Home Education କପି ରୋକିବ ଏଆଇ ଲାଇଭ ଷ୍ଟ୍ରିମିଂ

କପି ରୋକିବ ଏଆଇ ଲାଇଭ ଷ୍ଟ୍ରିମିଂ

କଟକ : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ରୋକିବ କ୍ୟୁଆର କୋଡ। ସବୁ ପ୍ରଶ୍ନପତ୍ରରେ ୱାଟର ମାର୍କିଂ ସହ ରହିବ ସିରିଏଲ୍‌ ନମ୍ବର। ଅନିୟମିତତା ଓ କପି ରୋକିବାକୁ ଏଥର ଏଆଇ ଭଳି ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ। ମାଟ୍ରିକ ପରୀକ୍ଷାର ପରିଚାଳନାକୁ ଶୃଙ୍ଖଳିତ କରିବାକୁ ଏଭଳି ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

ଆସନ୍ତା ୨୧ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପରିଚାଳନା ସଂପର୍କରେ ସୂଚନା ଦେଇ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି, ମାଟ୍ରିକ୍ ପରୀକ୍ଷା ପାଇଁ ଏଥର ୩ ହଜାର ୧୩୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା ୧୨ ତାରିଖରୁ ୧୯ ତାରିଖ ଭିତରେ ସବୁ ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରେ ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ।

ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ତେବେ ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢ଼େ ୮ଟା ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ଏଥିସହ କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା ରହିବ। ପେପର ଲିକ୍ ରୋକିବାକୁ ଏଥର ପ୍ରତି ପ୍ରଶ୍ନପତ୍ରରେ ଡାଇନାମିକ୍ କୋଡ୍ ଓ ୱାଟର ମାର୍କ ଲଗାଯିବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ, ଏହା କେଉଁ ସ୍ଥାନରୁ ଓ ସେଣ୍ଟରରୁ ଲିକ ହୋଇଛି ତାହା ଜଣାପଡ଼ିଯିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି।

ଏଥିସହ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ପରୀକ୍ଷା ବେଳେ ସବୁ ଧରଣର ଅନିୟମିତତା ରୋକିବାକୁ ଲାଇଭ ଷ୍ଟ୍ରିମିଂ ସେଣ୍ଟର ସଂଖ୍ୟା ୨୦୦ରୁ ୬୦୦କୁ ବଢ଼ାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା ଏଆଇ ନୁହେଁ, ଏଆଇ ଭଳି ବୋର୍ଡର ୩୦ ଜଣିଆ ଟେକ୍ନିକାଲ୍ ଟିମ୍‌ ଦ୍ୱାରା କରାଯିବ। ବୋର୍ଡ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ସଂପୃକ୍ତ ୬ ଶହ ସେଣ୍ଟରର ପରୀକ୍ଷା ମନିଟରିଂ କରାଯିବ। ପରୀକ୍ଷା କେନ୍ଦ୍ରକୁ ସଂପୂର୍ଣ୍ଣ ମୋବାଇଲ୍ ବାରଣ କରାଯାଇଛି। ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା।