Home Agriculture କନ୍ଧମାଳରେ ଏଇଜେଡ୍‍

କନ୍ଧମାଳରେ ଏଇଜେଡ୍‍

ଭୁବନେଶ୍ୱର : ଉତ୍ପାଦିତ କୃଷି ସାମଗ୍ରୀର ରପ୍ତାନି ସମେତ ବଜାର ବ୍ୟବସ୍ଥା ପାଇଁ ସମଗ୍ର ଦେଶରେ ୬୦ଟି ଏଗ୍ରି ଏକ୍ସପୋର୍ଟ ଜୋନ୍‍ (ଏଇଜେଡ୍‍) ପ୍ରତିଷ୍ଠା ହୋଇଥିବାବେଳେ ଏଥିରୁ ଗୋଟିଏ ଓଡିଶାରେ ରହିଛି । କନ୍ଧମାଳ ଜିଲ୍ଲାରେ ଅଦା ଓ ହଳଦୀ ପାଇଁ ଏହା ପ୍ରତିଷ୍ଠା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍‍ ପ୍ରସାଦ ।

ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହ କହିଛନ୍ତି । ଉତ୍ତରରେ ଦର୍ଶାଯାଇଛି ଯେ ଦେଶର ୨୦ଟି ରାଜ୍ୟରେ ୬୦ଟି ଏଇଜେଡ୍‍ ପ୍ରତିଷ୍ଠା ହୋଇଥିବାବେଳେ ଏଥିରୁ ଗୋଟିଏ ଓଡିଶାର କନ୍ଧମାଳରେ ରହିଛି । ଇତି ମଧ୍ୟରେ କେନ୍ଦ୍ର ସରକାର ଭାରତରୁ କୃଷି ଉତ୍ପାଦନ ରପ୍ତାନିରେ ରେକର୍ଡ କରିଛନ୍ତି । ୨୦୨୪-୨୫ରେ ଏହା ପ୍ରାୟ ୫୨ ବିଲିୟନ ଆମେରିକୀୟ ଡଲାର ରହିଛି । ତେବେ ରାଜ୍ୟଗୁଡିକରୁ ରପ୍ତାନି ହେଉଥିବା କୃଷି ଜାତ ସାମଗ୍ରୀର ହିସାବ ରପ୍ତାନିକାରୀମାନେ ସେମାନଙ୍କ ରପ୍ତାନି ହିସାବରେ ପ୍ରଦାନ କରିଥାନ୍ତି । ତେଣୁ ରାଜ୍ୟୱାରୀ ସୂଚନା କେନ୍ଦ୍ର ନିକଟରେ ନାହିଁ ।

ରାଜ୍ୟଗୁଡିକରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ରପ୍ତାନି ପାଇଁ ଆପିଡା ଜରିଆରେ ବାଣିଜ୍ୟ ବିଭାଗ କରିଥାଏ । ଏଥିରେ ସମଗ୍ର ଦେଶର ଏହିସବୁ ସାମଗ୍ରୀ ରପ୍ତାନିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥାଏ । ଓଡିଶା ତାହାର ଧାର୍ଯ୍ୟ କୃଷିଜାତ ସାମଗ୍ରୀକୁ ଆପିଡାର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ପ୍ରୋତ୍ସାହନ ଯୋଜନା ଜରିଆରେ ରପ୍ତାନି କରିଥାଏ ।

ଏହି ଯୋଜନାରେ ଭିତ୍ତିଭୂମି ବିକାଶ ପାଇଁ ପ୍ୟାକେଜିଂ ସୁବିଧା, ଗାଇଡ୍‍ଲାଇନ୍‍, ଶୀତଳଭଣ୍ଡାର ଏବଂ ଶୀତତାପ ନିୟନ୍ତ୍ରିତ ପରିବହନ ଯୋଗାଇ ଦିଆଯାଉଛି । ସେହିଭଳି କୃଷିଜାତ ସାମଗ୍ରୀ ଯେଭଳି କଦଳୀ ଆଦି ସାମଗ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଗୁଣାତ୍ମକ ବିକାଶ ପାଇଁ ପରୀକ୍ଷାଗାର ଯନ୍ତ୍ରପାତି ଖରିଦ ପାଇଁ ସହାୟତା, ଉନ୍ନତ ପରିଚାଳନା ବ୍ୟବସ୍ଥା ସହିତ ଜଳ, ମୃତ୍ତିକା ଆଦିର ପରୀକ୍ଷା ସହିତ କୀଟନାଶକ ବ୍ୟବହାର ହ୍ରାସ ଉପରେ ପରାମର୍ଶ ଦିଆଯାଇଥାଏ ।

ବଜାର ବ୍ୟବସ୍ଥାର ପ୍ରୋତ୍ସାହନ ପାଇଁ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ, କ୍ରେତା ବିକ୍ରେତା ସମ୍ମିଳନୀ ଏବଂ ଅର୍ନ୍ତଜାତୀୟ ବଜାରକୁ ଦୃଷ୍ଟିରେ ରଖି କୃଷିଜାତ ସାମଗ୍ରୀର ପ୍ୟାକେଜିଂ ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ନୂତନ ଭାବେ ଉତ୍ପାଦିତ କୃଷିଜାତ ସାମଗ୍ରୀର ପ୍ୟାକେଜିଂ ସହିତ ପୁରୁଣା ପ୍ୟାଜେିଂ ବ୍ୟବସ୍ଥାରେ ଉନ୍ନତିକରଣ କରାଯାଇଥାଏ । ଏହାବାଦ୍‍ ରପ୍ତାନି ସହିତ ଜଡିତ ଅଂଶୀଦାରମାନଙ୍କୁ ନିୟମିତ ତାଲିମ ସହିତ ସେମାନଙ୍କର ଦକ୍ଷତା ବିକାଶ କରାଯାଉଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହି ଧରଣର ୨୦ଟି ତାଲିମ ଏବଂ ଦକ୍ଷତା ବିକାଶ କ।।ର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ୨୦୨୪-୨୫ ରେ ପାଖପାଖି ଦେଢ ହଜାର ଅଂଶୀଦାର ଏଥିରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)