Home Assembly କଂଗ୍ରେସର ହଟଗୋଳ ଯୋଗୁଁ ଗୃହ ଅଚଳ

କଂଗ୍ରେସର ହଟଗୋଳ ଯୋଗୁଁ ଗୃହ ଅଚଳ

ଭୁବନେଶ୍ୱର : କଂଗ୍ରେସ ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ଆଜି ବିଧାନସଭାର ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ଚାଲିପାରି ନାହିଁ । ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ମାତ୍ର ୭ ମିନିଟ୍‍ ପାଇଁ ଚାଲିଥିବାବେଳେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।

ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ନାରୀ ନିର୍ଯ୍ୟାତନା ମାମଲାର ତଦନ୍ତ ପାଇଁ ଗୃହ କମିଟି ଗଠନ ଦାବିରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ବାଚସ୍ପତି ଶ୍ରୀମତୀ ପାଢୀ ପ୍ରଶ୍ନକାଳ ଆରମ୍ଭ କରିଥିଲେ । ବିଜେପି ବିଧାୟକ ଅମର କୁମାର ନାୟକ ପଚାରିଥିବା ପ୍ରଥମ ପ୍ରଶ୍ନର ଉତ୍ତର କୃଷିମନ୍ତ୍ରୀଙ୍କ ତରଫରୁ ରଖିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ ତାଙ୍କ ଉତ୍ତର ରଖୁଥିବାବେଳେ କଂଗ୍ରେସ ସଦସ୍ୟ ସର୍ବଶ୍ରୀ ପବିତ୍ର ସାଉଁତା, ଡ. ସି.ଏସ୍‍. ରାଜନ ଏକ୍କା, ସୋଫିଆ ଫିରଦୋସ, ଅଶୋକ କୁମାର ଦାସ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିଲେ । ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟକୁ ଆସିବା ସହିତ ସ୍ଲୋଗାନମାନ ଦେଇଥିଲେ ।

ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାପାଇଁ ଅନୁରୋଧ କରିବା ସହିତ ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ଡାକିଥିଲେ । ତେବେ କଂଗ୍ରେସ କଂଗ୍ରେସ ସଦସ୍ୟମାନେ ହଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।