Home Administration କର୍ମଚାରୀ ଦମନ ନୀତି ଉଚ୍ଛେଦ ଦାବି

କର୍ମଚାରୀ ଦମନ ନୀତି ଉଚ୍ଛେଦ ଦାବି

ଭୁବନେଶ୍ୱର : ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ବିଶେଷକରି କର୍ତ୍ତବ୍ୟନିଷ୍ଠ କର୍ମଚାରୀମାନଙ୍କୁ ଦବାଇ ରଖିବାପାଇଁ ଗତ ସରକାର ସମୟରେ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯିବାରୁ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ତାହାର ପ୍ରତିଫଳନ ନିର୍ବାଚନରେ ପଡିଲା । ଓଡିଶାରେ ସରକାର ପରିବର୍ତ୍ତନର ବହୁ କାରଣ ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ପରିପ୍ରେକ୍ଷୀରେ ଏହି ଦମନମୂଳକ ନୀତିର ଶିକାର ହୋଇଥିବା ବ୍ୟବସ୍ଥାକୁ ନୂଆ ସରକାର ପୁନଃ ପ୍ରତିଷ୍ଠା କରିବାଲାଗି ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ଦାବି ଉଠୁଛି ।

ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ଏବଂ ଋଗଣ ହୋଇ କାମ କରିବାର ଶକ୍ତି ହରାଇଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାରୀ ଚାକିରିରେ ନିୟମିତ ନିଯୁକ୍ତି ଲାଗି ସ୍ୱତନ୍ତ୍ର ଆଇନ୍‍ ପୂର୍ବରୁ ରହିଥିଲା । ତେବେ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁଃସ୍ଥିତି ବେଳେ ସହାୟତା କରିବା ପରବର୍ତ୍ତେ ଓଡିଶା ସରକାର ୨୦୨୦ ମସିହାରେ ନୂଆ ଆଇନ୍‍ ଲାଗୁ କରି ସେଥିରେ ଏତେଗୁଡିଏ ବ୍ୟବସ୍ଥା ଖଞ୍ଜି ଦେଇଛନ୍ତି ଯେ ସହଜରେ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ନାହିଁ । ଏହା ପୂର୍ବରୁ ବି ୨୦୦୯ ମସିହାରୁ ଅନୁକମ୍ପାମୂଳକ ନିଯୁକ୍ତିକୁ ଗଡାଇ ଚାଲି ବହୁ କ୍ଷେତ୍ରରେ ଆଇନ୍‍ ଅଦାଲତଙ୍କ ରାୟ ଆଧାରରେ ନିଯୁକ୍ତି ଦିଆଯାଉଥିଲା । ଏବେ ଅନ୍ୟୁନ ୩ହଜାର ମୃତ କର୍ମଚାରୀଙ୍କ ଉତ୍ତରଦାୟଦ ନିଯୁକ୍ତି ପ୍ରତୀକ୍ଷାରେ ରହିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏହି ଦମନମୂଳକ ଆଇନ୍‍କୁ ନୂଆ ସରକାର ପ୍ରତ୍ୟାହାର କରିନେଇ ୧୯୯୦ ମସିହାରେ ପ୍ରଣୟନ କରାଯାଇଥିବା ପୁରୁଣା ଆଇନ୍‍କୁ କାର୍ଯ୍ୟକାରୀ କରିବାଲାଗି ସରାକରୀ କର୍ମଚାରୀ ମହଲରେ ଦାବି ଉଠୁଛି ।

