Home Finance କରୋନା କାଳରେ ଖର୍ଚ୍ଚ ବଢିଛି

କରୋନା କାଳରେ ଖର୍ଚ୍ଚ ବଢିଛି

ଭୁବନେଶ୍ୱର : କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବ ସତ୍ୱେ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ପୂର୍ବବର୍ଷ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ମହାମାରୀ ସମୟରେ ଲୋକଙ୍କ ହାତକୁ ପଇସା ଦେବାପାଇଁ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ ଜରୁରୀ ଥିଲା ।

କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର କମ୍‍ ଅର୍ଥ ଯୋଗାଉଥିବାବେଳେ ସ୍ଥିତି ମୁକାବିଲା ପାଇଁ ଓଡିଶା ସରକାର ନିଜସ୍ୱ ସମ୍ବଳରୁ ଅଧିକ ଅର୍ଥ ବ୍ୟବସ୍ଥା କରିଛନ୍ତି । ୨୦୨୦-୨୧ ବର୍ଷର ସର୍ବଶେଷ ଆର୍ଥିକ ରିପୋର୍ଟ ଅନୁଯାୟୀ ଏହି ବର୍ଷ ୧,୨୬,୦୦୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧,୨୫,୪୦୦ କୋଟି ଟଙ୍କା ଥିଲା । ୨୦୨୦-୨୧ ବର୍ଷର ବଜେଟରେ ଦେଢ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଏକ ଲକ୍ଷ ୨୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

୨୦୨୦-୨୧ ବର୍ଷରେ ରାଜସ୍ୱ ବ୍ୟୟ ପ୍ରାୟ ୯୮,୫୮୩ କୋଟି ଟଙ୍କା ହୋଇଥିବାବେଳେ ରାଜସ୍ୱ ବଳକା ୭୨୨୪ କୋଟି ଟଙ୍କା ରହିଛି ଯାହାକି କି ଜିଏସ୍‍ଡିପିର ୧.୪ ପ୍ରତିଶତ । ପୁଞ୍ଜି ବ୍ୟୟ କ୍ଷେତ୍ରରେ ୧୯,୨୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ଜିଏସ୍‍ଡିପିର ୩.୮ ପ୍ରତିଶତ ଏବଂ ଆର୍ଥିକ ନିଅଣ୍ଟ ପରିମାଣ ୧୨,୮୦୬ କୋଟି ଟଙ୍କା ଥିଲା ଯହାକି ଜିଏସ୍‍ଡିପିର ୨.୫ ପ୍ରତିଶତ । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ୧,୦୫,୩୨୮କୋଟି ଟଙ୍କାରେ ପହଞ୍ଚିଛି ଯାହାକି ଜିସଏସ୍‍ଡିପିର ୨୦.୭ପ୍ରତିଶତ ।

କରୋନା ପ୍ରଭାବରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ଭିତ୍ତିଭୂମି ବ୍ୟୟ ଧିମେଇ ଯାଇଥିବାରୁ ପୁଞ୍ଜି ବ୍ୟୟକୁ ଗତିଶୀଳ କରିବାକୁ ରାଜ୍ୟ ସରକାର ଚାହୁଛନ୍ତି ଯାହାକି ବର୍ତ୍ତମାନ ସମୟରେ ଜରୁରୀ ହୋଇପଡିଛି । ଖର୍ଚ୍ଚ ବୃଦ୍ଧି ପାଇଁ କୋଭିଡ-୧୯ ମହାମାରୀ ରାଜ୍ୟ ସରକାରଙ୍କ ପାଇଁ ସୁଯୋଗ ଆଣି ଦେଇଥିବାବେଳେ ୨୦୨୧-୨୨ ପାଇଁ ଜିଏସ୍‍ଡିପିର ୫ ପ୍ରତିଶତ ଅତିରିକ୍ତ ଆର୍ଥିକ ନିଅଣ୍ଟ ସୃଷ୍ଟି କରିବ । ତେଣୁ ଏହି ବର୍ଷରେ ଅଧିକରୁ ଅଧିକ ଅର୍ଥ ବ୍ୟୟର ସୁଯୋଗ ଥିବା ରାଜ୍ୟ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ବିଚାରୁଛନ୍ତି ।

