ଭୁବନେଶ୍ୱର : ଗୋଟିଏ ପଟେ ନିରାମୟ ଯୋଜନାରେ ଔଷଧ ପରିମାଣ ହ୍ରାସ ପାଉଥିବାବେଳେ ଅନ୍ୟ ପଟେ ଯେତିକି ଔଷଧ ମିଳୁଛି ତାହାର ଟିକିନିଖି ହିସାବ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ବିଶେଷକରି ଛୋଟ ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଡାକ୍ତରଖାନାକୁ ଆସୁଥିବା ସମସ୍ତ ଔଷଧର ଟିକିନିଖି ହିସାବ ରଖିବାକୁ ଅଡିଟ୍ ଦଳ କହୁଥିବାବେଳେ ବିନା କମ୍ପ୍ୟୁଟର ଓ ସ୍ୱଳ୍ପ କର୍ମଚାରୀରେ ଏହା କିଭଳି ସମ୍ଭବ ହେବ ସେହି ଚିନ୍ତା ଏବେ ଚିକିତ୍ସକମାନଙ୍କୁ ଘାରିଛି ।
ରୋଗୀମାନଙ୍କୁ ନିରାୟମ ଯୋଜନାରେ ସରକାର ମାଗଣା ଔଷଧ ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ପ୍ରାୟ ୨ଶହ ପ୍ରକାରର ଔଷଧ ଯୋଗାଣ ହେଉଥିବାବେଳେ ଏବେ ସେହି ସଂଖ୍ୟା ହ୍ରାସ ପାଇଛି । ତଥାପି ଡାକ୍ତରଖାନା ପକ୍ଷରୁ ରୋଗୀଙ୍କୁ ଯଥାସମ୍ଭବ ମାଗଣା ଔଷଧ ଯୋଗାଣ ହେଉଛି । ତେବେ ଏହି ଔଷଧର ହିସାବ ରଖିବା ଏବେ ଚିନ୍ତାର କାରଣ ପାଲଟିଛି ।
କାରଣ ଡାକ୍ତରଖାନା ପାଇଁ ଯେତିକି ଔଷଧ ଆବଶ୍ୟକ ତାହାର ବରାଦ ଦିଆଯିବା ପରେ କେନ୍ଦ୍ରୀୟ ଔଷଧ ଭଣ୍ଡାରରୁ ଔଷଧ ଆସିଥାଏ । ସେହି ଔଷଧରୁ ରୋଗୀଙ୍କୁ ପ୍ରତିଦିନ ଔଷଧ ଯୋଗାଇ ଦିଆଯାଏ । ତେବେ ପ୍ରତ୍ୟେକ ଦିନ କେଉଁ ଔଷଧରୁ କେତେ ପରିମାଣର ରୋଗୀଙ୍କୁ ଦିଆଯାଉଛି ଓ କେତେ ଗଚ୍ଛିତ ରହୁଛି ତାହାର ଟିକିନିଖି ହିସାବ ରଖିବା କର୍ତ୍ତୃୃପକ୍ଷଙ୍କ ପକ୍ଷେ କାଠିକରପାଠ ହେଲାଣି । ଯେଉଁଠାରେ ଅଧିକ କର୍ମଚାରୀ ରହିଛନ୍ତି ଓ କମ୍ପ୍ୟୁଟର ବ୍ୟବସ୍ଥା ରହିଛି ସେଠାରେ କୌଣସି ପ୍ରକାରେ ଏହି ହିସାବ ରଖାଯାଇ ପାରୁଛି ।
ହେଲେ ଯେଉଁ ଚିକିତ୍ସାଳୟରେ ଜଣେ କିମ୍ବା ଦୁଇଜଣ ଡାକ୍ତର ରହୁଛନ୍ତି ଏବଂ ଔଷଧ ଯୋଗାଇବାପାଇଁ ଜଣେ ଫର୍ମାସିଷ୍ଟ ବସୁଛନ୍ତି ସେଠାରେ କିଭଳି ଔଷଧ ହିସାବ କରାଯିବ ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । କାରଣ ଏଭଳି ଚିକିତ୍ସାଳୟରେ ଅଧିକ କର୍ମଚାରୀ ନାହାନ୍ତି କି କମ୍ପ୍ୟୁଟର ବି ନାହିଁ । ତେଣୁ ଶହ ଶହ ରୋଗୀ ଦେଖି ଔଷଧ ଦେବାପରେ ଔଷଧର ହିସାବ ରଖିବା ସମ୍ଭବପର ହେଉନାହିଁ ।
ନାମ ଗୋପନ ସର୍ତ୍ତରେ ଜଣେ ଡାକ୍ତର କହିଛନ୍ତି ଯେ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ବାହାରୁ ଔଷଧ ଲେଖିବା ମନା ହୋଇଥିବାରୁ ଆମେ କେବଳ ସରକାରୀ ଔଷଧ ପ୍ରଦାନ କରୁଛି । ଜଣେ ଡାକ୍ତର ରୋଗୀଙ୍କୁ ଦେଖିବାକୁ ବେଳ ମିଳୁନାହିଁ କି ଫର୍ମାସିଷ୍ଟଙ୍କୁ ଔଷଧ ଦେବାକୁ ଫୁରସତ୍ ନାହିଁ । ଏହି କାମ ବାଦ୍ ଡାକ୍ତରଖାନାକୁ ଆସୁଥିବା ସମସ୍ତ ଔଷଧର ପ୍ରତିଦିନ ହିସାବ ରଖିବା କାଠିକର ପାଠ । ସରକାର ଏଥିପାଇଁ ଅତିରିକ୍ତ କର୍ମଚାରୀ ସହିତ କମ୍ପ୍ୟୁଟର ଯୋଗାଇ ଦିଆଯିବା ଆବଶ୍ୟକ । ଏଭଳି ସୁବିଧା ନଥିବାବେଳେ ଅଡିଟ୍ କର୍ତ୍ତୃପକ୍ଷ କିନ୍ତୁ ପ୍ରତିକୂଳ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି । ସ୍ଥିତି ଏଭଳି ହେଲେ ସରକାରୀ ଚାକିରିରୁ ଅବ୍ୟାହତି ନେଇ ଘରୋଇ ଚିକିତ୍ସା କରିବା ବରଂ ଭଲ ହେବ ।
ଅନ୍ୟ ପକ୍ଷରେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଣ ହ୍ରାସ ମଧ୍ୟ ଚିକିତ୍ସକମାନଙ୍କୁ ଅଡୁଆରେ ପକାଇବାରେ ଲାଗିଛି । ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଔଷଧ ଯୋଗାଣ ଠିକଣା ଭାବେ ହେଉନଥିବାବେଳେ ଲୋକେ ଏଥିପାଇଁ ଡାକ୍ତର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ରାଗ ସୁଝାଉଛନ୍ତି । ସେମାନେ କାହିଁକି ଔଷଧ ଆଣୁନାହାନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ତେଣୁ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାପାଇଁ ରୋଗୀମାନେ ମତ ଦେଉଛନ୍ତି । (ତଥ୍ୟ)