Home Health କମ୍‍ ରହିଛି ଡେଙ୍ଗୁ ପ୍ରକୋପ

କମ୍‍ ରହିଛି ଡେଙ୍ଗୁ ପ୍ରକୋପ

ଭୁବନେଶ୍ୱର : ଡେଙ୍ଗୁର ପ୍ରକୋପ ଗତବର୍ଷ ତୁଳନାରେ ଚଳିତବର୍ଷ କମ୍‍ ରହିଛି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୫ଶହରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ତଳେ ରହିଛି ।

ଡେଙ୍ଗୁ ଆକ୍ରାନ୍ତ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୩ହଜାରରୁ ଅଧିକ ରକ୍ତ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ମାତ୍ର ୨୬୩ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ଜଣେ ହେଲେ କାହାର ବୃଦ୍ଧି ହୋଇନାହିଁ ।

ତେବେ ଗତବର୍ଷ ଏହି ସମୟରେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୭୨୪୬ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୫୦୧ଜଣ ରକ୍ତରେ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା । ଚଳିତବର୍ଷ ଭଳି ଗତବର୍ଷ ଖୋରଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସିଂହଭାଗ ରହିଥିଲେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ । ସେହଭଳି ଗତବର୍ଷ ରାୟଗଡାରେ ୧୦୨ ଆକ୍ରାନ୍ତରେ ଚିହ୍ନଟ ହୋଇଥିବାବେଳେ କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାଖପାଖି ଥିଲା ।

ଚଳିତବର୍ଷ ଯଦିଓ ଖୋରଧା ଜିଲ୍ଲାରେ ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେବେ ଅନ୍ୟ ଜିଲ୍ଲାଗୁଡିକରେ ଆକ୍ରାନ୍ତରେ ସଂଖ୍ୟା ୨୦ ତଳେ ରହିଛି । ବାଲେଶ୍ୱରରେ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୧୫, ପୁରୀରେ ୧୪, ଯାଜପୁରରେ ୧୨, ଜଗତସିଂହପୁର ଓ ନୟାଗଡରେ ୧୦ଜଣ କରି ଚିହ୍ନଟ ହୋଇଛନ୍ତି । ଅନୁଗୁଳ, ବରଗଡ, ବଲାଙ୍ଗିର, ବୌଦ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁରରେ ଗୋଟିଏ ହେଲେ ଡେଙ୍ଗୁ ଆକ୍ରାନ୍ତ ରିପୋର୍ଟ ଆସିନାହିଁ ।

ଗତବର୍ଷ ଡେଙ୍ଗୁ ପାଇଁ ନାକେଦମ ହୋଇଥିବା ରାୟଗଡା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲା ନାକେଦମ ହୋଇଥିବାବେଳେ ଚଳିତବର୍ଷ ଏହିସବୁ ଜିଲ୍ଲା ଡେଙ୍ଗୁ ମୁକାବିଲା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିଥିବାରୁ ଡେଙ୍ଗୁ ସେଠାରେ କାୟା ବିସ୍ତାର କରିପାରି ନାହିଁ । ତେବେ ଭୁବନେଶ୍ୱରର ଡେଙ୍ଗୁ ସ୍ଥିତି ପୂର୍ବବର୍ଷ ଭଳି ରହିଛି । ସହରରର ବସ୍ତିଗୁଡିକରେ ମଶାବଂଶ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ସତ୍ୱେ ଡେଙ୍ଗୁକୁ ସଫଳ ଭାବେ ମୁକାବିଲା କରାଯାଉ ନାହିଁ ।

ତେବେ ଚଳିତବର୍ଷ ଖୋରଧା ଜିଲ୍ଲାରେ ଡେଙ୍ଗୁ ଚିହ୍ନଟ ପାଇଁ ରକ୍ତନମୂନା ସଂଗ୍ରହ ଓ ପରୀକ୍ଷାକୁ ବଢାଇ ଦେଇଛନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ୧୩୨୮ ନମୂନା ପରୀକ୍ଷା ହୋଇଥିବାବେଳେ ଚଳିତବର୍ଷ ୩୨୩୪ ନମୂନା ପରୀକ୍ଷା ହୋଇଛି । ଗତବର୍ଷ ଡେଙ୍ଗୁ ବ୍ୟାପିଥିବାକୋରାପୁଟ ଜିଲ୍ଲାରେ ତିନିଗୁଣାରୁ ଅଧିକ ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ଜଣେ ହେଲେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣେ ହେଲେ କେହି ଡେଙ୍ଗୁରେ ମୃତ୍ୟୁବରଣ କରିନାହାନ୍ତି । (ତଥ୍ୟ)