Home Finance କମୁଛି ଋଣ ବୋଝ

କମୁଛି ଋଣ ବୋଝ

ଭୁବନେଶ୍ୱର : ସମସ୍ତ ପ୍ରକାର ଆହ୍ୱାନ ସତ୍ୱେ ଗତ ଦୁଇବର୍ଷ ଧରି ରାଜ୍ୟ ସରକାରଙ୍କ ସଫଳ ଆର୍ଥିକ ପରିଚାଳନା ଯୋଗୁଁ ରାଜ୍ୟର ଋଣବୋଝ ହ୍ରାସ ପାଇଛି । ପ୍ରତିବର୍ଷ ଋଣବୋଝ ବଢୁଥିବାବେଳେ ଗତ ଦୁଇ ବର୍ଷରେ ଏହା ୧୬,୮୨୫.୬୨ କୋଟି ଟଙ୍କା ହ୍ରାସ ପାଇଛି । ରାଜ୍ୟର ଏହି ସଫଳ ଆର୍ଥିକ ପରିଚାଳନା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଏହାର ଶ୍ରେୟ ଯାଇଛି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ନିକଟକୁ ।

ଆର୍ଥିକ ପରିସଂଖ୍ୟାନ ଅନୁଯାୟୀ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧାର ରାଜ୍ୟର ମୋଟ୍‍ ଋଣ ବୋଝ ୯୨,୭୭୫.୧୮ କୋଟି ଟଙ୍କା ରହିଥିଲା ଯାହା କି ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦନ (ଜିଏସ୍‍ଡିପି)ର ୧୭.୮ ପ୍ରତିଶତ । କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବ ଯୋଗୁଁ ୨୦୨୨-୨୧ ବର୍ଷରେ ରାଜ୍ୟର ଋଣଭାର ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଥିଲା । ତେବେ ୨୦୨୧-୨୨ ବର୍ଷରେ ଋଣ ଭାରରେ ୭୨୪୭.୨୫ ଟଙ୍କା ହ୍ରାସ ପରିଲକ୍ଷିତ ହୋଇଥିଲା ।

ଏହି ବର୍ଷ ରାଜ୍ୟ ସରକାର ଋଣର ସୁଧ ବାବଦକୁ ୬୩୪୨.୪୫ କୋଟି ଟଙ୍କା ପରିଶୋଧ କରିଥିଲେ । ତେଣୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର ୯୭,୨୦୫ କୋଟି ଟଙ୍କା ଥିଲା । ୨୦୨୨-୨୩ ବର୍ଷରେ ରାଜ୍ୟର ଋଣଭାର ୯୫୭୮.୩୭ କୋଟି ଟଙ୍କା ହ୍ରାସ ପାଇ ଚଳିତବର୍ଷ ଜାନୁୟାରୀ ଶେଷ ସୁଦ୍ଧା ଏହା ୮୭,୬୨୬ କୋଟି ଟଙ୍କା ହୋଇଛି ଯାହାକି ଜିଏସ୍‍ଡିପିର ୧୧.୫ ପ୍ରତିଶତ । ତେବେ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍‍ ଋଣଭାର ୯୭,୦୩୭ କୋଟି ଟଙ୍କାକୁ ବଢିବାର ଆକଳନ କରାଯାଇଛି ଯାହାକି ରାଜ୍ୟ ଜିଏସ୍‍ଡିପିର ୧୨.୭ ପ୍ରତିଶତ ହେବ ।

ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆଉ ୧୫ହଜାର କୋଟି ଟଙ୍କା ଋଣ ଯୋଜନା କରିଥିବାରୁ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧ଲକ୍ଷ ୧୨ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ଋଣ କ୍ଷମତା ଜିଏସ୍‍ଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ଥିବାବେଳେ ୨୦୦୨-୦୩ ରେ ଏଡା ୫୦.୭ ପ୍ରତିଶତ ରହିଥିଲା ଯାହାକୁ ରାଜ୍ୟ ସରକାର ହ୍ରାସ କରିବାରେ ଲାଗିଛନ୍ତି ।

ପଞ୍ଚଦର୍ଶ ଅର୍ଥ କମିଶନ ଏବଂ ଓଡିଶା ଏଫଆରବିଏମ୍‍ ଅଧିନିୟମ, ୨୦୦୫ ସୁପାରିଶ୍‍ କରିଛନ୍ତି ଯେ ଋଣ ସୀମା ଜିଏସ୍‍ଡିପିର ୨୫ ପ୍ରତିଶତ ମଧ୍ୟରେ ରହିବ । ବର୍ତ୍ତମାନ ରାଜ୍ୟର ଋଣ ପରିମାଣ ଏହି ସୀମା ମଧ୍ୟରେ ରହିଛି । ତଦନୁଯାୟୀ ଦୀର୍ଘ ବର୍ଷ ପରେ ରାଜ୍ୟର ମୁଣ୍ଡପିଛା ଋଣ ଭାର ହ୍ରାସ ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୨୩,୭୬୧ ଟଙ୍କା ଥିବାବେଳେ ଚଳିତ ବର୍ଷ ଜାନୁୟାରୀ ଶେଷସୁଦ୍ଧା ତାହା ୧୯,୮୨୫ ଟଙ୍କାକୁ ହ୍ରାସ ପାଇଛି । (ତଥ୍ୟ)