ଭୁବନେଶ୍ୱର : ରାଜ୍ୟର ଯେଉଁ ଯେଉଁ ସ୍ଥାନରେ କଂଗ୍ରେସ ମଜବୁତ ସ୍ଥିତିରେ ଅଛି ସେଠାରେ ଦଳକୁ ଦୁର୍ବଳ ପାଇଁ କଂଗ୍ରେସର କୁଚକ୍ରୀମାନେ ଲାଗି ପଡିଛନ୍ତି । ଏଭଳି ଚକ୍ରାନ୍ତର ଶିକାର ସେ ନିଜେ ହୋଇଥିବା କହିଛନ୍ତି ଦଳରୁ ନିଲମ୍ବନ ହୋଇଥିବା କଂଗ୍ରେସର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସର ପୂର୍ବତନ ଉପସଭାପତି ଚିରଞ୍ଜୀବ ବିଶ୍ୱାଳ ।
ଦଳରୁ ନିଲମ୍ବନ ହେବାପରେ ଶ୍ରୀ ବିଶ୍ୱାଳ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜଗତ୍ସିଂହପୁର, କଟକ ଓ କୋରାପୁଟ ଭଳି ଜିଲ୍ଲାରେ କଂଗ୍ରେସ ମଜବୁତ ସ୍ଥିତିରେ ଥିବାବେଳେ ସେଠାରେ ଦଳକୁ ଦୁର୍ବଳ କରିବାପାଇଁ କଂଗ୍ରେସର କୁଚକ୍ରୀ ଗୋଷ୍ଠି ଷଡଯନ୍ତ୍ର ଚଳାଇଛନ୍ତି । ସେଠାରେ ଦଳର ଆଗଧାଡିର ନେତାଙ୍କୁ ଅଣଦେଖା କରାଯାଉଛି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ସେ ୨୦୦୦ ରେ ତିର୍ତ୍ତୋଲ ବିଧାନସଭା ଓ ୨୦୧୪ରେ ଜଗତସିଂହପୁର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ତାଙ୍କ ବିରୁଦ୍ଧରେ ଯେଉଁମାନେ ଷଡଯନ୍ତ୍ର ଚଳାଇଛନ୍ତି ସେମାନେ ୧୯୯୫ରୁ ଥରୁଟିଏ ହେଲେ ସିଧାସଳଖ ନିର୍ବାଚନ ଜିଣି ନାହାନ୍ତି ।
୨୦୧୯ରେ କଂଗ୍ରେସ ରାଜ୍ୟରେ ୧୬% ଭୋଟ ପାଇଥିଲା । ଏହାପରେ ୫ଟି ଉପନିର୍ବାଚନ ହୋଇ ସାରିଲାଣି । ହେଲେ ତିର୍ତ୍ତୋଲକୁ ବାଦ୍ ଦେଲେ ଅନ୍ୟ ସବୁ ନିର୍ବାଚନରେ କଂଗ୍ରେସ ୩ରୁ ୪ ପ୍ରତିଶତ ଭୋଟ ପାଇଛି । ତିର୍ତ୍ତୋଲରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ୧୮% ଭୋଟ ପାଇଥିଲା ଯାହାକି ୨୦୧୯ ନିର୍ବାଚନରେ ରାଜ୍ୟରେ ପାଇଥିବା ଭୋଟ ହାର ଠାରୁ ୨% ଅଧିକ । ସେହିଭଳି ସମଗ୍ର ଉପକୂଳରେ ପୌର ନିର୍ବାଚନରେ କଂଗ୍ରେସ କେବଳ ଜଗତ୍ସିଂହପୁର ପୌରସଂସ୍ଥା ଦଖଲ କରିବାରେ ସକ୍ଷମ ହୋଇଥିଲା ।
ସେହିଭଳି ୨୦୧୯ ନିର୍ବାଚନରେ ସାରା ରାଜ୍ୟରେ କଂଗ୍ରେସ ଖରାବ ପ୍ରଦର୍ଶନ କରିଥିବାବେଳେ ଜଗତ୍ସିଂହପୁର ଜିଲ୍ଲାର ୪ଟି ଆସନ ଜଗତ୍ସିଂହପୁର, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ପାରାଦୀପ୍ରେ ୨ଲକ୍ଷରୁ ଅଧିକ ଭୋଟ ପାଇଥିଲା ।
