Home News in Odia କମିଶନରଙ୍କ ମାର୍ଗଦର୍ଶିକା ପାଳନ କରୁନି ପୁଲିସ୍‍

କମିଶନରଙ୍କ ମାର୍ଗଦର୍ଶିକା ପାଳନ କରୁନି ପୁଲିସ୍‍

ଭୁବନେଶ୍ୱର : ଚୋରା ମଦ ବେପାରୀଙ୍କ ଉପରେ କମିଶନରେଟ ପୁଲିସ୍‍ ବୁଲଡୋଜର ଚଢାଉଥିବାବେଳେ ମଦ ଦୋକାନୀଙ୍କ ପାଇଁ ଖୋଦ୍‍ ପୁଲିସ୍‍ କମିଶନର ଜାରି କରିଥିବା ମାଗଦର୍ଶିକାକୁ କିନ୍ତୁ ପାଳନ କରୁନାହିଁ । ଫଳରେ ମଦ ଦୋକାନ ଆଖପାଖ ସମେତ ସହରର ରାଜରାସ୍ତାରେ ମଦୁଆମାନେ ଉତ୍ପାତ କରୁଛନ୍ତି ।

ସହରରେ ମଦୁଆଙ୍କ ଉତ୍ପାତକୁ ଦେଖି ପୂର୍ବତନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦଦୋକାନୀଙ୍କ ପାଇଁ ଗୋଟିଏ ମାର୍ଗଦର୍ଶିକା ଜାରି କରିଥିଲେ । ଏଥିରେ ସ୍ପଷ୍ଟଭାବେ ଦର୍ଶାଯାଇଥିଲା ଯେ କୌଣସି ମଦ ଦୋକାନ ଆଖପାଖରେ ଚାଖଣା ଦୋକାନ ରହିବନାହିଁ । ଯଦି ରହିଲା ସେଥିପାଇଁ ମଦଦୋକାନୀମାନେ ଦାୟୀ ରହିବେ । ପୁଲିସ୍‍ ମଧ୍ୟ ଏହି ଚାଖଣା ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ହେଲେ ଏହି ମାର୍ଗଦର୍ଶିକା ଏକ ପ୍ରକାର ଅଳିଆ ଗଦାରେ ପଡିଛି । ସହରରେ ଥିବା ମଦଦୋକାନ ଆଖପାଖରେ ମାଳ ମାଳ ଚାଖଣା ଦୋକାନ । ଅନ୍ୟ ଦୋକାନୀ ବି ମଦୁଆ ଗରାଖଙ୍କୁ ଦେଖି ଚାଖଣା ସାମଗ୍ରୀ ରଖୁଛନ୍ତି ।

ଏହା ଫଳରେ ସହରରେ ଥିବା ଠିପିବନ୍ଦ ମଦ ଦୋକାନ ଆଖପାଖରେ ଠିପିଖୋଲା ପରିବେଶ ସୃଷ୍ଟି ହୋଇଛି । ମଦୁଆମାନେ ଦୋକାନରୁ ମଦ ବୋତଲ ଧରି ସିଧା ଚାଖଣା ଦୋକାନରେ ପହଞ୍ଚୁଛନ୍ତି ଓ ସେହିଠାରେ ଚାଖଣା ସହିତ ମଦ ପିଇ ଝୁଲି ଝୁଲି ରାସ୍ତାରେ ଯାଉଛନ୍ତି । କିଏ ଦୁର୍ଘଟଣାର ଶିକାର ହେଉଛି ତ ଆଉ କିଏ ଦୁର୍ଘଟଣା ଘଟାଉଛି । ଅନେକ ପୁଲିସ୍‍ ହାବୁଡରେ ପଡି ମୋଟା ଅଙ୍କର ତଣ୍ଡ ଗଣି ଫେରୁଛନ୍ତି । ସହରରେ ପଇଁତରା ମାରୁଥିବା ପିସିଆର ଗାଡିଗୁଡିକ ବି ଏହି ଚାଖଣା ଦୋକାନୀଙ୍କୁ ଦେଖି ନଦେଖିଲା ଭଳି ହେଉଛି । ସଞ୍ଜ ନଇଁଲେ ଅନେକ ମଦଦୋକାନ ନିକଟରେ ଉଠା ଚାଖଣା ଦୋକାନର ପସରା ଖୋଲୁଛି ।

