Home Infrastructure କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ ବୋଲି ସେ କହିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ନେତାଜୀ ବସ୍ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ । ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରି ତାଙ୍କର ଦୃଢ ନେତୃତ୍ୱ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବର୍ଣ୍ଣନା କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଏଥିରେ ୧୧,୦୦୦ ବର୍ଗମିଟର ନିର୍ମିତ ଅଞ୍ଚଳରେ ୧୮୦ଟି ବସ୍ ରହିପାରିବ ।