Home Education କମ୍ପ୍ୟୁଟର ବଣ୍ଟାକୁ ସିଏଜି ଧରିଲେ

କମ୍ପ୍ୟୁଟର ବଣ୍ଟାକୁ ସିଏଜି ଧରିଲେ

ଭୁବନେଶ୍ୱର : ସୁରୁଖୁରୁରେ ପରୀକ୍ଷା ଚାଳନା ପାଇଁ ରୁସା ଯୋଜନାରେ ମିଳିଥିବା ଅର୍ଥରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଇସିଟି ଲ୍ୟାବ ପ୍ରତିଷ୍ଠା ନକରି ସେଥିରେ କମ୍ପ୍ୟୁଟର କିଣିଦେଲେ । ସେହି କମ୍ପ୍ୟୁଟରକୁ ଅଧ୍ୟାପକ ଓ ବିଭାଗକୁ ବାଣ୍ଟିଦେଲେ । ଦୁଇଟି କମ୍ପ୍ୟୁଟରର ପତ୍ତା ମିଳିଲା ନାହିଁ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଏଭଳି ଅନିୟମିତତା ଖର୍ଚ୍ଚକୁ ସିଏଜି ଧରିଛନ୍ତି ଓ ଏହାଦ୍ୱାରା ୧.୮୩ କୋଟିର ଅନିୟମିତତା ହୋଇଥିବା ଉଲ୍ଲେଖ କରିଛନ୍ତି ।

ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ଗୁଣବତ୍ତା ଓ ଉତ୍କର୍ଷତାର ଅଂଶ ସ୍ୱରୂପ ରୁସା ଅନୁଦାନରେ ପରୀକ୍ଷା ପରିଚାଳନା ପାଇଁ ସୁବିଧା ନିମନ୍ତେ ୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ଦସ୍ତାବିଜ୍‍ ପ୍ରସ୍ତୁତ କରିବାପରେ ୨୦୧୯ରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ପରିବର୍ତ୍ତୀ କାର୍ଯ୍ୟପନ୍ଥା ଭାବେ ଟେଣ୍ଡର ଆହ୍ୱାନ, କେନ୍ଦ୍ରୀକୃତ ଆଇସିଟି ଲ୍ୟାବ୍‍ ତିଆରି ପାଇଁ ସଂସ୍ଥା ଚୟନ ଆଦି କୌଣସି ପ୍ରକ୍ରିୟା କରିନଥିଲେ ।

ରୁସା କାର୍ଯ୍ୟକାରୀ କରିବାପାଇଁ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍‍ ଆଇସିଟି ଲ୍ୟାବ୍‍ ପ୍ରତିଷ୍ଠା ପରିବର୍ତ୍ତେ ପ୍ରତ୍ୟେକ ଅଧ୍ୟାପକ ଓ ପ୍ରଶାସନିକ ବିଭାଗକୁ ଲାପ୍‍ଟପ୍‍ ଓ ଡେସ୍କଟପ୍‍ ଦେବାପାଇଁ ୨୦୨୦ରେ ସ୍ଥିର କରିଥିଲେ । ସେଥିପାଇଁ ୨୦୨୧ ଅପ୍ରେଲରୁ ଜୁଲାଇ ମଧ୍ୟରେ ୧୪୧ଟି ଡେସ୍କଟପ୍‍, ୮୮ଟି ଲାପ୍‍ଟପ୍‍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ୧.୮୩ କୋଟି ଟଙ୍କାରେ କିଣାଯାଇଥିଲା ।
ଆଇସିଟି ଲ୍ୟାବ୍‍ ପରିବର୍ତ୍ତେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଶିକ୍ଷାଦାନ ବିଭାଗ ଏବଂ ପ୍ରଶାସନିକ ବିଭାଗ ମଧ୍ୟରେ ଡେସ୍କଟପ୍‍ ଏବଂ ଲାପ୍‍ଟପ୍‍ ବଣ୍ଟନ କରାଯାଇଥିଲା । ତେବେ ଷ୍ଟୋରରେ ୧୬ଟି ଲାପ୍‍ଟପ୍‍ ପଡି ରହିଥିଲା ଏବଂ ଦୁଇଟି ଲାପ୍‍ଟପ୍‍ କେଉଁଠାରେ ଅଛି ତାହା ବିଶ୍ୱବିଦ୍ୟାଳୟର ରେକର୍ଡରେ ନଥିଲା । ଅନ୍ୟ ଉଦ୍ଦେଶ୍ୟରେ କମ୍ପ୍ୟୁଟର ବ୍ୟବହାର କରିବାପାଇଁ ବିଶ୍ୱବିଦ୍ୟାଳୟ ଭାରତ ସରକାର କିମ୍ବା ଓଡିଶା ସରକାରଙ୍କର ଅନୁମୋଦନ ନେଇନଥିଲା ।

ଏହା ଫଳରେ କମ୍ପ୍ୟୁଟର, ଲାପ୍‍ଟପ୍‍ ଇତ୍ୟାଦି କ୍ରୟ ପାଇଁ କେବଳ ୧.୮୩ କୋଟି ଟଙ୍କା ଅନିୟମିତ ଭାବରେ ଖର୍ଚ୍ଚ ହୋଇଥିଲା ତାହା ନୁହେଁ, ବରଂ କ୍ରୟ ପରେ ୧୧.୧୬ ଲକ୍ଷ ଟଙ୍କା ମୂଲ୍ୟର ୧୬ଟି ଲାପ୍‍ଟପ୍‍ ଦୁଇ ବର୍ଷରୁ ଅଧିକ ସମୟ ପାଇଁ ବ୍ୟବହାର ନହୋଇ ପଡି ରହିଥିଲା । ଏଥି ସହିତ ୧.୩୯ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଲାପ୍‍ଟପ୍‍ର ହିସାବ ବି ନଥିଲା ।

କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ କୋଭିଡ ସମୟରେ ଘରୁ ଶିକ୍ଷ ଏବଂ ଗବେଷଣା ଛାତ୍ରଛାତ୍ରୀଙ୍କ ପାଖରେ ଇ-ସାଧନ ଗୁଡିକ ପହଞ୍ଚାଇବାପାଇଁ ଡେସ୍କଟପ୍‍/ଲାପଟପ୍‍ କ୍ରୟ ଏବଂ ବିତରଣ କରିବାକୁ ବିଶ୍ୱବିଦ୍ୟାଳୟ ସ୍ଥିର କରିଥିଲା । ହିସାବ ନଥିବା ଦୁଇଟି ଲାପ୍‍ଟପ୍‍କୁ ଖୋଜିବା ଏବଂ ଫେରସ୍ତ ପାଇଁ ଷ୍ଟୋରଗୁଡିକୁ କୁହାଯାଇଛି । ତେବେ ସିଏଜି ଦର୍ଶାଇଛନ୍ତି ଯେ ଏଭଳି ଉତ୍ତର ସନ୍ତୋଷଜନକ ନୁହେଁ । କାରଣ ଅଫ୍‍ଲାଇନ୍‍ ମୋଡରେ ଶିକ୍ଷାଦାନ କାର୍ଯ୍ୟକଳାପ ଆରମ୍ଭ ହେବାପରେ ମଧ୍ୟ ଦିଆଯାଇଥିବା କମ୍ପ୍ୟୁଟର ଫେରାଇ ଆଣିବାକୁ କୌଣସି ପଦକ୍ଷେପ ନେଇନଥିଲେ । (ତଥ୍ୟ)