ସେହିଭଳି ମାର୍ଗଦର୍ଶିକାରେ ଥିଲା ଯେ ସମସ୍ତ ମଦ ଦୋକାନୀ ନିଜ ଦୋକାନ ସାମ୍ନାରେ ଗ୍ରାହକଙ୍କ ଦେଖିହେଲା ଭଳି ସିସିଟିଭି ଖଞ୍ଜିବେ । ଏଥିରେ ମଦ ଦୋକାନାକୁ ଆସୁଥିବା ସମସ୍ତ ଲୋକେ ଯେଭଳି ଦୃଶ୍ୟମାନ ହେବେ । ପୁଲିସ୍‍ ଯେଉଁ ମୂହୂର୍ତ୍ତରେ ସିସିଟିଭି ଦେଖିବାକୁ ଚାହିଁବ ମଦ ଦୋକାନୀମାନେ ତାହାକୁ ଦେଖାଇବା ବାଧ୍ୟତାମୂଳ । ଏହି ସିସିଟିଭିରେ ଅତି କମ୍‍ରେ ଗୋଟିଏ ମାସର ତଥ୍ୟ ସଂରକ୍ଷିତ ହୋଇ ରହିବ । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ଅଧିକାଂଶ ଅପରାଧି ମଦ ଦୋକାନକୁ ଆସିଥାନ୍ତି । ଏଠାରୁ ମଦ ନେଇ ପିଇଲା ପରେ ଅପରାଧ ଘଟାଇଥାନ୍ତି । ତେଣୁ ସେମାନଙ୍କୁ ସହଜରେ ଧରିବାପାଇଁ ଏଭଳି ମାର୍ଗଦର୍ଶିକା ଜାରି ହୋଇଥିଲା ।

ତେବେ ମଦ ଦୋକାନୀମାନେ ଯେଉଁ ସିସିଟିଭି ଲଗାଉଛନ୍ତି ତାହା କେବଳ ନିଜର ସୁରକ୍ଷାପାଇଁ । ଅବଶ୍ୟ ପୁଲିସ୍‍ କେଉଁଠାରେ ମଦ ଦୋକାନର ସିସିଟିଭି ଉଣ୍ଡାଳି ଅପରାଧିଙ୍କୁ ଧରିବାର କୌଣସି ନଜିର ଦେଖିବାକୁ ମିଳୁନାହିଁ । ଏହାଛଡା ମଦ ଦୋକାନୀମାନେ ମଦୁଆଙ୍କୁ ଆକର୍ଷିତ କଲାଭଳି ରଙ୍ଗ ବେରଙ୍ଗର ହୋର୍ଡିଂ ନଲାଇବାକୁ କୁହାଯାଇଥିଲା । ଯଦିଓ ତାହାକୁ ଅନେକ ମାନିଛନ୍ତି, ଏବେ କିନ୍ତୁ ମଦୁଆମାନେ କିଭଳି ଆକର୍ଷିତ ହେବେ ସେଥିପାଇଁ ଏବେ ଦୋକାନକୁ ରଙ୍ଗ ବେରଙ୍ଗର ଆଲୋକରେ ସଜାଉଛନ୍ତି ।

ପୁଲିସ୍‍ କମିଶନରଙ୍କ ଏଭଳି ମାର୍ଗଦର୍ଶିକାକୁ ଖୋଦ କମିଶନରେଟ ପୁଲିସ୍‍ କଡାକଡି ପାଳନ କରୁନଥିବାରୁ ସହରରେ ଥିବା ମଦ ଦୋକାନ ଆଗରେ ଏବେ ନାହିଁ ନଥିବା ଭିଡ । ଏପରିକି ହାଟ ବଜାର ନିକଟରେ ଥିବା ମଦ ଦୋକାନ ବାଟ ଦେଇ ସାଧାରଣ ଲୋକେ, ମହିଳା ଓ ଶିଶୁମାନେ ଯିବା ମୁସ୍କିଲ ହୋଇ ପଡିଲାଣି । କମିଶନରେଟ ପୁଲିସ୍‍ର ପିସିଆର ସବୁକିଛି ଦେଖୁଥିଲେ ବି କାହିଁକି ମଦ ଦୋକାନ ସମ୍ମୁଖରେ ହେଉଥିବା ରାସ୍ତାଅବରୋଧକୁ ହଟାଉନାହିଁ ତାହା ସହରବାସୀଙ୍କ ପାଇଁ ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)