Home News in Odia କମିଶନରେଟ ଅଞ୍ଚଳରେ ସର୍ବାଧିକ ଅପରାଧ

କମିଶନରେଟ ଅଞ୍ଚଳରେ ସର୍ବାଧିକ ଅପରାଧ

ଭୁବନେଶ୍ୱର : ଅପରାଧ ସଂଗଠିତ କ୍ଷେତ୍ରରେ ରାଜ୍ୟର ଯେକୌଣସି ଜିଲ୍ଲା ତୁଳନାରେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ୍‍ ଅଞ୍ଚଳ ସର୍ବାଧିକ ରହିଥିବାବେଳେ କେବଳ ଭୁବନେଶ୍ୱର ସହରାଞ୍ଚଳର ଅପରାଧ ସଂଖ୍ୟା ଗଞ୍ଜାମ ଜିଲ୍ଲା ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

କମିଶନରେଟ ପୁଲିସ୍‍ ଅଞ୍ଚଳରେ ଯଦିଓ ୨୦୨୪ ତୁଳନାରେ ୨୦୨୫ରେ ଅପରାଧ ସଂଖ୍ୟା ହ୍ରାସ ପାଇଛି ତଥାପି ଏହା କୌଣସି ଜିଲ୍ଲା ତୁଳନାରେ ସର୍ବାଧିକ ରହିଛି । ୨୦୨୪ ମସିହାରେ କମିଶନରେଟ ପୁଲିସ୍‍ ଅଞ୍ଚଳରେ ବିଭିନ୍ନ ପ୍ରକାରର ୨୧,୬୯୬ଟି ମାମଲା ଘଟିଥିବାବେଳେ ୨୦୨୫ରେ ତାହା ୧୮,୫୭୫କୁ ହ୍ରାସ ପାଇଛି । ଅବଶ୍ୟ ପୁଲିସ୍‍ ରେକର୍ଡରେ ସମଗ୍ର ରାଜ୍ୟରେ ମଧ୍ୟ ଏହି ସମୟରେ ମାମଲା ସଂଖ୍ୟା ୨ଲକ୍ଷ ୧୪ ହଜାରରୁ ୧ଲକ୍ଷ ୬୯ହଜାରକୁ କମିଆସିଛି ।

ଗତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪ହଜାର ମାମଲା ସଂଗଠିତ ହୋଇଥିବାବେଳେ କମିଶନରେଟ ପୁଲିସର ଭୁବନେଶ୍ୱର ସହରାଞ୍ଚଳରେ ଦ୍ୱିତୀୟ ସର୍ବାଧିକ ୧୧,୩୪୨ ମାମଲା ସଂଗଠିତ ହୋଇଥିଲା । ତୃତୀୟ ସ୍ଥାନରେ ରହିଛି ଅନୁଗୁଳ ଜିଲ୍ଲା । ଏହି ଜିଲ୍ଲାରେ ଗତବର୍ଷ ୯୯୦୧ଟି ଅପରାଧ ସଂଗଠିତ ହୋଇଛି । ତେବେ ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ୧୩୪୬ଟି ମାମଲା ସଂଗଠିତ ହୋଇଥିବା ଜଣାଯାଇଛି ।

କମିଶନରେଟ ପୁଲିସ୍‍ ଅଞ୍ଚଳରେ ରେକର୍ଡ ସଂଖ୍ୟକ ଅପରାଧ ସଂଗଠିତ ହେବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାପାଇଁ କମିଶନରେଟ ପୁଲିସ୍‍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଶେଷକରି ରାତ୍ରୀକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ନିୟମିତ ଭାବେ କମିଶନରେଟ ପୁଲିସ ଅଞ୍ଚଳରେ ବ୍ଲକିଂ ଓ ଚେକିଂ ଆଦି କରାଯିବା ସହିତ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାନବାହାନ ଚଳାଚଳ ଉପରେ କଡା ନଜର ରଖାଯାଇଛି ।

ତେବେ କମିଶନରେଟ ପୁଲିସ୍‍ ଅଞ୍ଚଳରେ ନିଶାର ବହୁଳ ପ୍ରସାର ଏବେ ଅପରାଧକୁ ଉପରମୁହାଁ କରୁଥିବା ନେଇ ଅଭିଯୋଗ ହେଉଛି । ନିଶାଡିମାନେ ବିଭିନ୍ନ ସ୍ଥାନରେ ଛିନତାଇ ସହିତ ଦୁର୍ଘଟଣା ଘଟାଉଛନ୍ତି । ନିଶା ପାଇଁ ସହରରେ ଛୋଟବଡ ଚୋରି ବି କରୁଛନ୍ତି । ନିଶାଡିମାନଙ୍କୁ ନିୟନ୍ତ୍ରଣ ପାଇଁ ପୂର୍ବତନ ପୁଲିସ୍‍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ଯେଉଁ ମାଗଦର୍ଶିକା ଜାରି ହୋଇଥିଲା ତାହାକୁ କଡାକଡିଭାବେ ପାଳନ କରାଗଲେ ଏଠାରେ ଅପରାଧ ରୋକାଯାଇ ପାରନ୍ତା ବୋଲି ମତପ୍ରକାଶ ପାଉଛି ।

ସେହିଭଳି ସହରର କାୟା ବିସ୍ତାର ସହିତ ତାଳ ଦେଇ ରାଜଧାନୀରେ ବେଆଇନ୍‍ ବସ୍ତିସଂଖ୍ୟା ବୃଦ୍ଧି ପାଇବା ଫଳରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ୍‍କୁ ନାକେଦମ ହେବାକୁ ପଡୁଛି । କାରଣ ଏହିସବୁ ବସ୍ତିରେ କେଉଁଠାରୁ କିଏ ସବୁ ଆସି ରହୁଛନ୍ତି ତାହାର ହିସାବ କାହାରି ପାଖରେ ରହୁନାହିଁ । ଏହା ଏବେ ଅପରାଧି ଓ ନିଶା ବେପାରୀଙ୍କୁ ବେଶ୍‍ ସୁହାଉଛି । ଏହା ଉପରେ ନଜର ରଖାନଗଲେ ଆଗାମୀ ଦିନରେ ଅପରାଧ କ୍ଷେତ୍ରରେ କମିଶନରେଟ ପୁଲିସ୍‍ ନୂଆ ନୂଆ ରେକର୍ଡ କରିବ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)