Home General କବାଡିଆଙ୍କ ଉତ୍ପାତରେ ଲୋକେ ନୟାନ୍ତ

କବାଡିଆଙ୍କ ଉତ୍ପାତରେ ଲୋକେ ନୟାନ୍ତ

ଭୁବନେଶ୍ୱର : ରାଜଧାନୀରେ ଥିବା କବାଡିଆଙ୍କ ଉତ୍ପାତରେ ଏବେ ସ୍ଥାନୀୟ ଲୋକେ ନୟାନ୍ତ । ଅବସ୍ଥା ଏଭଳି ହୋଇଛି ଯେ ଏମାନଙ୍କ ଦ୍ୱାରା ସଂଗୃହୀତ ବର୍ଜ୍ୟ ଓ ଟ୍ରଲିରିକ୍ସା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି ।

କବାଡିଆମାନଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀର ଖାରବେଳନଗର ଅଞ୍ଚଳରେ ବସବାସ କରୁଛନ୍ତି । ରାତି ପାହିଲେ ଏମାନେ ସହର ସାରା ବୁଲି ବୁଲି ରଦ୍ଦି କାଗଜ, କାଚ, ପ୍ଲାଷ୍ଟିକ ଠାରୁ ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଥାନ୍ତି । ପ୍ରତ୍ୟେକ କବାଡିଆ ଗୋଟିଏ ଲୋଖାଏ ଟ୍ରଲିରିକ୍ସା ଧରି ବାହାରିଥାନ୍ତି । ଦିନ ସାରା ସଂଗୃହୀତ ପୁରୁଣା ସାମଗ୍ରୀ ସବୁ ଧରି ଫେରିଥାନ୍ତି ଓ ଏଗୁଡିକୁ ପୃଥକ କରିଥାନ୍ତି ।

ତେବେ କବାଡିଆମାନେ ରାସ୍ତା ଉପରେ ବର୍ଜ୍ୟ ସାମଗ୍ରୀ ସବୁ ଗଦାଇ ରଖିବା ସହିତ ତାକୁ ଏଣେତେଣେ ଫିଙ୍ଗୁ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଧଷା ଭୋଗୁଛନ୍ତି । ନିଜ ନିଜ ଘରୁ ଗାଡି ବାହାର କରିପାରୁ ନାହାନ୍ତି । ବିଏମ୍‍ସି କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କ ବର୍ଜ୍ୟ ହଟାଉ ନାହାନ୍ତି କି ସେହିସବୁ ଅଞ୍ଚଳକୁ ବର୍ଜ୍ୟ ସଂଗ୍ରହ ଗାଡିନେଉ ନାହାନ୍ତି ।

ସେହିଭଳି ଶହ ଶହ ଟ୍ରଲିରିକ୍ସାକୁ କବାଡିଆମାନେ ରାସ୍ତାଉପରେ ରଖିବା ଫଳରେ ଶ୍ରୀୟା ସିନେମା ପଛପଟେ ଥିବା ଅଞ୍ଚଳ ଏବେ ଏକ ପ୍ରକାର ଜବରଦଖଲ ଅବସ୍ଥାରେ । ସ୍ଥାନୀୟ ଲୋକେ ପ୍ରତିବାଦ କଲେ ସେମାନଙ୍କୁ ସଂଗବଦ୍ଧ ହୋଇ ଏମାନେ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି । ବିଏମ୍‍ସି ପକ୍ଷରୁ ଏଠାରେ ପେଭରବ୍ଲକ ବିଛାଯାଇ ଚକଚକିଆ ରାସ୍ତା ନିର୍ମାଣ ହୋଇଥିବାବେଳେ କବାଡିଆମାନେ ତାହାକୁ ଏକ ପ୍ରକାର ଦଖଲ କରି ରଖୁଛନ୍ତି । ଆବର୍ଜନା ଗଦାଉଛନ୍ତି । ଅବସ୍ଥା ଏଭଳି ହେଉଛି ଯେ ପୁଲିସ୍‍ ଗାଡି କିମ୍ବା ଆମ୍ବୁଲାନ୍ସ ସହଜରେ ଏହା ଭିତରକୁ ପଶିପାରୁ ନାହିଁ ।

ସେହିଭଳି କବାଡିଆମାନେ ସଂଗ୍ରହ କରୁଥିବା ପ୍ଲାଷ୍ଟିକ ଓ ରସାୟନିକ ସାମଗ୍ରୀ ଯେଉଁଗୁଡିକୁ କି ସେମାନେ ବିକ୍ରି କରିପାରିବେ ନାହିଁ ତାହାକୁ ଖୋଲା ଆକାଶ ତଳେ ବିଳମ୍ବିତ ରାତିରେ ପୋଡୁଛନ୍ତି । ଫଳରେ ସେହିସବୁ ଅଞ୍ଚଳରେ ବିଷାକ୍ତ ଧୂଆଁ ସହିତ ଉତ୍କଟ ରସାୟନିକ ଗନ୍ଧରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଏ ନେଇ ବିଏମ୍‍ସି, ବିଡିଏ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେହି ହେଲେ ବି ଧ୍ୟାନ ଦେଉ ନାହାନ୍ତି ।

ଖାରବେଳନଗର ଥାନା ପଛ ପଟେ ଥିବା ଏହି ଇଲାକାରେ ଦିନକୁ ଦିନ କବାଡିଆଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନେ କେଉଁଠୁ ଆସୁଛନ୍ତି, ଏଠାରେ କେତେ ଦିନ ରହୁଛନ୍ତି ଓ କି କାମ କରୁଛନ୍ତି ତାହାର କୌଣସି ଠୋସ୍‍ ସୂଚନା ନାହିଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବାରମ୍ବାର କୋଲକତା ଯାଉଥିବାବେଳେ ସେମାନଙ୍କର ନିର୍ଦ୍ଦିଷ୍ଟ ଠିକଣା ବିଷୟରେ ବି ଅନେକ ଅଜ୍ଞ । ଏପରିକି ଏହି ଅଞ୍ଚଳରେ ଅନୁପ୍ରବେଶକାରୀ ବଙ୍ଗଳାଦେଶୀମାନେ ଆସି ବସବାସ କରିବାର ଅଭିଯୋଗ ମଧ୍ୟ ମଝିରେ ମଝିରେ ହେଉଛି । ହେଲେ କମିଶନରେଟ ପୁଲିସ୍‍ କୌଣସି କାରଣରୁ ଏହାକୁ ଗୁରୁତ୍ୱର ସହ ନେଉନାହିଁ ।

ଗୋଟିଏ ପଟେ ସ୍ଥାନୀୟ ରାସ୍ତାଘାଟ ଦଖଲ ଯୋଗୁଁ ଲୋକେ ନାହିଁ ନଥିବା ଅବସ୍ଥା ଭୋଗୁଥିବାବେଳେ ଅନ୍ୟପଟେ ଅନୁପ୍ରବେଶ ବଢିବାରେ ଲାଗିଛି । ଏହା ଏବେ ରାଜଧାନୀର ସୁରକ୍ଷା ପାଇଁ ସତର୍କଘଣ୍ଟି ପାଲଟିଥିବାବେଳେ ଏହା ଉପରେ କମିଶନରେଟ ପୁଲିସ୍‍ ତୀକ୍ଷ୍ଣ ନଜର ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଉଛନ୍ତି । (ତଥ୍ୟ)