ଭୁବନେଶ୍ୱର : ନିଶା ବେପାରୀମାନେ କଟକ ଜିଲ୍ଲାରେ ଅବକାରୀ ଟିମ୍ ଉପରେ ସର୍ବାଧିକ ଆକ୍ରମଣ କରିଛନ୍ତି । ଏହି ଜିଳ୍ଲାର ବଡମ୍ବା, ଆଠଗଡ,ଜୁଡୁମ, ଖୁଣ୍ଟୁଣି, ତିଗିରିଆ ଆଦି ଥାନା ଇଲାକାରେ ଆକ୍ରମଣ କରିଛନ୍ତି । ଅନ୍ୟ ଜିଲ୍ଲାରେ ହୋଇଥିବା ଆକ୍ରମଣ ତୁଳନାରେ ଏହା ଢେର ଅଧିକ ରହିଛି ।
ଅବକାରୀ ଟିମ୍ ଉପରେ ନିଶା ବେପାରୀଙ୍କ ଆକ୍ରମଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଅବକାରୀ ଟିମ୍ ଉପରେ ବାଲେଶ୍ୱର ଜିଲ୍ଲାର ରୁପ୍ସା, ଗୁଟୁଡିହ, ମଇତପୁର, ଶଗଡସାହି, କର୍ମଦା, ପୁଡଶୁଳା ଓ ରାଇବଣିଆରେ ଆକ୍ରମଣ ହୋଇଛି ।
ସେହିଭଳି ବ୍ରହ୍ମପୁର ଅବକାରୀ ଜିଲ୍ଲାର ବୁଢୀଘାଟ, ବଣିଆମାରିରେ ଅବକାରୀ ଟିମ୍ ଉପରେ ଆକ୍ରମଣ ହୋଇଥିବାବେଳେ ବୌଦ୍ଧ ଜିଲ୍ଲାର ଭାବପୁର ଓ ବରକାଲୁ ଠାରେ ବି ଆକ୍ରମଣ ହୋଇଛି । ଢେଙ୍କାନାଳ ଜିଲ୍ଲାର ଆମ୍ବପଳାସ, ଭୁବନ, କଙ୍କଡାହାଡ, ପୁରୁଣାଲୁତୁମା, କାଡୁଆ, କାମାକ୍ଷାନଗର, ଆଲୁଆଝରଣ, ଗଞ୍ଜାମର ନୋଳିଆଗାଁ, କୋଡଲା କୋର୍ଟ ପରିସର, ଆଠଗଡପାଟଣା ଠାରେ ଅବକାରୀ ଟିମ୍ ଉପରେ ନିଶାମାଫିଆମାନେ ଆକ୍ରମଣ କରିଛନ୍ତି ।
ସେହିଭଳି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯-୨୦ ବର୍ଷରେ ରାଜ୍ୟରେ ୨୨,୩୮୪ କିଲୋ ଗଞ୍ଜେଇ ଜବତ ହୋିଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୪୨ହଜାର କିଲୋକୁ ଅତିକ୍ରମ କରିଯାଇଥିଲା । ୨୦୨୩-୨୪ ବର୍ଷରେ ୩୪,୬୪୧ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ପାଖପାଖି ୩୦ହଜାର କିଲୋ ଗଞ୍ଜେଇ ଜବତ ହୋଇସାରିଲାଣି ।
ସେହଭଳି ରାଜ୍ୟରେ ଜବତ ହେଉଥିବା ହେରୋଇନ୍ର ପରମାଣ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ୩୪୦୬ ଗ୍ରାମ ହେରୋଇନ୍ ଜବତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୩୨ହଜାର ଗ୍ରାମକୁ ଟପିଯାଇଥିଲା । ୨୦୨୩-୨୪ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟରେ ୩୪,୪୨୬ ଗ୍ରାମ ହେରୋଇନ୍ ଜବତ କରାଯାଇଥିବାବେଳେ ଚଳିତବର୍ଷରେ ଫେବୃୟାରୀ ସୁଦ୍ଧା ଏହା ୨୬ହଜାର ଗ୍ରାମକୁ ଟପିଗଲାଣି ।
ଗଞ୍ଜେଇ, ହେରୋଇନ୍ ଭଳି ରାଜ୍ୟରେ ଶସ୍ତା ନିଶା ସାମଗ୍ରୀ କୁହାଯାଉଥିବା କଫସିରପ ଜବତର ପରିମାଣ ବି ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ୨୧୭ ବ୍ୟାରେଲ କଫସିରପ ଜବତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୧ହଜାର ବ୍ୟାରେଲକୁ ଟପିଯାଇଥିଲା । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ୧୬୦୩ ବ୍ୟାରେଲ କଫସିରପ ଜବତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ସୁଦ୍ଧା ଏହା ୧୨୪୭ ବ୍ୟାରେଲକୁ ଟପିଗଲାଣି । (ତଥ୍ୟ)