Home Assembly କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ଜଣ ବିଧାୟକ ଆଜି ୭ଟି କାର୍ଯ୍ୟଦିବସରୁ ନିଲମ୍ବିତ ହୋଇଛନ୍ତି । ଅପରାହ୍ନ ଅଧିବେଶନରେ ଶାସକଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସୁରମା ପାଢୀ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ଜଣ ବିଧାୟକଙ୍କ ନିଲମ୍ବନ ଘୋଷଣା କରିଥିଲେ ।

କଂଗ୍ରେସ ସଦସ୍ୟମାନେ ପ୍ରଶ୍ନକାଳରେ ଯେଭଳି ଘଣ୍ଟ ବଜାଇ ପ୍ରଦର୍ଶନ କରିଥିଲେ ତାହାକୁ ଅପରାହ୍ନ ଅଧିବେଶନରେ ଦୋହରାଇଥିଲେ । କଂଗ୍ରେସ ଓ ବିଜେପିର ପ୍ରଦର୍ଶନ ଯୋଗୁଁ ଆଜିର ପ୍ରଶ୍ନକାଳ ଓ ଶୂନ୍ୟକାଳରେ କୌଣସି କାର୍ଯ୍ୟ ହୋଇପାରିନଥିବାବେଳେ ଅପରାହ୍ନ ଅଧିବେନରେ କଂଗ୍ରେସ ପୁଣିଥରେ ଘଣ୍ଟବାଡେଇ ପ୍ରଦର୍ଶନ ଆରମ୍ଭ କରିବାପରେ ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ନିଲମ୍ବିତ କଂଗ୍ରେସର ୧୨ଜଣ ବିଧାୟକ ସର୍ବଶ୍ରୀ ରାମଚନ୍ଦ୍ର କାଡାମ, ଡାକ୍ତର ସି ଏସ ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ପବିତ୍ର ସାଉଁଟା, ଅଶୋକ ଦାସ, ଦାଶରଥୀ ଗମାଙ୍ଗ, ମଙ୍ଗୁ ଖିଲ, ନୀଳମାଧମ ହିକ୍‍କା, ପ୍ରଫୁଲ ପ୍ରଧାନ, କାଡ୍ରାକା ଆପାଲାସ୍ୱାମୀ, ସତ୍ୟଜିତ ଗମାଙ୍ଗ ସାଗର ଦାସଙ୍କୁ ଗୃହରୁ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବନ ନେଇ ଘୋଷଣା କରିଥିଲେ । ଏହି ତାଲିକାରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନିପତି ଓ ରମେଶ ଜେନାଙ୍କ ନାଁ ନାହିଁ । ଏହି ଅଧିବେଶନରେ ଶ୍ରୀ ବାହିନିପତି ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଥିବାବେଳେ ଶ୍ରୀ ଜେନା ଗୃହରେ କିଛି ଦିନ ଅନୁପସ୍ଥିତ ରହିଛନ୍ତି ।

ତେବେ ନିଲମ୍ବନ ନେଇ ବାଚସ୍ପତି ଶ୍ରୀମତୀ ପାଢୀ ଘୋଷଣା ପରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ । ନିଲମ୍ବିତ ସଦସ୍ୟଙ୍କୁ ଗୃହରୁ ବାହାର କରିବାପାଇଁ ମାର୍ଶାଲଙ୍କୁ ପରାମର୍ଶ ଦେଇଥିଲେ । ମାର୍ଶାଲଙ୍କ ଅନୁରୋଧ ପରେ ମଧ୍ୟ ନିଲମ୍ବିତ ବିଧାୟକମାନେ ଗୃହରେ ବସି ରହିଛନ୍ତି ।