ତେବେ ମହାମାରୀ ସମୟରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଓଡିଶା ଭଲ ପ୍ରଦର୍ଶନ କରିବା ସହିତ ଅଧିକ ଅର୍ଥ ସଂଗ୍ରହ କରିପାରିଛି । ସାଧାରଣତଃ ରାଜ୍ୟ ବଜେଟ୍‍ର ଶତକଡା ୫୦ ପ୍ରତିଶତରୁ ଅଧିକ ଅର୍ଥ କେନ୍ଦ୍ର ସରକାର ବହନ କରିଥାନ୍ତି ଓ ରାଜ୍ୟ ସରକାରଙ୍କୁ କମ୍‍ ଅର୍ଥ ବହନ କରିବାକୁ ପଡିଥାଏ । କିନ୍ତୁ ଏବେ ପରିସ୍ଥିତି ବିପରୀତ ଦିଗରେ ଚାଲିଛି । ଲଗାତାର ଭାବେ କେନ୍ଦ୍ର ସରକାର କମ୍‍ ପରିମାଣ ଅର୍ଥ ପ୍ରଦାନ କରୁଛନ୍ତି ।

ଉଦାହରଣ ସ୍ୱରୂପ ୨୦୧୮-୧୯ରେ ଓଡିଶା ଅଂଶଧନ ଟିକସ ବାବଦରେ କେନ୍ଦ୍ରରୁ ୩୫,୩୫୩ କୋଟି ୭୩ଲକ୍ଷ ଟଙ୍କା ପାଇଥିବାବେଳେ ୨୦୧୯-୨୦ରେ ଏହା ୩୦,୪୫୩କୋଟି ୨୭ଲକ୍ଷ ଟଙ୍କାକୁ କମିଆସିଥିଲା । ତେବେ କୋଭିଡ ମହାମାରୀ ସମୟରେ କେନ୍ଦ୍ରରୁ ଅଧିକ ଅର୍ଥ ମିଳିବା ନେଇ ଆଶା କରାଯାଉଥିବେଳେ ୨୦୨୦-୨୧ ବର୍ଷରେ ଅଂଶଧନ ଟିକସ ବାବଦରେ ପାଇଥିଲା ୨୭,୫୪୨କୋଟି ୬୭ଲକ୍ଷ ଟଙ୍କା ।

ଅନୁରୂପ ଭାବେ ୨୦୨୦-୨୧ରେ କେନ୍ଦ୍ରୀୟ ଅନୁଦାନ ବାବଦରେ ଓଡିଶାକୁ ୨୨,୭୫୩କୋଟି ୨୩ଲକ୍ଷ ଟଙ୍କାକୁ ମିଳିଛି ଯାହାକି ୨୦୧୯-୨୦ ବର୍ଷରେ ୨୪,୧୫୨କୋଟି ଟଙ୍କା ଥିଲା । ଅନ୍ୟ ପକ୍ଷରେ ରାଜ୍ୟ ବଜେଟ୍‍ରେ ସରକାର ନିଜସ୍ୱ ସମ୍ବଳରୁ ଅଧିକ ଅର୍ଥ ବରାଦ କରିଛନ୍ତି । ଉଦାହରଣ ସ୍ୱରୂପ ରାଜ୍ୟ ସରକାର କରୋନା ମହାମାରୀ ସମୟରେ ନିଜସ୍ୱ ଟିକସ ଓ ଅଣ ଟିକସ ରାଜସ୍ୱ ବାବଦରେ ୫୫,୫୧୧.୬୩ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୧୮ପ୍ରତିଶତ ଅଧିକ । କେନ୍ଦ୍ରରୁ ଓଡିଶା ୫୦,୨୯୫.୯୦ କୋଟି ଟଙ୍କା ପାଇଥିବାବେଳେ କୋଭିଡ ମହାମାରୀ ସମୟରେ ନିଜସ୍ୱ ସମ୍ବଳରୁ ରାଜକୋଷକୁ ଅଧିକ ଅର୍ଥ ଯୋଗାଉଛି । (ତଥ୍ୟ)