ଭୁବନେଶ୍ୱର : ଓଡିଶାରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବଢୁଥିବାବେଳେ କ୍ଷୁଦ୍ର, ମଧ୍ୟମ ଓ ବଡ ଚାଷୀଙ୍କ ସଂଖ୍ୟା ଉଦବେଗଜନକ ଭାବେ କମି କମି ଯାଉଛି । ଏହାର ସିଧାସଳଖ ପ୍ରଭାବ ଚାଷୀମାନଙ୍କ ଆୟ ବୃଦ୍ଧି ଉପରେ ପଡୁଛି ।
ଗତ ଦୁଇଟି କୃଷି ଗଣନା ହିସାବ ମୁତାବକ ଓଡିଶାରେ ଚାଷୀଙ୍କ ସଂଖ୍ୟା ୪୬ଲକ୍ଷ ୬୭ହଜାରରୁ ୪୮ଲକ୍ଷ ୬୫ହଜାରକୁ ବୃଦ୍ଧି ପାଇଛି ବୋଲି ଦର୍ଶାଯାଉଥିବାବେଳେ ବଡଚାଷୀଙ୍କ ସଂଖ୍ୟା ୫୫୭୪ରୁ ୩୯୭୫କୁ ହ୍ରାସ ପାଇଥିବାବେଳେ ମଧ୍ୟମ କିସମ ଚାଷୀଙ୍କ ସଂଖ୍ୟା ୩ଲକ୍ଷ ୭୫ହଜାରରୁ ୩ଲକ୍ଷ ୩୮ହଜାରକୁ କମିଛି । ସେହିଭଳି କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ମଧ୍ୟ ବିଗତ ଦୁଇ କୃଷି ଗଣନା ଭିତରେ ୯ଲକ୍ଷ ୧୮ହଜାରରୁ ୮ଲକ୍ଷ ୮୭ହଜାରକୁ କମିଛି ।
କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ବିଭିନ୍ନ କାରଣରୁ ବହୁ ପାରମ୍ପରିକ ଚାଷୀ ଚାଷରୁ ମୁହଁ ଫେରାଇ ନେଉଥିବାରୁ ବ୍ୟାପକ ଚାଷଜମି ପଡିଆ ପଡୁଛି । ଏ କ୍ଷେତ୍ରରେ ବଡ, ମଧ୍ୟମ, କ୍ଷୁଦ୍ର ଚାଷୀମାନଙ୍କ ଠାରୁ ନାମମାତ୍ର ଚାଷୀମାନେ କିଛି କିଛି ଜମି ନେଇ ଚାଷ କରୁଛନ୍ତି । ସରକାରୀ ତଥ୍ୟ ମୁତାବକ ଓଡିଶାରେ ଏବେ ଖରିଫ ଋତୁରେ ପ୍ରାୟ ୫ଲକ୍ଷ ୮୮ହଜାର ହେକ୍ଟର ଓ ରବି ଋତୁରେ ପାଖପାଖି ୩୪ଲକ୍ଷ ହେକ୍ଟର ଜମି ପଡିଆ ରହୁଛି । ତେବେ ଚାଷ ହେଉଥିବା ଜମିର ପରିମାଣ କିଞ୍ଚିତ ପରିମାଣରେ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।
ରାଜ୍ୟରେ ଯେତେ ଜମିରେ ଚାଷ ହେଉଛି ସେଥିରୁ ଅଧିକାଂଶରେ ଧାନ ଚାଷ କରାଯାଉଛି । ପଳରେ ଡାଲି, ତୈଳବୀଜ, କପା, ପନିପରିବା ଓ ଆଖୁ ଭଳି ଅର୍ଥକରୀ ଫସଲ ଚାଷ କମ୍ ହେଉଥିବାରୁ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ପାଖରେ ହାତ ପତାଇବାକୁ ପଡୁଛି । ଯେତିକି ଜମିରେ ବି ଅର୍ଥକରୀ ଫସଲ କରାଯାଉଛି ତାହାର ପ୍ରକ୍ରିୟାକରଣ ଓ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ନାମମାତ୍ର