ଭୁବନେଶ୍ୱର : କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ମହିଳା କତା ଯୋଜନାରେ ଓଡିଶାରୁ ୨୩୦୦ ଜଣ ମହିଳା ଉପକୃତ ହୋଇଛନ୍ତି । ଏହି ଯୋଜନାରେ ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସାଢେ ୩କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଛି ।
ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କତା ଶିଳ୍ପ ମାଧ୍ୟମରେ ଲୋକଙ୍କୁ ବିଶେଷକରି ମହିଳାମାନଙ୍କୁ ଆତ୍ମନିର୍ଭର କରିବାପାଇଁ ଓଡିଶା ସମେତ ସମଗ୍ର ଦେଶରେ କତା ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଯୋଜନାର ନାମ ମହିଳା କତା ଯୋଜନା ହୋଇଛି ।
ଏହି ଯୋଜନାରେ କାଲାଭୁର ଠାରେ କେନ୍ଦ୍ରୀୟ କତା ଗବେଷଣା ପ୍ରତିଷ୍ଠାନ (ସିସିଆରଆଇ) ଏବଂ ବେଙ୍ଗାଲୁରରେ କେନ୍ଦ୍ରୀୟ କତା ଜ୍ଞାନକୌଶଳ ସଂସ୍ଥା (ସଆଇସିଟି) ପ୍ରତିଷ୍ଠା କରାଯାଇଛି । ୨୦୧୫-୧୬ ମସିହାରୁ ଭୁବନେଶ୍ୱର ଠାରେ ଏହାର ସମ୍ପ୍ରସାରିତ ଆଞ୍ଚଳିକ ଦପ୍ତର ଖୋଲିଛି । ଏହା ଜରିଆରେ କତାରୁ ପ୍ରସ୍ତୁତ ସାମଗ୍ରୀ କତା, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରକୁ ଯୋଗାଯାଉଛି । ଏହି କେନ୍ଦ୍ର ଜୈବିକ କତା ସାମଗ୍ରୀ ଉତ୍ପାଦନ ପାଇଁ ଉଦ୍ୟାଗୀମାନଙ୍କୁ ସହାୟତା କରୁଛି ।
ତେବେ ସ୍ୱତନ୍ତ୍ର ଭାବେ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇବାପାଇଁ ମହିଳା କତା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହା ଜରିଆରେ ଗାଁ ଗହଳର ମହିଳା କାରିଗରମାନଙ୍କୁ ଦୁଇ ମାସିଆ ତାଲିମ ପ୍ରଦାନ କରାଯାଉଛି । ଏହାବାଦ୍ ବୋର୍ଡ ପକ୍ଷରୁ କତା ଜ୍ଞାନକୌଶଳ କ୍ଷେତ୍ରରେ ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ଏଥି ସହିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମରେ ମଧ୍ୟ କତାରୁ ସାମଗ୍ରୀ ପ୍ରସ୍ତୁତ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି । ତାଲିମ ପାଇଥିବା ମହିଳାମାନେ ପ୍ରଧାନ ମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି) ରୁ ସହାୟତା ପାଇପାରୁଛନ୍ତି ।
ତେବେ କତା ବିକାଶ ଯୋଜନା ଓ ପରବର୍ତ୍ତୀ ସମୟରେ ମହିଳା କତା ଯୋଜନା ହୋଇଥିବା ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୩କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ହୋଇସାରିଲାଣି । ୨୦୧୪-୧୫ ବର୍ଷରେ ଏହି ଯୋଜନାରେ ରାଜ୍ୟରେ ୫୦ଲକ୍ଷ ୫୩ହଜାର ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୫୦ଲକ୍ଷ ୨୮ହଜାର ଟଙ୍କା ବ୍ୟୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ଶେଷ ସୁଦ୍ଧା ୧୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)