ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ନିକଟରେ ପଞ୍ଜିକୃତ ହୋଇଥିବା ସମସ୍ତ ହୋଟେଲ ଓ ପରିବହନ ସଂସ୍ଥା କରୋନା ମାଡରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୧୯୬୨ଟି ହୋଟେଲ ଓ ପ୍ରାୟ ୧୧୦ଟି ପରିବହନ ସଂସ୍ଥା ପର୍ଯ୍ୟଟନ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବାବେଳେ ଏହା ବ୍ୟତିତ ଆଉ ଅନେକ ହୋଟେଲ ଓ ପରିବହନ ସଂସ୍ଥା ମଧ୍ୟ ଏକ ପ୍ରକାର ଅଚଳ ହୋଇ ପଡିଛନ୍ତି ।
୨୦୧୯ ମସିହାରୁ ଏଯାବତ୍ ଲଗାତାର ଭାବେ ପର୍ଯ୍ୟଟନ ଓ ପରିବହନ ସଂସ୍ଥାଗୁଡିକ ସାଂଘତିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ୨୦୧୯ ମସିହାରେ ଫନି ବାତ୍ୟା ଓଡିଶାର ପର୍ଯ୍ୟଟନଶିଳ୍ପକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଫନି ଧକ୍କାରେ ଘାଏଲ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଅଣ୍ଟା ସଳଖି ଛିଡା ହେବାକୁ ଉପକ୍ରମ କରୁଥିବାବେଳେ ୨୦୨୦ରୁ କରୋନାର କରାଳ ପ୍ରକୋପ ଏହି ଶିଳ୍ପକୁ ଏକ ପ୍ରକାର କୋମାକୁ ନେଇଯାଇଛି ।
ପର୍ଯ୍ୟଟନଶିଳ୍ପ ଉପରେ ନିର୍ଭର କରୁଥିବା ଟ୍ୟାକ୍ସି, ଟୁର୍ ଅପରେଟର, ହୋଟେଲ, ରେଷ୍ଟୁରାଣ୍ଟ, ଫଟୋଗ୍ରାଫର, ଗାଇଡ୍ ଓ ଅନ୍ୟ ଛୋଟବଡ ବ୍ୟବସାୟୀ ଦୁଇବର୍ଷ ଧରି ବିନା କାମରେ ଡହଳ ବିକଳ ହେଉଛନ୍ତି । ରାଜ୍ୟ ସରକାରଙ୍କ ପାନ୍ଥନିବାସ, ପାନ୍ଥିକା ଆଦିର ଅବସ୍ଥା ଆହୁରି ଶୋଚନୀୟ । ଏହାର କର୍ମଚାରୀମାନଙ୍କୁ ଦରମା ଦେବା ଏବେ କଷ୍ଟକର ହୋଇପଡୁଛି । ପାନ୍ଥନିବାସ, ପାନ୍ଥିକା ଆଦିରେ ଥିବା ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀଗୁଡିକ ଖାଲିପଡୁଛି । ଏହାର ଭୋଜନାଳୟ ମଧ୍ୟ ଖୋଲୁନାହିଁ । ହୋମ ଡେଲିଭରୀ ଆକାରରେ ଯେତିକି ସାମଗ୍ରୀ ପଠାଯାଉଛି ସେଥିରୁ ମିଳୁଥିବା ଲାଭ ରୋଷେଇଶାଳର କର୍ମଚାରୀଙ୍କ ବେତନ ପାଇଁ ବି କମ୍ ପଡୁଛି ।
ସରକାର ପୁରୀର ସାମୁଦ୍ରିକ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିବାପରେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟନ ବେପାର ଅଧିକ ବଢିବାର ଆଶା କରାଯାଉଥିଲା । ଏହାଛଡା ସାତକୋଷିଆ, ଦାରିଙ୍ଗିବାଡି, ଭିତରକନିକା, ହୀରାକୁଦ, ଚିଲିକା ଆଦିରେ ଇକୋ ରିଟ୍ରିଟ୍ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏ ସମସ୍ତ ସ୍ଥାନ ସହିତ ସମଗ୍ର ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡିକ ଏବେ ଖାଁ ଖାଁ ।
ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଏବେ ଉଦ୍ବେଗଜନକ ଭାବେ ହ୍ରାସ ପାଇଛି । ୨୦୧୯-୨୦ ବର୍ଷରେ ଓଡିଶାକୁ ଯେତେ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥିଲେ ଏବେ ସେହି ସଂଖ୍ୟା ୯୦ ରୁ ୯୯ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି । ୨୦୨୦-୨୧ ବର୍ଷରେ କରୋନା କମିବାପରେ ମାତ୍ର ୪୭୪ଜଣ ବିଦେଶୀ ପର୍ଯ୍ୟଟକ ଓଡିଶା ଭ୍ରମଣରେ ଆସିଥିବାବେଳେ ଏବର୍ଷ ଏହି ସଂଖ୍ୟା ଆହୁରି କମିବା ଆଶଙ୍କା କରାଯାଉଛି ।
ଲକ୍ଡାଉନ୍, ସଟ୍ଡାଉନ ଆଦି ଯୋଗୁଁ ଉଭୟ ସରକାରୀ ଓ ବେସରକାରୀ ପରିବହନ ସେବା ଗୁରୁତର ଭାବେ ବ୍ୟାହତ ହୋଇଛି । ବସ୍ ଓ ଟ୍ୟାକ୍ସିଗୁଡିକ ମାସ ମାସ ଦରି ନଚାଲି ଖତ ଖାଇବା ଅବସ୍ଥାରେ ପଡିଛନ୍ତି । ଏଗୁଡିକରେ ନିୟୋଜିତ ଥିବା ଡ୍ରାଇଭର, ହେଲପର ଆଦି କାମ ନପାଇ ଘରେ ହାତବାନ୍ଧି ବସିଛନ୍ତି । ଗାଡିମାଲିକମାନେ ଟିକସ ଓ ବୀମା ଦେବା ଅବସ୍ଥାରେ ନାହାନ୍ତି ।
ମୋଟାମୋଟି ଭାବେ ଉଭୟ ପର୍ଯ୍ୟଟକ ଓ ପରିବହନ ଶିଳ୍ପ ଉପରେ ନିର୍ଭର କରୁଥିବା ୧୫ଲକ୍ଷରୁ ଅଧିକ ଲୋକ ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିଯୋଗୁଁ ଏବର୍ଷ ବି ଏ କ୍ଷେତ୍ରରୁ ମିଳୁଥିବା ଜିଏସ୍ଡିପି ୮୦ରୁ ୯୦ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)