Home General କପଡ଼ା ଉତ୍ପାଦନରେ ଓଡ଼ିଶା ପଛରେ

କପଡ଼ା ଉତ୍ପାଦନରେ ଓଡ଼ିଶା ପଛରେ

ଭୁବନେଶ୍ୱର : ଓଡ଼ିଶାରେ ବ୍ୟବହାର ପାଇଁ ବର୍ଷକୁ ପ୍ରାୟ ୪୦ ହଜାର କୋଟି ଟଙ୍କାର କପଡ଼ା ଆବଶ୍ୟକ ପଡୁଥିବା ବେଳେ ରାଜ୍ୟର ସମସ୍ତ ଲୁଗାକଳ ଓ ସୂତାକଳ ବନ୍ଦ ହୋଇ ପଡିଥିବାରୁ ଲୁଗାପଟା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି । କେବଳ ହସ୍ତତନ୍ତ ଶିଳ୍ପ ଓଡ଼ିଶାରେ ବହୁ ବାଧାବିଘ୍ନ ଭିତରେ ବଞ୍ôଚ ରହିଥିବା ବେଳେ ଏଥିରୁ ବାର୍ଷିକ ହଜାର କୋଟି ଟଙ୍କାର ସାମଗ୍ରୀ ବି ଉତ୍ପାଦିତ ହୋଇପାରୁ ନାହିଁ ।

ଗୋଟିଏ ସମୟରେ ଓଡ଼ିଶାର ହସ୍ତତନ୍ତ ସମଗ୍ର ବିଶ୍ୱରେ ଆଦୃତିଲାଭ କରିଥିଲା । କେବଳ ସେତିକି ନୁହେଁ, ମୟୂରଭଞ୍ଜର ଗଞ୍ଜି, ଖୋର୍ଦ୍ଧାର ଲୁଙ୍ଗି ଆଦିର ଚାହିଦା ମଧ୍ୟ ଅନ୍ୟ ରାଜ୍ୟରେ ରହିଥିଲା । ଚୌଦ୍ୱାରର ଓଟିଏମ୍‍ କପଡ଼ା ଗୁଜରାଟ, ମହାରାଷ୍ଟ୍ର ସମେତ ଦେଶର ଅଧିକାଂଶ ରାଜ୍ୟରେ ବିକ୍ରି ହେଉଥିଲା । ଏବେ କିନ୍ତୁ ଏସବୁ ଇତିହାସ ହୋଇଯାଇଛି ।

କଟକ ଭଗତପୁରରେ ଥିବା ଓଡ଼ିଶା କଟନ ମିଲ୍ସ ଓ ଝାରସୁଗୁଡ଼ାର ଭାସ୍କର ଟେକ୍ସଟାଇଲ୍‍ ମିଲ୍ସର ଲୁଗା ଓ ସୂତା କଳ ନିଶ୍ଚିହ୍ନ ହୋଇ ସାରିଲାଣି । ବରଗଡ଼ର ତୋରା ଠାରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ବୁଣାକାର ସମବାୟ ସୂତାକଳ ସମେତ ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରର ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତସିଂହପୁର ଜିଲ୍ଲାର ଶାରଳା ବୁଣାକାର ସମବାୟ ସୂତାକଳ, ଆଠଗଡ଼ର ଶ୍ରୀଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଓ ଖୋର୍ଦ୍ଧାର ଉତ୍କଳ ବୁଣାକାର ସମବାୟ ସୂତାକଳଗୁଡ଼ିକ ପ୍ରାୟ ୨୦ବର୍ଷ ତଳୁ ବନ୍ଦ ହୋଇ ପଡିଛି ।

