ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସହରରେ ଥିବା ୪୮୨ଟି କନଜରଭେନ୍ସି ଲେନ୍କୁ ଜବରଦଖଲମୁକ୍ତ ଓ ସଫାସୁତୁରା ରଖିବାକୁ ଅଭିଯାନ ଆରମ୍ଭ କରିଥିବାବେଳେ କେତେକ ସ୍ଥାନରେ ଜନସ୍ୱାସ୍ଥ୍ୟ ଓ ବିଦ୍ୟୁତ୍ ବିଭାଗ ଏଥିରେ ବାଧକ ସାଜିଛି । କାରଣ କନଜରଭେନ୍ସି ଜବରଦଖଲ କରୁଥିବା ଲୋକଙ୍କୁ ଏହି ଦୁଇ ବିଭାଗ ସଂଯୋଗ ଯୋଗାଇ ଦେଉଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ବିଏମ୍ସି ପକ୍ଷରେ ସହଜ ହେଉନାହିଁ ।
ରାଜଧାନୀର କନଜରଭେନ୍ସି ଲେନ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ପେଭର ବ୍ଲକ ପକାଇବା ପରେ ଏବେ ସେଗୁଡିକୁ ପରିସ୍କାର ପରିଚ୍ଛନ୍ନ ରଖିବା, ଜବରଦଖଲମୁକ୍ତ କରିବା, ବସନ୍ତ ଋତୁରେ ପଡୁଥିବା ପତ୍ରକୁ ସଫା କରିବା ଏପରିକି କନଜରଭେନ୍ସି ଲେନରେ ଯେଭଳି ଲୋକେ ପରିସ୍ରା ନକରନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ସ୍ୱଚ୍ଛ ସୁପରଭାଇଜର ଓ ଦାୟିତ୍ୱରେ ଥିବା ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହେଲେ ଲକ୍ଷ୍ୟ କରାଯାଇଛି ଯେ ଜବରଦଖଲ ହୋଇଥିବା କନଜରଭେନ୍ସି ଲେନ୍ରୁ ଜବରଦଖଲ ହଟାଇବା ଏମାନଙ୍କ ପାଇଁ ଏତେଟା ସହଜ ହେଉନାହିଁ । କାରଣ ସେଠାରେ ବସବାସ କରୁଥିବା ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବାବେଳେ ବିଦ୍ୟୁତ୍ ବିଭାଗ ମଧ୍ୟ ବିଜୁଳି ଯୋଗାଇ ଦେଉଛନ୍ତି । ଯେଉଁଠାରେ ବିଦ୍ୟୁତ୍ ଚୋରିହୋଇ ଏଠାକୁ ସଂଯୋଗ ଦିଆଯାଇଛି ସେଥିପ୍ରତି ବିଭାଗ ବି ଆଖିବୁଜି ଦେଇଛି । ସେହିଭଳି କନଜରଭେନ୍ସିରେ ଥିବା ସ୍ୱରେଜ ଲାଇନ୍ରେ ଜବରଦଖଲକାରୀମାନେ ସିଧାସଳଖ ଶୌଚାଳୟ କରିଥିଲେ ମଧ୍ୟ ସ୍ଥାନୀୟ ଜନସ୍ୱାସ୍ଥ୍ୟ ଦପ୍ତରଗୁଡିକ ଏହାକୁ ଅଣଦେଖା କରୁଛନ୍ତି ।
ସବୁଠାରୁ ବଡକଥା ହେଲା ଯେତେବେଳେ ଉଚ୍ଛେଦକାରୀ ଟିମ୍ ଏଠାରେ ହାଜର ହେଉଛନ୍ତି ସେତେବେଳେ ବିଦ୍ୟୁତ୍ ଓ ପାଣି ସଂଯୋଗ ଦେଖି ଫେରି ଆସୁଛନ୍ତି । ସ୍ଥାନୀୟ ନେତା ମଧ୍ୟ ଏଥିରେ ହସ୍ତକ୍ଷେପ କରିବାରେ ଲାଗିଛନ୍ତି । ବିଏମ୍ସି ପକ୍ଷରୁ ରାଜଧାନୀର ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର ନିୟୋଜିତ କରିଛନ୍ତି । ଏମାନେ କିଭଳି କନଜରଭେନ୍ସି ଜବରଦଖଲକୁ ଦେଖିପାରୁ ନାହାନ୍ତି ତାହା ବଡ ପ୍ରଶ୍ନ ହୋଇଛି । କନଜରଭେନ୍ସି ଜବରଦଖଲ ପାଇଁ ଏମାନଙ୍କୁ ପ୍ରଥମେ ଦାୟୀ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ସେହିଭଳି କନଜରଭେନ୍ସି ସଫା ଦାୟିତ୍ୱରେ ଥିବା ଏଜେନ୍ସି ମଧ୍ୟ ବହୁ ସ୍ଥାନରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ନିୟମିତ ଭାବେ ଏହାକୁ ସଫା କରିବା ବଦଳରେ ମନଇଚ୍ଛା ସଫା କରାଯାଉଛି । ସ୍ୱରେଜ ଲାଇନ୍ ସଫା କରୁଥିବା ସଂସ୍ଥା ମଧ୍ୟ ନିଜର ବର୍ଜ୍ୟକୁ ଉଠାଇବାପାଇଁ ଦିନ ଦିନ ବିତାଇ ଦେଉଛନ୍ତି । ଅଧିକାଂଶ ସ୍ଥାନରେ ସ୍ୱରେଜ ମରାମତି ସମୟରେ କନଜରଭେନ୍ସି ଲେନ୍ରେ ପଡିଥିବା ପେଭର ବ୍ଲକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ତାହାକୁ ଠିକଣା ଭାବେ ମରାମତି କରାଯାଉ ନାହିଁ । ବର୍ତ୍ତମାନ ବିଏମ୍ସି କନଜରଭେନ୍ସି ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ଜବରଦଖଲ କେବେ ମୁକ୍ତ ହେବ ତାହା ଉପରେ ସହରବାସୀ ନଜର ରଖିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି । (ତଥ୍ୟ)

