Home News in Odia କମାଣ୍ଡୋ ତାଲିମ ଦେଉଛି ଏସ୍‍ଓଜି

କମାଣ୍ଡୋ ତାଲିମ ଦେଉଛି ଏସ୍‍ଓଜି

ଭୁବନେଶ୍ୱର : ମାଓ ମୁକାବିଲାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ଓଡିଶାର ସ୍ପେଶାଲ ଅପରେସନ ଗ୍ରୁପ୍‍ (ଏସ୍‍ଓଜି ଏବେ ଅନ୍ୟ ରାଜ୍ୟର କମାଣ୍ଡୋମାନଙ୍କୁ ତାଲିମ ପ୍ରଦାନ କରୁଛି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୨୦୨ଜଣ, ଝାଡ଼ଖଣ୍ଡ(ୟୁବିଜିଏଲ୍‌) ୪୦ଜଣ, କେରଳ ୫୦ଜଣ (ପ୍ରଥମ ବ୍ୟାଚ୍‌), ମହାରାଷ୍ଟ୍ର ୩୨ଜଣ ଏବଂ ସିଆର୍‌ପିଏଫ୍‌ର ୬୦୦ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଛି ।

କେରଳ ପୋଲିସ୍ ଦ୍ୱିତୀୟ ଥର ପାଇଁ ୩୩ ଜଣ କମାଣ୍ଡୋ(ଥାଉଣ୍ଡର୍‌ବୋଲ୍ଟ) ପ୍ରଶିକ୍ଷଣ ନିମନ୍ତେ ଏସ୍‌ଓଜିକୁ ପଠାଇଛି । କେରଳରେ ଉଗ୍ରବାଦ ବିରୋଧରେ ମୁକାବିଲା କରିବା ନିମନ୍ତେ ଏହି ସ୍ୱତନ୍ତ୍ର ଫୋର୍ସକୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ବ୍ୟାଚ୍ ୮ ସପ୍ତାହ ପାଇଁ ଟ୍ରେନିଂ ନେବେ । ପ୍ରତିକୂଳ ପରିସ୍ଥିତିରେ ଯଥା ଘଂଚଜଙ୍ଗଲ ମଧ୍ୟରେ ଶତ୍ରୁର ସଫଳ ମୁକାବିଲା ଏବଂ ଶାରିରୀକ ସୁସ୍ଥତା ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି ।

ଏସ୍‌ଓଜି ତରଫରୁ କେବଳ ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ନୁହଁ ବରଂ ଅନ୍ୟ ରାଜ୍ୟର ପୋଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି । ମ୍ୟାପ୍‌ରିଡିଂ, ଅସ୍ତ୍ରଶସ୍ତ୍ର ପରିଚାଳନା, ଫାୟାରିଂ, ଫିଲ୍ଡକ୍ରାଫ୍ଟ ଭଳି ଟ୍ରେନିଂ ଦିଆଯାଉ ଥିବାବେଳେ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ରଣକୌଶଳ ସ୍ରଂକାନ୍ତରେ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି ।

ପ୍ରଶିକ୍ଷଣ ସମାପ୍ତ ହେବା ପରେ ପ୍ରତ୍ୟେକ କମାଣ୍ଡୋ ଅନ୍ଧକାର ରାତିରେ ଏକ ଅଜ୍ଞାତ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଅନାୟସରେ ଯାଇପାରିବେ । ସେମାନେ ଗୁଳି ଚାଳନା ଓ ବିସ୍ଫୋରକ ସାମଗ୍ରୀକୁ ଆତ୍ମବିଶ୍ୱାସର ସହ ପରିଚାଳନା କରିବାରେ ସକ୍ଷମ ହୋଇପାରିବେ ।

ଘଞ୍ଚ ଜଙ୍ଗଲରେ ବିନା କାହାରି ସହାୟତାରେ ୫ଦିନ ପର୍ଯ୍ୟନ୍ତ ରହିପାରିବେ । ଏହା ସହ ନିଜର ଶକ୍ତି ଏବଂ ସାମର୍ଥ୍ୟ ବଳରେ ନିଜସ୍ୱ ଜିନିଷପତ୍ର ସହ ୧୦୦ କିମି ପର୍ଯ୍ୟନ୍ତ କଷ୍ଟଦାୟକ ଯାତ୍ରା ମଧ୍ୟ କରିପାରିବେ । ତାଲିମପ୍ରାପ୍ତ କମାଣ୍ଡୋମାନେ ଦିନସାରା ଭୋକିଲା ଏବଂ ରାତ୍ରିସାରା ଜାଗ୍ରତ ରହିବାଭଳି କଷ୍ଟଦାୟକ କାର୍ଯ୍ୟ ଅନାୟସରେ କରିପାରିବେ ।

ଏହି ତାଲିମପ୍ରାପ୍ତ ବ୍ୟକ୍ତି ଜଙ୍ଗଲରେ ରହିବା ସହିତ ମାଓବାଦୀଙ୍କ ସଫଳ ମୁକାବିଲା କରିବାରେ ସେମାନଙ୍କୁ ପ୍ରସ୍‌ୁତ କରାଯିବ । ଏହାସହ ମାଓବାଦୀଙ୍କୁ ଗରିଲା ଯୁଦ୍ଧରେ ମଧ୍ୟ ପରାସ୍ତ କରିବା ନିମନ୍ତେ ସମସ୍ତ ରଣକୌଶଳ ପ୍ରଦାନ କରାଯାଉଛି ।

ଉଲ୍ଲେଖନୀୟ ଯେ ୨୦୦୪ ମସିହାରେ ସ୍ପେଶାଲ ଅପରେସନ୍ ଗ୍ରୁପ୍‌(ଏସ୍‌ଓଜି) ଗଠିତ ହୋଇଥିଲା । ଆତଙ୍କବାଦୀ ତଥା ଉଗ୍ରବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବା ନିମନ୍ତେ ଏସ୍‌ଓଜି ହେଉଛି ଏକ ସୁସଜ୍ଜିତ ସଶସ୍ତ୍ରବାହିନୀ । ରାଜ୍ୟ ପୋଲିସ୍‌ର ବିଭିନ୍ନ ୟୁନିଟ୍‌ର ଅଧିକାରୀ/କର୍ମଚାରୀଙ୍କୁ ଏସ୍‌ଓଜି ତରଫରୁ ବିଭିନ୍ନ ତାଲିମ୍ ପ୍ରଦାନ କରାଯାଇଥାଏ ।

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ତଥା ଆତଙ୍କବାଦୀଙ୍କ ବିରୋଧରେ ସଫଳ ମୁକାବିଲାର ରଣନୀତି, ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଆକ୍ରମଣକରି ସେମାନଙ୍କ ଯୋଜନାକୁ ବିଫଳ କରାଇବା ତଥା ଆତଙ୍କବାଦୀ/ଉଗ୍ରବାଦୀଙ୍କ କବ୍‌ଜାରେ ରହିଥିବା ଅଟ୍ଟାଳିକାରୁ ଧନ ଜୀବନ ସୁରକ୍ଷିତ ଭାବେ ମୁକ୍ତ କରିବା ଭଳି ବିପଜ୍ଜନକ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କମାଣ୍ଡୋମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥାଏ ।