Home Education କଲେଜରେ ତଳେ ବସି ପାଠପଢା

କଲେଜରେ ତଳେ ବସି ପାଠପଢା

ଭୁବନେଶ୍ୱର : ନାକ୍‍ ର ‘ଏ’ ଗ୍ରେଡ୍‍ ମାନ୍ୟତା ପାଇଥିବା ସରକାରୀ କଲେଜରେ ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢୁଛନ୍ତି । ସ୍ନାତକୋତ୍ତର ଶ୍ରେଣୀର ଚାତ୍ରଛାତ୍ରୀମାନେ ତଳେ ଦରିରେ ବସି ପାଠ ପଢୁଥିବା ଏହି ମହାବିଦ୍ୟାଳୟଟି ହେଉଛି ଭୁବନେଶ୍ୱରରେ ଥିବା ରାଜଧାନୀ କଲେଜ ।

ରାଜଧାନୀ କଲେଜରେ ଏବେ ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି ସହିତ ସେଲ୍ଫ ଫାଇନାନ୍ସିଂ ବିଭାଗର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ କଳା, ବିଜ୍ଞାନ ଓ ବାଣିଜ୍ୟର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବାବେଳେ ଗତ ଶିକ୍ଷାବର୍ଷ ଠାରୁ ଉଚ୍ଚଶିକ୍ଷା ବିଭାଗ ଏଠାରେ ଅଧିକ ପାଠ୍ୟକ୍ରମ ଖୋଲିବା ସହିତ ଆସନ ବୃଦ୍ଧିକୁ ଅନୁମତି ଦେଇଛନ୍ତି । ସେହିଭଳି ପିଜି ଓ ସେଲ୍ଫ ଫାଇନାନ୍ସି ବିଭାଗରେ ମଧ୍ୟରେ ଏକାଧିକ ପାଠ୍ୟକ୍ରମ ରହିଛି ।

ତଦନୁଯାୟୀ ଏହି କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଥିବାବେଳେ ସେମାନେ ପାଠପଢିବାକୁ କିନ୍ତୁ ଶ୍ରେଣୀଗୃହ ନାହିଁ । କଲେଜରେ ୮ଟି ଗ୍ୟାଲେରୀ ସହିତ କେତେକ କୋଠରୀ ରହିଛି । ହେଲେ ତାହା ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ବିଶେଷକରି ପିଜି ଛାତ୍ରଛାତ୍ରୀଙ୍କ ସମେତ ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢିବା ସକାଶେ ନିର୍ଦ୍ଦିଷ୍ଟ ଶ୍ରେଣୀଗୃହ ନାହିଁ । ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ସେମାନଙ୍କୁ ନିଜ ନିଜ ଶ୍ରେଣୀଗୃହ ଛାଡିବାକୁ ନାରାଜ ।

ଅବସ୍ଥା ଏଭଳି ହୋଇଛି ଯେ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ସରିବା ପୂର୍ବରୁ ଆଉ ଗୋଟିଏ ଶ୍ରେଣୀର ପିଲା କକ୍ଷ ବାହାରେ ଅପେକ୍ଷା କରୁଛନ୍ତି । ଯଦି ସେମାନେ ଅପେକ୍ଷା ନକରିବେ ତେବେ ଆଉ କେଉଁ ଶ୍ରେଣୀର ଆସି ବସିଯିବେ । ଉଲ୍ଲେଖନୀୟ ଯେ ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକ ପ୍ରକାର ସରକାରଙ୍କ ଧାର୍ଯ୍ୟ ଅଳ୍ପ ଅର୍ଥରେ ପଢୁଥିବାବେଳେ ଅନେକ ପାଠ୍ୟକ୍ରମର ପିଜି ଛାତ୍ରଛାତ୍ରୀ ଓ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ହଜାର ହଜାର ଟଙ୍କା ଦେଉଛନ୍ତି ।

କେବଳ ଛାତ୍ରଛାତ୍ରୀ ତଳେ ବସି ପାଠ ପଢୁନାହାନ୍ତି, କେତେକ ବିଷୟର ଅଧ୍ୟାପକଙ୍କ ପାଇଁ ମଧ୍ୟରେ କଲେଜରେ ଟିକେ ବସିବାକୁ ସ୍ଥାନନାହିଁ । ସେମାନେ ବସିବାପାଇଁ ବିଭିନ୍ନ ବିଷୟର ଅଧ୍ୟାପକମାନଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଛାତ୍ରୀଙ୍କ କମନ୍‍ରୁମ୍‍ ସଂଖ୍ୟା ବୃଦ୍ଧି ପାଉନାହିଁ । ଫଳରେ ଛାତ୍ରୀମାନେ ଦଳ ଦଳ ହୋଇ କଲେଜ ପରିସରରେ ଏଣେ ତେଣେ ବୁଲୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି କଲେଜ ପରିସରରେ ଅତିରିକ୍ତ ସୌଧ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ସରକାରୀ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି । ତେବେ କୌଣସି କାରଣ ପାଇଁ ସୌଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ସେହିଭଳି କଲେଜ ପରିସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଲେ ତାହାପାଇଁ ମଧ୍ୟ ଆବଶ୍ୟକ ସ୍ଥାନ ମିଳୁନାହିଁ । ଏଭଳି ସ୍ଥିତିରେ ପାଠପଢା ସୁବ୍ୟବସ୍ଥିତ ଲାଗି ତୁରନ୍ତ ରାଜଧାନୀ କଲେଜର ନୂତନ ସୌଧ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଛାତ୍ରଛାତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)