ଜମାଉଥିବାବେଳେ ପୁଲିସ୍‍ ସେମାନଙ୍କ ବିରୁଦ୍ଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନେବାକଥା ତାହା ହେଉନାହିଁ । କଲେଜ ଆଖପାଖରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଯାତ୍ରୀ ରହଣି ସ୍ଥାନ ଆଦିରେ ଏମାନେ ବସି ରହୁଛନ୍ତି । ସଞ୍ଜ ହେଲେ କଲେଜ ପରିସରରେ ନିଶା ସେବନ କରୁଛନ୍ତି ।

କେବଳ ରାଜଧାନୀ କଲେଜ ନୁହେଁ, ସହର ଭିତରେ ଥିବା ଅଧିକାଂଶ ସରକାରୀ କଲେଜରେ ଏଭଳି ଅବସ୍ଥା । ସରକାରୀ କଲେଜ ସହିତ କେତେ ସରକାରୀ ବିଦ୍ୟାଳୟ ପରିସରରେ ମଧ୍ୟ ସଞ୍ଜ ନଇଁଲେ ଅସାମାଜିକ ଯୁବକ ଓ ନିଶାଡିମାନେ ମେଳି ହେଉଛନ୍ତି । ସ୍ଥାନୀୟ ଆଇଆରସି ହାଇସ୍କୁଲରେ ପ୍ରତିଦିନ ଏକାଧିକ ନିଶାସକ୍ତ ଯୁବକ ଆଡ୍ଡା ଜମାଉଛନ୍ତି । ନିକଟରେ ଏହି ବିଦ୍ୟାଳୟ ପରିସରରେ ଏକ ହତ୍ୟାକାଣ୍ଡ ବି ଘଟିଥିଲା । ତେଣୁ କମିଶନରେଟ ପୁଲିସ ଏବେ ସହରର ଶିକ୍ଷାନୁଷ୍ଠାନ ପରିସର ଉପରେ ନଜର ଦେବାକୁ ଦାବି ହେଉଛି । (ତଥ୍ୟ)