ଏହାଛଡ଼ା ସୁନ୍ଦରଗଡ଼, ବାରିପଦା, ଆସିକା, ସୋନପୁର ଓ ରାଇରଙ୍ଗପୁରରେ ପୂର୍ବରୁ ଚାଲୁଥିବା ଘରୋଇ ସୂତାକଳଗୁଡ଼ିକ ମଧ୍ୟ ଦୀର୍ଘବର୍ଷ ଧରି ଅଚଳହୋଇ ପଡିଛି । ମୋଟାମୋଟି ଭାବେ ସରକାରୀ ଓ ବେସରକାରୀ ଉଦ୍ୟମରେ ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ୧୩ଟିଯାକ ସୂତାକଳ ବନ୍ଦ ଥିବାରୁ ଓଡ଼ିଶାର ହସ୍ତତନ୍ତ ବୁଣାକାରମାନେ ଅନ୍ୟ ରାଜ୍ୟର ସୂତା ଉପରେ ନିର୍ଭର କରୁଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ପ୍ରଚୁର କପା ରାଜ୍ୟ ଭିତରେ ବ୍ୟବହୃତ ହୋଇନପାରି ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କ ସମୃଦ୍ଧିର କାରଣ ହେଉଛି ।

ସେହିଭଳି କେନ୍ଦ୍ରାପଡ଼ା, ବାରିପଦା, ଖୋର୍ଦ୍ଧା, ବ୍ରହ୍ମପୁର, କଟକର ଆଠଗଡ଼, ଯାଜପୁର ଛତିଆ, ଜଗତସିଂହପୁରର ରାହାମା, ସୁନ୍ଦରଗଡ଼ର କୁଣ୍ଡକେଲା, ବରଗଡ଼, ଢେଙ୍କାନାଳ, ଭବାନୀପାଟଣା, ଚୌଦ୍ୱାରର ଓଟିଏମ୍‍ ଆଦି ୧୩ଟି ସମବାୟ ଓ ସରକାରୀ କଳତନ୍ତ ବି ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡିଛି । ଓଡ଼ିଶାରେ ସୂତାକଳ ଓ କଳତନ୍ତ ବୟନ ଶିଳ୍ପଗୁଡ଼ିକ ସରକାରୀ ଅପାରଗତାରୁ ଅସମୟରେ ମରିଯାଇଥିବା ଯୋଗୁ ସୂତାକଟା ଓ ଲୁଗା ବୁଣାକୁ ପେସା କରିଥିବା ଅନେକ ପରିବାର ଅନ୍ୟ ରାଜ୍ୟକୁ ଯାଇ ସେଠାରେ ମିଲ୍‍ ମାଲିକଙ୍କ ନିକଟରେ ଏକ ପ୍ରକାର ଗୋତି ଖଟିବା ଅବସ୍ଥାରେ ଅଛନ୍ତି । ଗତ ୨୫ବର୍ଷ ମଧ୍ୟରେ ଓଡ଼ିଶାରେ ଗୋଟିଏ ହେଲେ ସୂତାକଳ କିମ୍ବା ଲୁଗାକଳ ପ୍ରତିଷ୍ଠା ହୋଇନାହିଁ । ତେବେ କେତେକ ଘରୋଇ ସଂସ୍ଥା ଅନ୍ୟ ରାଜ୍ୟରୁ କପଡ଼ା ଆଣି ଏଠାରେ ପୋଷାକ ତିଆରି କରି ଚଢ଼ା ଦରରେ ବିକି ବେଶ୍‍ ମୁନାଫା ଉଠାଉଛନ୍ତି ।

ରାଜ୍ୟରେ ବହୁ କୁଶଳୀ ବୁଣାକାର ଥିବାବେଳେ ହସ୍ତତନ୍ତ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ହସ୍ତତନ୍ତ ଚଳାଇବା ପାଇଁ ଆବଶ୍ୟକ ପଡୁଥିବା ସୂତା କିନ୍ତୁ ଓଡ଼ିଶାରେ ପ୍ରସ୍ତୁତ କରାଯାଉ ନାହିଁ । ଏମିତିକି ଅନେକ ବୁଣାକାର ବେପାରୀଙ୍କ ବରାଦ ମୁତାବକ ଲୁଗା ବୁଣୁଛନ୍ତି । କପଡ଼ା ଓ ସୂତା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରାଯାଇ ପାରିଲେ ଅନ୍ୟୁନ ଲକ୍ଷାଧିକ ଲୋକ ନିଯୁକ୍ତି ପାଇପାରିବେ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)