Home General କର୍ଫ୍ୟୁ ପୂର୍ବରୁ ଅସମ୍ଭାଳ ଭିଡ

କର୍ଫ୍ୟୁ ପୂର୍ବରୁ ଅସମ୍ଭାଳ ଭିଡ

ଭୁବନେଶ୍ୱର : ଆଜି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା ହୋଇଥିବାବେଳେ ରାଜଧାନୀବାସୀ କିନ୍ତୁ ଏହାକୁ ମାନି ନାହାନ୍ତି । ହାଟ ବଜାର ଠାରୁ ମଲ ପର୍ଯ୍ୟନ୍ତ ସବୁଆଡେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏଭଳି ଭିଡ ଏବେ କରୋନା ସଂକ୍ରମଣ ଆଶଙ୍କାକୁ ବଢାଇବାରେ ଲାଗିଛି ।

ସୋମବାର ସତ୍ୱେ ଆଜି ଲୋକେ ଦଶହରା କିଣାକିଣି ପାଇଁ ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୁଇ ନମ୍ବର ମାର୍କେଟ ବିଲ୍ଡିଂକୁ ମାଡି ଆସିଥିଲେ । ଅବସ୍ଥା ଏଭଳି ହୋଇଥିଲା ଯେ ଲୋକେ ଧାଡି ହୋଇ ବିଭିନ୍ନ ପୋଷାକ ଦୋକାନରେ ପଶିଥିଲେ । ଭିଡ ଯୋଗୁଁ ପୋଷାକପତ୍ର ବାଛିବା ବି ସମ୍ଭବପର ନଥିଲା । ଯାହା ହାତରେ ଯାହା ପଡୁଥିଲା ସିଏ ଧାଡିରେ ଛିଡାହୋଇ ତାହାକୁ ଖରିଦ କରୁଥିଲା ଓ ପଇସା ଦେଉଥିଲା ।

ବାହାର ତଥା ଫୁଟ୍‍ଫାଥ ଦୋକାନରେ ବି ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ମାର୍କେଟ ବିଲ୍ଡିଂ ପରିସର ଏକ ପ୍ରକାର ଜନସମୁଦ୍ର ପାଲଟି ଯାଇଥିଲା । ସାମାଜିକ ଦୂରତ ତ ଦୂରର କଥା ଲୋକେ ଠେଲାପେଲା ହୋଇ ଦୋକାନ ଭିତରକୁ ପଶିବା ଓ ବାହାରିବା ଲକ୍ଷ୍ୟ କରାଯାଇଥିଲା ।

ସହରର ପ୍ରାୟ ସମସ୍ତ ମଲ୍‍ ଓ ପୋଷାକ ଦୋକାନରେ ଅନୁରୂପ ଭିଡ ପରିଲକ୍ଷିତ ହୋଇଥିଲା । ଦୋକାନୀମାନେ ନାଁକୁ ମାତ୍ର ସାନିଟାଇଜର ମାରି ଲୋକଙ୍କୁ ଦୋକାନକୁ ଛାଡୁଥିଲେ । ତେବେ ଆଜି ଠାରୁ ରାତ୍ରୀ ୮ଟାରେ ଦୋକାନ ବନ୍ଦହେବାର ଥିବାରୁ ଲୋକେ ଅପରାହ୍ନ ଗୋଟାଏ ପରଠାରୁ ବିଭିନ୍ନ ଦୋକାନରେ ଭିଡ ଜମାଇଥିଲେ ।

କେବଳ ପୋଷାକପତ୍ର ନୁହେଁ, ଗ୍ରୋସୋରୀ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାପାଇଁ ମଧ୍ୟ ରାଜଧାନୀର ବ୍ୟବସାୟକେନ୍ଦ୍ର ଗୁଡିକରେ ଆଜି ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ଚଳିତବର୍ଷ ପୂଜା ମଣ୍ଡପ ବୁଲିବାର ସୁଯୋଗ ନଥିବାରୁ ଲୋକେ ଦିନବେଳା ବିଭିନ୍ନ ମଲ୍‍ ଓ ଦୋକାନ ଆଦି ବୁଲିବାକୁ ବାହାରିବାରୁ ଏଭଳି ଭିଡ ଲକ୍ଷ୍ୟ କରାଯାଇଛି ।

ତେବେ କରୋନା ସଂକ୍ରମଣକୁ ରୋକିବାପାଇଁ ହାଟ, ବଜାର ଓ ଦୋକାନଗୁଡିକରେ ଗହଳି ନକରିବାପାଇଁ ପ୍ରଶାସନ ଓ ପୁଲିସ୍‍ ପକ୍ଷରୁ କରାଯାଇଥିବା ଅନୁରୋଧକୁ ରାଜଧାନୀବାସୀ ଆଜି ଏକ ପ୍ରକାର ଫୁ କରିଦେଇଛନ୍ତି । ବଜାରରେ ପ୍ରବଳ ଭିଡ ହୋଇଥିଲେ ମଧ୍ୟ ବିଏମ୍‍ସି କିମ୍ବା ପୁଲିସ୍‍ ପ୍ରଶାସନ କେହି ହେଲେ ତାଗିଦା କିମ୍ବା ଚଢଉ ପାଇଁ ସାହସ କୁଳାଇ ପାରିନାହାନ୍ତି ।

ଏବେ ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପାଞ୍ଚଶହ ଆଖପାଖରେ ରହୁଥିବାବେଳେ ରାଜଧାନୀରେ ଏହା ସର୍ବାଧିକ ରହୁଛି । ତେଣୁ ପାର୍ବଣ ଶେଷ ପର୍ଯ୍ୟନ୍ତ ଯଦି ସହରରେ ଏଭଳି ଭିଡ ଲାଗି ରହିବ ତେବେ କରୋନା ସଂକ୍ରମଣ ଢେର ବଢିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ଏହାକୁ ରୋକିବାପାଇଁ ପୁଲିସ୍‍ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ବି ମତପ୍ରକାଶ ପାଉଛି ।