ଜୟଦେବ ଭବନରେ ଯେଉଁ ସଭାକୁ ନେଇ ମୋ ନାମରେ ଅଭିଯୋଗ କରାଯାଇଛି ସେହି ସଭାରେ ମୁଁ କେବଳ ବସନ୍ତ-ଜାନକୀଙ୍କ ସବୁର୍ଣ୍ଣ ଯୁଗ କଥା ମନେ ପକାଇ ଦେଇଥିଲି । କୁହାଗଲା ମୋର ବକ୍ତବ୍ୟ ପାଇଁ ଝାରସୁଗୁଡାରେ କଂଗ୍ରେସ ମାତ୍ର ୪ହଜାର ଭୋଟ ପାଇଲା ।
ତେବେ ଧାମନଗର ଓ ପଦ୍ମପୁରରେ କଂଗ୍ରେସକୁ କାହିଁକି କମ୍ ଭୋଟ ମିଳିଥିଲା ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିବା ସହିତ ଏ ବାବଦରେ କାହିଁକି ତର୍ଜମ ହେଲାନାହିଁ ବୋଲି ପଚାରିଥିଲେ ।
ଶ୍ରୀ ବିଶ୍ୱାଳ କହିଥିଲେ ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । ଏଭଳି କାର୍ଯ୍ୟାନଷ୍ଠାନ ତାଙ୍କୁ ଆଘାତ ଦେଇଛି । ସେ କଂଗ୍ରେସର ଅଛନ୍ତି । କୁଚକ୍ରୀମାନଙ୍କ ଷଡଯନ୍ତ୍ର କଥା କଂଗ୍ରେସ କର୍ମୀମାନେ ବିଚାର କରିବେ ବୋଲି ସେ କହିଥିଲେ । ପ୍ରଦେଶ କଂଗ୍ରେସର ଏଭଳି କାର୍ଯ୍ୟ କଂଗ୍ରେସ ଯୋଡ ନା କଂଗ୍ରେସ ତୋଡ ବୋଲି ସେ ପ୍ରଶ୍ନ କରିଥିଲେ ।
ପ୍ରଦେଶ କଂଗ୍ରେସ ତାଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରିବାବେଳେ ସେ ଓଡିଶା ବାହାରେ ଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିବା ଶ୍ରୀ ବିଶ୍ୱାଳ କହିଥିଲେ । ସେ କହିଥିଲେ ଯେ ସାନଭାଇ ରଞ୍ଜୀବ ଓ ସେ ହେଉଛନ୍ତି କଂଗ୍ରେସର ତୃତୀୟ ପୀଢିର । ଜେଜେ କଂଗ୍ରେସରେ ଥିବାବେଳେ ପିତା ବସନ୍ତ ବିଶ୍ୱାଳ କଂଗ୍ରେସ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ରକ୍ତରେ ବେଇମାନୀ କରିବା ନାହିଁ । କଂଗ୍ରେସରେ ରହି ପଛରୁ ଛୁରୀ ମାରିବାକଥା ସେ କେବେ ଚିନ୍ତା କରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।
ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବିଶ୍ୱାଳ କହିଥିଲେ ଯେ ଜଗତ୍ସିଂହପୁର ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀମାନେ ତାଙ୍କ ସହିତ ଥିଲେ, ଅଛନ୍ତି ଓ ରହିବେ । ସେ ମଧ୍ୟ ଆଗାମୀ ନିର୍ବାଚନ ନିଶ୍ଚିତ ଭାବେ ଲଢିବେ ବୋଲି ସ୍ପଷ୍ଟ କରିଥିଲେ ।