ଭୁବନେଶ୍ୱର : କଂଗ୍ରେସ ବିରୋଧି ଆନ୍ଦୋଳନରୁ ରାଜନୌତିକ ଜୀବନ ଆରମ୍ଭ କରିଥିବା ଭକ୍ତ ଚରଣ ଦାସ ଏବେ ରାଜ୍ୟ କଂଗ୍ରେସ କମିଟିର ସଭାପତି ହୋଇଥିବାବେଳେ ଦଳକୁ ଓଡିଶାରେ ସୁଦୃଢ କରିବାପାଇଁ ସେ ତାଙ୍କ ସମ୍ପର୍କରେ ଥିବା ଉଭୟ କଂଗ୍ରେସ ଓ କଂଗ୍ରେସ ବିରୋଧି ନେତାମାନଙ୍କ ସହଯୋଗ ନେଇପାରନ୍ତି ବୋଲି ରାଜୈନତିକ ମହଲରେ ଚର୍ଚ୍ଚା ହେଉଛି ।
ଭକ୍ତ ଦାସ ଛାତ୍ର ଜୀବନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ଝାସଦେବା ସହ ଯୁବ ଛାତ୍ର ସଂଘର୍ଷ ସମିତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ଜୟପ୍ରକାଶଙ୍କ ନେତୃତ୍ୱରେ ସାରା ଦେଶରେ କଂଗ୍ରେସ ଶାସନ ବିଶେଷକରି ଇନ୍ଦିରା ଗାନ୍ଧୀଙ୍କ ନେୃତୃତ୍ୱର ଅବସାନ ପାଇଁ ସମ୍ମିଳିତ ଉଦ୍ୟମ ଚାଲିବାପରେ ଏହାର ପ୍ରତିକ୍ରିୟା ସ୍ୱରୂପ ୧୯୭୫ ମସିହାରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା । ସେ ସମୟରେ ଜଣେ ଛାତ୍ର ଭାବେ ଭକ୍ତବାବୁ ଜରୁରୀ ପରିସ୍ଥିତିକୁ ବିରୋଧ କରୁଥିଲେ ।
ପରବର୍ତ୍ତୀ ସମୟରେ ଭକ୍ତଚରଣ ଦାସ ଭବାନୀପାଟଣା ସଂରକ୍ଷିତ ଆସନରୁ ଜନତାଦଳ ପ୍ରାର୍ଥୀ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ରେ ସେ ଜନତାଦଳ ପ୍ରାର୍ଥୀ ଭାବେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ । ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରରେ ସେ କେନ୍ଦ୍ରୀ କ୍ରୀଡା ଓ ଯୁବସେବା ବ୍ୟାପାର ଉପମନ୍ତ୍ରୀ ଥିବାବେଳେ ପରବର୍ତ୍ତୀ ସମୟରେ ଚନ୍ଦ୍ରଶେଖରଙ୍କ ସମୟରେ ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୯୬ରେ ଶ୍ରୀ ଦାସ ପୁଣିଥରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସେ କଳାହାଣ୍ଡିର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇ ନୂଆ ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ସୋନିଆଗାନ୍ଧୀ, ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଉତ୍ତମସମ୍ପର୍କ ଦୃଷ୍ଟିରୁ କଂଗ୍ରେସ ସଂଗଠନର ଜାତୀୟ ସ୍ତରରେ ସେ ଅନେକ ଗୁରୁଦାୟିତ୍ୱ ନିର୍ବାହ କରିଥିଲେ । ଏମିତିକି କେତେକ ରାଜ୍ୟର ଦଳୀୟ ପ୍ରଭାରୀ ସହିତ ନିର୍ବାଚନ ପରିଚାଳନା ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କ୍ଷେତ୍ରରେ ଭକ୍ତ ଦାସଙ୍କର ଗୁରୁଦାୟିତ୍ୱ ରହିଥିଲା ।
ସମାଜବାଦୀ ନେତା କିଷନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ବିରୋଧି ନେତାଙ୍କ ସହିତ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ବିଶେଷକରି ଅଶୀ ଦଶକରେ କଳାହାଣ୍ଡି ଜିଲ୍ଲାରେ ଅନାହାର ମୃତ୍ୟୁ, ଶିଶୁ ବିକ୍ରି, ଝିଅ ବିକ୍ରି ଆଦି ପ୍ରସଙ୍ଗ ସେ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଫୋରମରେ ଉଠାଇଛନ୍ତି । କେବଳ ସେତିକି ନୁହେଁ, ନିୟମଗିରି ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ରାହୁଳ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେବାରେ ନିୟମଗିରି ପାହାଡ ସୁରକ୍ଷିତ ରହିପାରିଲା ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭକ୍ତ ଦାସଙ୍କର ବହୁ ଶୁଭେଚ୍ଛୁ ଓ ସମର୍ଥକ ରହିଛନ୍ତି । ଏମାନଙ୍କ ଭିତରୁ କେତେକ କଂଗ୍ରେସ ଦଳରେ ଥିବାବେଳେ ଆଉ ଅନେକ ବିଭିନ୍ନ ଦଳରେ ରହିଛନ୍ତି । ପ୍ରାୟ ୬ମାସ ଧରି ମୁରବି ବିହୀନ ଭାବେ ପଡିଥିବା କଂଗ୍ରେସଦଳ ଏବେ ଭକ୍ତଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ ଭାବେ ଦାୟିତ୍ୱ ଦେଇଛି । ସେ ଏହି ଦାୟିତ୍ୱ ନେବା ପରେ ପରେ ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀଙ୍କ ଭଳି ବହୁ ଟାଣୁଆ ନେତା ପୁଣି କଂଗ୍ରେସକୁ ଫେରିଛନ୍ତି । ଜନତାଦଳ, ସମାଜବାଦୀ ଜନତାପାର୍ଟି ଓ କଂଗ୍ରେସର ଅଭିଜ୍ଞତାକୁ ପାଥେୟ କରି ସେ ଓଡିଶାରେ ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ଛିଡା କରିବାପାଇଁ ଯେଉଁ ଯୋଜନା ରଖିଛନ୍ତି ତାହା କେତେଦୂର ସଫଳ ହେବ ସେ ସମ୍ପର୍କରେ ଭବିଷ୍ୟତ ହିଁ କହିବ । (ତଥ୍ୟ)