ଭୁବନେଶ୍ୱର : ରାଜ୍ୟରେ ରୋଗୀମାନଙ୍କୁ ଯୋଗାଯାଉଥିବା ମାଗଣା ଔଷଧର ତାଲିକା ବୃଦ୍ଧି ପାଉଥିବାବେଳେ ଏ ବାବଦୀୟ ଖର୍ଚ୍ଚ କିନ୍ତୁ କମିବାରେ ଲାଗିଛି । ଏଭଳି ସ୍ଥଳେ ରୋଗୀମାନେ କିଭଳି ଗୁଣାତ୍ମକ ଔଷଧ ପାଇବେ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
ରାଜ୍ୟ ସରକାର ନିରାମୟ ଯୋଜନାରେ ରୋଗୀମାନଙ୍କୁ ସରକାରୀ ଚିକିତ୍ସାଳୟରେ ମାଗଣା ଔଷଧ ଯୋଗାଇ ଦେଉଛନ୍ତି । ଏଥିପାଇଁ ଗଠନ ହୋଇଛି ରାଜ୍ୟ ଔଷଧ ନିଗମ । ସରକାର ବ୍ୟୟବରାଦ କରିବାପରେ ଔଷଧ ନିଗମ ଟେଣ୍ଡର ଜରିଆରେ ଔଷଧ ଖରିଦ କରିଥାଏ । ୨୦୧୭-୧୮ ବର୍ଷରେ ରାଜ୍ୟ ସରକାର ରୋଗୀମାନଙ୍କ ପାଇଁ ୩୯୫ ପ୍ରକାରର ଔଷଧ ଖରିଦ କରିଥିବାବେଳେ ଏଥିପାଇଁ ୧୬୪ କୋଟି ଟଙ୍କା ବ୍ୟୟ କରିଥିଲେ ।
ଏହା ପରଠାରୁ ବର୍ଷକୁ ବର୍ଷ ଔଷଧର ପ୍ରକାର ସହିତ ସରକାରଙ୍କର ବ୍ୟୟ ଅଟକଳ ବଢି ବଢି ଚାଲିଥିଲା । ୨୦୨୧-୨୨ ବର୍ଷରେ ଖରିଦ ହୋଇଥିବା ଔଷଧର ପ୍ରକାର ୫୯୭ ଥିବାବେଳେ ସରକାର ୫୨୬ କୋଟି ଟଙ୍କା ମୂଲ୍ୟର ଔଷଦ ଖରିଦ କରିଥିଲେ । ତେବେ ଏହା ପରବର୍ଷ ଯଦିଓ ଔଷଧର ପ୍ରକାର ବୃଦ୍ଧି ପାଇ ୬୭୮ରେ ପହଞ୍ଚିଥିଲା କିନ୍ତୁ ସରକାରଙ୍କର ଔଷଧ ଖରିଦ ବାବଦୀୟ ବ୍ୟୟ ପରିମାଣ ୫୨୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା ।
୨୦୨୩-୨୪ ବର୍ଷରେ ଖରିଦ ହୋଇଥିବା ଔଷଧର ପ୍ରକାର ୫୯୫କୁ ହ୍ରାସ ପାଇଥିବାବେଳେ ସରକାର କିନ୍ତୁ ୬୩୦ କୋଟି ୩୬ଲକ୍ଷ ଟଙ୍କାର ଔଷଧ କିଣିଥିଲେ । ଚଳିତ ଆର୍ଥିକ ବର୍ଷରେ ସରକାର ୭୪୧ ପ୍ରକାରର ଔଷଦ ଖରିଦ କରିଥିବାବେଳେ ଏ ବାବଦରେ କିନ୍ତୁ ୪୪୯ କୋଟି ୪୩ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ରାଜ୍ୟରେ ଔଷଧର ଆବଶ୍ୟକତା ବୃଦ୍ଧି ପାଉଥିବାବେଳେ ହଠାତ୍ ଖରିଦ ପରିମାଣ ହ୍ରାସ ପାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରାଜ୍ୟ ସରକାର ଟେଣ୍ଡର ଜରିଆରେ ରୋଗୀମାନଙ୍କ ପାଇଁ ସିଧାସଳଖ ଔଷଧ କିଣି ଯୋଗାଇ ଦେଉଥିବାବେଳେ ବରାଦ ଅର୍ଥରୁ ୧୦ ପ୍ରତିଶତ ଜିଲ୍ଲାମାନଙ୍କୁ ଏବଂ ୩୦ ପ୍ରତିଶତ ଅର୍ଥ ମେଡିକାଲ କଲେଜଗୁଡିକୁ ଯୋଗାଇ ଦିଆଯାଇଛି । ଅତ୍ୟାବଶ୍ୟକ ସ୍ଥଳେ ଏହି ଅର୍ଥରେ ସେମାନେ ଔଷଧ କିଣି ରୋଗୀଙ୍କୁ ଯୋଗାଇଦେବେ । ତେବେ ଏହି ଅର୍ଥରେ ସାଧାରଣ ରୋଗୀମାନେ ଔଷଧ ପାଇବା ଏତେ ସହଜ ହେଉନାହିଁ । ତେଣୁ ଏହି ଅର୍ଥରେ କିଭଳି ଓ କେତେ ପରିମାଣର ଔଷଧ କେଉଁଠାରୁ ଖରିଦ ହେଉଛି ତାହାର ନିୟମିତ ସମୀକ୍ଷା କରାଯିବା ପାଇଁ ମତପ୍ରକାଶ ପାଉଛି ।
ବର୍ତ୍ତମାନ ସରକାରୀ ଚିକିତ୍ସାଳୟଗୁଡିକରେ ରୋଗୀମାନଙ୍କୁ ବାହାରୁ ଔଷଧ ନଲେଖିବାପାଇଁ ଡାକ୍ତରମାନଙ୍କୁ କଡା ତାଗିଦ କରାଯାଇଛି । ତେଣୁ ସେମାନେ ସରକାରଙ୍କ ଔଷଧ ତାଲିକା ଅନୁଯାୟୀ ପ୍ରେସକ୍ରିପସନ ଲେଖୁଛନ୍ତି । ହେଲେ ସରକାରୀ ଯେଭଳି ଭାବେ ଔଷଧ ଖରିଦ ପରିମାଣ ହ୍ରାସ କରୁଛନ୍ତି ତାହା ଫଳରେ ନିୟମିତ ଭାବେ ସରକାରୀ ଔଷଧ ସେବନ କରୁଥିବା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଥାଇରଏଡ୍ ଆଦି ରୋଗୀମାନେ ପ୍ରଭାବିତ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)