ସେହିଭଳି ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ମାଳ ମାଳ ଶିକ୍ଷକ ପଦବୀ ଖାଲି ରଖି ଶିକ୍ଷା ବ୍ୟବସ୍ଥାକୁ ଗତ ସରକାର ସମୟରେ ବିପର୍ଯ୍ୟସ୍ତ କରିଦିଆଯିବା ସହ ବିଭିନ୍ନ ଶିକ୍ଷକ ସଂଘକୁ ସେମାନଙ୍କ ଦାବି ପୂରଣ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରାଯାଇ ନାହିଁ । ଏହାଛଡା ଖର୍ଚ୍ଚକାଟ୍‍ ଆଳରେ ବିଭିନ୍ନ ପାହ୍ୟାର ହଜାର ହଜାର ସରକାରୀ ପଦବୀକୁ ଉଚ୍ଛେଦ କରାଯିବା ସହ ପ୍ରାୟ ଦେଢ ଲକ୍ଷ ଚାକିରି ଖାଲି ରହିଛି । ଏଥିଯୋଗୁଁ ସରକାରୀ ଦପ୍ତରଗୁଡିକରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ । ଯେତେସବୁ ପଦବୀ ଉଚ୍ଛେଦ କରାଯାଇଛି ସେଗୁଡିକ ପୁନଃ କାର୍ଯ୍ୟକାରୀ କରାଇବା ସଂଗେ ସଂଗେ ଖାଲି ପଡିଥିବା ଅନ୍ୟ ସମସ୍ତ ପଦବୀକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଗଲେ ସରକାରୀ ସଂସ୍ଥାଗୁଡିକ ତତ୍ପର ହେବା ସହିତ ବେକାରୀ ସମସ୍ୟାର ବି କିଛି ପରିମାଣରେ ସମାଧାନ ହୋଇପାରିବ । ଏଠାରେ ଉଲ୍ଲେଖନୀୟ ଯେ ବେକାରୀ ଓ ବେରୋଜଗାରୀ ଗତ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ।

ସେହିଭଳି କର୍ତ୍ତବ୍ୟନିଷ୍ଠ କର୍ମଚାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରିବା, ଅବସର ପରେ ବର୍ଷ ବର୍ଷ ଧରି ପେନ୍‍ସନ ନଦେବା, ନିଯୁକ୍ତିରେ ଜାଲିଆତି କରି ଯୋଗ୍ୟ ପ୍ରାର୍ଥୀଙ୍କୁ ବଞ୍ଚିତ କରିବା ଆଦି ଘଟଣାରେ କ୍ଷତିଗ୍ରସ୍ତ ଲୋକେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)ର ଦ୍ୱାରସ୍ଥ ହୋଇ କମ୍‍ ଖର୍ଚ୍ଚରେ ଶୀଘ୍ର ନ୍ୟାୟ ପାଇପାରୁଥିଲେ । ତେଣୁ ଏହି ସଂସ୍ଥାକୁ ଭାଙ୍ଗିଦେବା ଲାଗି ୨୦୦୫ ମସିହାରୁ ଲଗାତାର ଉଦ୍ୟମ ଚାଲିଥିବାବେଳେ ସେତେବେଳର ଆଇନ୍‍ମନ୍ତ୍ରୀ ତଥା ବିଜେପି ବିଧାୟକଦଳ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।

ପରବର୍ତ୍ତୀ ସମୟରେ ୨୦୧୪ରୁ ସ୍ୟାଟ୍‍ ଉଠାଇ ଦେବାଲାଗି କିଛି ନିର୍ଦ୍ଦିଷ୍ଟ ଅଫିସର ଚକ୍ରାନ୍ତ ଆରମ୍ଭ କଲେ ଏବଂ ଏ ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟରେ ବି ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ବିଜେପି ସରକାରର ବିରୋଧ ଯୋଗୁଁ ତାହା ଦୀର୍ଘବର୍ଷ ଧରି ଅଟକି ରହିଥିଲା । ୨୦୧୯ରେ ବିଜେପି ମଧ୍ୟ ତାହାର ନିର୍ବାଚନୀ ଇସ୍ତାହାରରେ ସ୍ୟାଟ୍‍ ରହିବ ବୋଲି ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସ୍ୟାଟ୍‍ ଉଠାଇ ଦେଇଥିବାରୁ ଏବେ ନୂଆ ସରକାର ଏହି ସଂସ୍ଥାର ପୁନଃ ପ୍ରତିଷ୍ଠାଲାଗି ପଦକ୍ଷେପ ନେବାକୁ ଦାବି ଉଠୁଛି । (ତଥ୍ୟ)