Home Education କପିଶୂନ୍ୟ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି

କପିଶୂନ୍ୟ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ଯୁକ୍ତଦୁଇ ପରୀକ୍ଷାକୁ କପିଶୂନ୍ୟ ଓ ପ୍ରଶ୍ନପତ୍ର ଭାଇରାଲକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ରହିବ ୫ ସ୍ତରରେ ସ୍କ୍ୱାଡ ବ୍ୟବସ୍ଥା । ପ୍ରଥମେ ସ୍କୁଲ ସ୍ତରରେ ସ୍କ୍ୱାଡ ମୁତୟନ ହେବେ । ତାପରେ ଜୋନ ସ୍ତରରେ ଓ ପରେ ଜିଲ୍ଲା ପ୍ରଶାସନ ସ୍କ୍ୱାଡ । ଚାରି ଜୋନରୁ ଅପରେଟ ହେବେ ସ୍ଵତନ୍ତ୍ର ସ୍କ୍ୱାଡ ଏବଂ ୩୦ ଜିଲ୍ଲାରେ ୩୫ ଟି ଜାଗାରେ ସେଣ୍ଟ୍ରାଲ ସ୍କ୍ୱାର୍ଡ ମଧ୍ୟ ମୁତୟନ ହେବେ । ସୁରକ୍ଷାକୁ ଦେଖି ସବୁ ସେଣ୍ଟରରେ ସିସିଟିଭି ରହିଛି । କେବଳ ସେଣ୍ଟ୍ରାଲ ଅଫିସରେ ସବୁ ସିସିଟିଭିକୁ ଆସେସ କରିହେବ ।

ପରୀକ୍ଷା ଦେଢ଼ ଘଣ୍ଟା ଆଗରୁ ଅର୍ଥାତ ୮.୩୦ ପୂର୍ବରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବ ପରୀକ୍ଷା ପ୍ରଶ୍ନପତ୍ର । ଯେଉଁମାନେ ପ୍ରଶ୍ନପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର ବୁଲେଇବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ । ପରୀକ୍ଷା ସିଲାବସରେ କୌଣସି ପରିବର୍ତ୍ତନ ହୋଇନି, କେବଳ ପରୀକ୍ଷା ପ୍ୟାଟର୍ନରେ ପରିବର୍ତ୍ତନ ହୋଇଛି । ଏଥର ୧୦ ମାର୍କ ବଦଳରେ ୫ ମାର୍କ ପରୀକ୍ଷା ପ୍ରଶ୍ନ ପଡ଼ିବ । ୪୫ ଦିନ ମଧ୍ୟରେ ବାହାରିବ ପରୀକ୍ଷା ଫଳ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୫ ଯଥା ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା (ଭୋକେସନାଲ) ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍‌) ପରୀକ୍ଷା-୨୦୨୫ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଜଣ, ଧନ୍ଦାମୂଳକ ପରୀକ୍ଷାରେ ୫ ହଜାର ୭୨୧ ଜଣ ଏହିପରି ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆସନ୍ତା ୧୮ରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଏଥିପାଇଁ ୨୦୫ଟି ପରୀକ୍ଷା ପରିଚାଳନା ହବ୍‌ କାର୍ଯ୍ୟକାରୀ ପୂର୍ବକ ୧୨୭୬ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ମାଟ୍ରିକ୍‌ ପରୀକ୍ଷାରେ ୫ ଲକ୍ଷ ୧୦ ହଜାର ୭୭୮ ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭ ହଜାର ୭୬୬ ଜଣ, ମଧ୍ୟମାରେ ୩ ହଜାର ୭୯୨ ଜଣ ଏହିପରି ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉପନୀତ ହେବେ। ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨ ହଜାର ୯୭୯ଟି କେନ୍ଦ୍ରରେ ହେବାକୁ ଥିବା ବେଳେ ଅନ୍ୟ ପରୀକ୍ଷାକୁ ମିଶାଇ ମୋଟ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ହେବ। ଆସନ୍ତା ୨୧ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ।

 ଉଭୟ ଯୁକ୍ତ ୨ ଓ ମାଟ୍ରିକ୍ ପରୀକ୍ଷାକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଉପରେ ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସହ ପୁଲିସ ପ୍ରଶାସନ ସମନ୍ୱୟରେ କିପରି ପରୀକ୍ଷା ପରିଚାଳନା ହୋଇପାରିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପୁଲିସ ମୁତୟନ ସହ ସିସିଟିଭି ବ୍ୟବସ୍ଥା ‌ହୋଇଥିବା ଜଣାପଡ଼ିଛି।

ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏହି ପରୀକ୍ଷାକୁ ଅଧିକ ପ୍ରଯତ୍ନର ସହ ସମ୍ପନ୍ନ କରିବା ସକାଶେ ରାଜ୍ୟ ସରକାର ପ୍ରତିବଦ୍ଧ। ପରୀକ୍ଷା ପରିଚାଳନା ପାଇଁ ଯେଉଁ ବ୍ୟବସ୍ଥା ବା ପ୍ରୋଟୋକଲ ରହିଛି, ସେହି ଅନୁସାରେ ସମସ୍ତେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ବି ପ୍ରଶ୍ନପତ୍ର ଲିକ୍ ଭଳି ଗୁରୁତର ତ୍ରୁଟି ନହେବ, ସେଥିପ୍ରତି ସତର୍କ ରହିବାକୁ ସମସ୍ତଙ୍କୁ ତାଗିଦା କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ କୌଣସି ପ୍ରକାର ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଲଗାଯାଇଛି।

ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରି‌ବେ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଜିଲ୍ଲାପାଳମାନେ ପରୀକ୍ଷା ପରିଚାଳନା ପ୍ରୋଟୋକଲ ଅନୁସାରେ କରାଯାଉଛି କି ନାହିଁ, ସେ ସମ୍ପର୍କରେ ତଦାରଖ ଓ ସମୀକ୍ଷା କରିବେ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ଶିକ୍ଷା ପରିଷଦ କର୍ତ୍ତୃପକ୍ଷମାନଙ୍କୁ ନିଜ ନିଜ ସ୍ତରରେ ନିୟମିତ ସମୀକ୍ଷା କରି ପରୀକ୍ଷା ପରିଚାଳନାକୁ ନିର୍ଭୁଲ ଓ ଶୃଙ୍ଖଳିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ବିଗତ ବର୍ଷରେ ପରୀକ୍ଷା ପରିଚାଳନା ଅଭିଜ୍ଞତାକୁ ପାଥେୟ କରି ତଦନୁସାରେ ପ୍ରସ୍ତୁତି ପୂର୍ବକ ଏ ବର୍ଷର ଉଭୟ ଯୁକ୍ତ ଦୁଇ ଏବଂ ମାଟ୍ରିକ୍ ପରୀକ୍ଷା ଭଲ ଭାବରେ ଅନୁଷ୍ଠିତ ହେବା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୈଠକରେ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସମ୍ପୃକ୍ତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।