ଭୁବନେଶ୍ୱର : ୨୦୨୪ର ବିଧାନସଭା ନିର୍ବାଚନରେ କଂଗ୍ରେସ ତାହାର ଆସନ ସଂଖ୍ୟା ବର୍ତ୍ତମାନର ୯ରୁ ୯୦ ବଢ଼ାଇ ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେପି ବିଧାନସଭାରେ ତାହାର ସ୍ଥିତି ୨୦+ରୁ ୧୨୦+କୁ ବୃଦ୍ଧି କରି ନିଶ୍ଚିତ ଭାବେ ରାଜ୍ୟରେ ସରକାର ଗଢ଼ିବାକୁ ଆଶା ରଖିଛି । ତେବେ ୨୨ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡି କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଆସନ ଦଖଲ କରିବ ସେ ସଂପର୍କରେ ବିବୃତି ଯୁଦ୍ଧରେ ନ ପଶି ସେତେବେଳର ସ୍ଥିତି ବିଜେଡି ପାଇଁ ବର୍ତ୍ତମାନଠାରୁ ଅଧିକ ଭଲ ହେବ ବୋଲି ଆଶା ରଖିଛି ।
ରାଜ୍ୟ କଂଗ୍ରେସର ନୂଆ ସଭାପତି ଭାବେ ପ୍ରାୟ ତିନି ମାସ ତଳେ ଦାୟିତ୍ୱ ଗ୍ରହଣ କରିଥିବା ଶରତ ପଟ୍ଟନାୟକ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳର ମିଶନ ୯ରୁ ୯୦ ବୋଲି ବାରମ୍ବାର ବକ୍ତବ୍ୟ ଦେଇ ଓଡ଼ିଶାରେ ଏଥର ନିଶ୍ଚିତ ଭାବେ କଂଗ୍ରେସ ସରକାର ହେବ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ଦଳର ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା ଆସନ୍ତା ନିର୍ବାଚନ କଂଗ୍ରେସ ପାଇଁ ‘କର ବା ମର’ ଆହ୍ୱାନ ଭଳି ରହିଛି ଏବଂ ଏଥର ଜିଣି କଂଗ୍ରେସ ସରକାର ଗଠନ ନ କଲେ ଭବିଷ୍ୟତରେ ଆଉ କେବେ ନୁହେଁ ବୋଲି ଚେତାଇ ଦେଇଛନ୍ତି । ତେବେ ଗୋଷ୍ଠୀ କନ୍ଦଳରେ ଲିପ୍ତ ଏହି ଦଳ ନିଜର ଘର ସଜାଡି ନେତା ଓ କର୍ମୀମାନଙ୍କୁ ଏକାଠି କରିବା ସହ ବ୍ୟୟବହୁଳ ନିର୍ବାଚନ ବ୍ୟବସ୍ଥା ଲାଗି ସମ୍ବଳ ସଂଗ୍ରହ କରିବା କାଠିକର ପାଠ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।
୨୦୧୯ ନିର୍ବାଚନ ବେଳେ ବିଜେପି ଓଡ଼ିଶା ପାଇଁ ୧୨୦+ ମିଶନ ରଖି ସରକାର ଗଢ଼ିବ ବୋଲି ଘୋଷଣା କରିଥିଲା । ସେତେବେଳେ ଓଡ଼ିଶାର ବିଜେଡି ସରକାରକୁ ବିଜେପିର କେନ୍ଦ୍ରୀୟ ନେତାମାନେ ପୋଡା ଟ୍ରାନ୍ସଫର୍ମର ଭାବେ ସମାଲୋଚନା କରି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ କହିଥିବା ବେଳେ ଫଳାଫଳରେ କିନ୍ତୁ ବିଜେପି କେବଳ ୨୦+ରେ ରହିଗଲା ।
ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ବିଜେପି ହାତରୁ ଗୋଟିଏ ବିଧାନସଭା ଆସନ ଖସି ଯାଇଥିବା ବେଳେ ପୌର ଓ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ପୂର୍ବଥର ତୁଳନାରେ ସେତେ ଭଲ ପ୍ରଦର୍ଶନ କରିନାହାନ୍ତି ।
ତେବେ ଗତ ନିର୍ବାଚନରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ବିଧାନସଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳର ମାନ୍ୟତା ପାଇଛି । ଗତଥର ମିଶନ ୧୨୦+ରେ ଫେଲ୍ ମାରିଥିବା ବିଜେପି ଆଉ ପ୍ରାୟ ଦେଢ଼ ବର୍ଷ ପରେ ହେବାକୁ ଥିବା ନିର୍ବାଚନରେ ଫେଲ୍ ହେବ କି ପାସ୍ କରିବ ତାହା ସେତେବେଳେ ଜଣାପଡିବ ।
ଅନ୍ୟପକ୍ଷରେ ବିଜେଡି କିନ୍ତୁ ବୁଥ୍ ସ୍ତରରୁ ତାହାର ସଂଗଠନକୁ ଅଧିକ ସକ୍ରିୟ କରିବାରେ ଲାଗିଛି । ଦଳର ଛାମୁଆ ସଂଗଠନ, ପର୍ଯ୍ୟବେକ୍ଷକ ଓ କ୍ଷେତ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ଲକ୍ଷ୍ୟ ହାସଲ ପାଇଁ ଭୁବନେଶ୍ୱରରୁ ବାରମ୍ବାର ଗୁରୁମନ୍ତ୍ର ଦିଆଯାଉଛି । କେବଳ ରାଜନୈତିକ କାର୍ଯ୍ୟକଳାପରେ ସୀମିତ ନ ରହି ବିଜେଡିକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଚାଲିଛି । ବିଜେଡି ନିରବରେ ଯେଭଳି ତାହାର ସାଂଗଠନିକ ନେଟୱର୍କ ବଢ଼ାଇ ଚାଲିଛି ତାହା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପାଇଁ ଆହ୍ୱାନ୍ ସୃଷ୍ଟି କରିଛି ।
ପ୍ରତି ବିଧାନସଭା ଓ ଲୋକସଭା ଆସନରେ କେଉଁଠି ଦଳ ଦୃଢ଼ ଅଛି ଓ ଆଉ କେଉଁଠି ଦୁର୍ବଳ ରହିଛି ତାହାର ଟିକିନିଖି ତଥ୍ୟ ସଂଗ୍ରହ କରି ପ୍ରତିକାର ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ନିର୍ବାଚନ ପୂର୍ବରୁ ପ୍ରମୁଖ ବିରୋଧୀ ଦଳଗୁଡିକର ଆଉ କିଛି ନେତା ବିଜେଡିରେ ଯୋଗ ଦେବାର ଢ଼େର ସମ୍ଭାବନା ଅଛି । ତେବେ ଏହି ତିନି ପ୍ରମୁଖ ଦଳଙ୍କ ପାଇଁ ଆଗାମୀ ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏବେଠାରୁ ବିଭିନ୍ନ ଶିବିରରେ ନିର୍ବାଚନୀ ଗଣିତ କଷା ଚାଲିଛି । (ତଥ୍ୟ)