ମୂଲ୍ୟରେ କିଣି ନେଉଛନ୍ତି । ଫଳରେ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିବାରୁ ଏବଂ ମଜୁରୀ ଠାରୁ ଆରମ୍ଭକରି ବିହନ, ସାର, କୀଟନାଶକ ଆଦିର ଦର ଢେର ଅଧିକ ରହୁଥିବା ପରିପ୍ରେକ୍ଷୀରେ ଅନେକ ପାରମ୍ପରିକ ଚାଷୀ ଚାଷକୁ ଆଉ ଲାଭକରୀ ପନ୍ଥାଭାବେ ଗ୍ରହଣ କରିପାରୁ ନାହାନ୍ତି ।
ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୨୦୧୩ରେ ୭୦ରେ ଓ ୨୦୧୯ରେ ୭୭ତମ ସର୍ଭେ କରାଯାଇଥିଲା । ଏଥିରେ କୃଷକ ପରିବାରର ହାରାହାରି ଆୟ ଯାହା ଦର୍ଶାଯାଉଛି ତାହା ଜାତୀୟ ଅଭିବୃଦ୍ଧି ତୁଳନାରେ ଓଡିଶାରେ ଅତି ନଗଣ୍ୟ ରହୁଛି । ଏହି ଦୁଇଟି ପରିକ୍ରମା ଭିତରେ ସର୍ବଭାରତୀୟ ସ୍ତରରେ କୃଷକ ପରିବାରର ମାସିକ ହାରାହାରି ଆୟ ୬୪୨୬ ଟଙ୍କାରୁ ୧୦,୨୧୮ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଓଡିଶାରେ ତାହା ୪୯୭୬ ଟଙ୍କାରୁ ୫୧୧୨ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଜାତୀୟ ସ୍ତରରେ କୃଷକ ପରିବାରର ମାସିକ ହାରାହାରି ଆୟ ଯାହା ଦର୍ଶାଯାଉଛି ଓଡିଶାରେ ତାହାର ପରିମାଣ ପ୍ରାୟ ଅଧା ।
ସ୍ୱାଧୀନତାର ୭୮ବର୍ଷ ଭିତରେ ଓଡିଶାର ଅଧା ଜମିକୁ ବି ଜଳସେଚନ କରାଯାଇ ପାରିନାହିଁ । ହୀରାକୁଦ, ମାଛକୁଣ୍ଡ, ଇନ୍ଦ୍ରାବତୀ, କୋଲାବ, ରେଙ୍ଗାଳି ଆଦି ଅନେକ ଜଳସେଚନ ଯୋଜନା ଅବଶ୍ୟ ହୋଇଛି । ତେବେ ବିଭିନ୍ନ କାରଣରୁ ନଦୀଗୁଡିକରେ ଜଳପ୍ରବାହ ଉଦବେଗଜନକ ଭାବେ ହ୍ରାସ ପାଉଥିବାରୁ ରବି ଋତୁରେ ସଂଖ୍ୟାଧିକ କ୍ଷେତ୍ରରେ ନଦୀବନ୍ଧ ଜଳସେଚନ ଉପରେ ଭରସା କରି ହେଉନାହିଁ । ରାଜ୍ୟର ପ୍ରାୟ ସବୁ ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ଏଥିରୁ କଳ କାରଖାନା ଓ ଖଣି ସଂସ୍ଥାମାନେ ବ୍ୟାପକ ପାଣି ଉଠାଉଛନ୍ତି । ଅନ୍ୟ ପକ୍ଷରେ ଭୂତଳ ଜଳସ୍ତର ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ହ୍ରାସ ପାଉଥିବାରୁ ଉଠା ଜଳସେଚନ ବ୍ୟବସ୍ଥା ମଧ୍ୟ କ୍ରମଶଃ ବିପଦସଙ୍କୁଳ ହୋଇପଡୁଛି । (ତଥ୍ୟ)