ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କଟକ ସହରର ଜାରି ରହିଥିବା ଏବଂ ପ୍ରସ୍ତାବିତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସିଲଭର ସିଟି ବା କଟକର ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା, ନାଗରିକ ସୁବିଧା ସୁଯୋଗରେ ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଲକ୍ଷ୍ୟରେ କଟକ ମହାନଗର ନିଗମ (ସିଏମସି) ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକରେ ସିଏମସି କମିଶନର ତଥା ସିଡିଏ ଭିସି କିରଣଦୀପ କୌର ସାହୋତା ପ୍ରାଥମିକତା ଭିତ୍ତିକ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ l ଗୋରା କବର ବିକାଶ ଏହାର ଐତିହାସିକ ଗୁରୁତ୍ୱକୁ ବଜାୟ ରଖିବା ସହ ସୌନ୍ଦର୍ଯ୍ୟକରଣ କରାଯିବା , ରାଜସ୍ୱ ବିଭାଗ ଅଧୀନରେ ଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଏବଂ ସେଗୁଡ଼ିକର ଆଖପାଖରେ ଥିବା ଖାଲି ସ୍ଥାନର ସଦୁପଯୋଗ କରି ପରିବେଶରେ ସନ୍ତୁଳନ ରକ୍ଷା କିରବା, ସହରାଞ୍ଚଳରେ ଗୋରୁ ଗାଈଙ୍କ ଉପଯୁକ୍ତ ପରିଚାଳନା ପାଇଁ ଗୋଶାଳାର ଆଧୁନିକୀକରଣ ଓ ସମ୍ପ୍ରସାରଣ। ବହୁମୁଖୀ ପାର୍କର ବିକାଶ, ମାଛ ବଜାରର ସମ୍ପ୍ରସାରଣ ଏବଂ ସହରର ସମସ୍ତ ପାର୍କର ସଠିକ୍ ରକ୍ଷଣାବେକ୍ଷଣ ଏବଂ ସ୍ଥାୟୀ ଏବଂ ସମାବେଶୀ ନଗର ଉନ୍ନୟନ ପାଇଁ ଅନ୍ୟାନ୍ୟ ଜନକଲ୍ୟାଣକାରୀ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନ କରିଥିଲେ l
ଅଧିକାରୀମାନଙ୍କୁ ସମ୍ବୋଧିତ କରି ଡକ୍ଟର ମହାପାତ୍ର ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ସିଏମସି ଏବଂ ସିଡିଏ ମଧ୍ୟରେ ସମନ୍ୱୟ ରକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକବାସୀଙ୍କ ଆଶା ପୂରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା, ଗୁଣବତ୍ତା ବଜାୟ ରଖିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଶତ୍ରୁଘ୍ନ କର, ସିଏମସି ଏବଂ ସିଡିଏ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କଟକର ଐତିହ୍ୟ ସଂରକ୍ଷଣ ସହିତ ଆଧୁନିକ ସହରୀ ବିକାଶର ସମନ୍ୱୟ ରକ୍ଷା କରି ଏହାର ସର୍ବାଙ୍ଗୀନ ରୂପାନ୍ତରଣ ସରକାରଙ୍କର ମୁଖ୍ୟ ପ୍ରାଥମିକତା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

