ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାର ସର୍ବପୁରାତନ ଓ ନିର୍ଭରଯୋଗ୍ୟ ଉତ୍ସଗୁଡ଼ିକ ମଧ୍ୟରୁ ଅନ୍ୟତମ ଔଷଧୀୟ ଉଦ୍ଭିଦ ବର୍ତମାନ ମାନବୀୟ ହସ୍ତକ୍ଷେପ, ଆବାସସ୍ଥଳୀ ନଷ୍ଟ, ଅତ୍ୟଧିକ ସଂଗ୍ରହ ଓ ଜଳବାୟୁ ପରିବର୍ତନ ଯୋଗୁଁ ଗୁରୁତର ବିପଦର ସମ୍ମୁଖୀନ ହେଉଛି । ଏହାର ସଂରକ୍ଷଣ ପାଇଁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଶିିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ କର୍ମଶାଳା ‘ମେଡିସିନାଲ୍ ପ୍ଲାଂଟ୍ସ ଆଜ ନେଚର ଫାର୍ମାସୀ: ଅଣ୍ଡରଷ୍ଟାଣ୍ଡିଂ ଦେୟାର ଥେରାପ୍ୟୁଟିକ୍ ପ୍ରମିସ୍ ଆଣ୍ଡ ଦ ଚ୍ୟାଲେଞ୍ଜ ଅଫ୍ କନ୍ଜରଭେସନ୍’ ର ଉଦ୍ଘାଟନୀ ଅଧିବେଶନରେ ଏହି ମତ ପ୍ରକାଶ ପାଇଛି ।
ନ୍ୟାସନାଲ୍ ମେଡିସିନାଲ୍ ପ୍ଲାଂଟସ୍ ବୋର୍ଡ (ଏନ୍ଏମ୍ପିବି) ଏବଂ ସୋଆ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ଆୟୁବେର୍ଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏଏସ୍), ଆୟୁଷ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ପ୍ରଫେସର (ବୈଦ୍ୟ) ରବି ନାରାୟଣ ଆଚାର୍ଯ୍ୟ କହିଥିଲେ ଯେ, ଔଷଧୀୟ ଉଦ୍ଭିଦ ‘ଦ୍ରବ୍ୟଗୁଣ ବିଜ୍ଞାନ’ ଅର୍ଥାତ୍ ଆୟୁର୍ବେଦିକ ବିଜ୍ଞାନର ମୌଳିକ ଆଧାର ।
“ବ୍ୟବହୃତ ଔଷଧର ପ୍ରାୟ ୮୫ ପ୍ରତିଶତ ପ୍ରାକୃତିକ ସମ୍ବଳରୁ ଉତ୍ପନ୍ନ । କିନ୍ତୁ ଆୟୁର୍ବେଦ ପାଇଁ ଅତ୍ୟନ୍ତ ଆବଶ୍ୟକ ଅନେକ ଔଷଧୀୟ ଉଦ୍ଭିଦ ବର୍ତମାନ ବିଲୁପ୍ତିର ଦ୍ୱାର ଦେଶରେ ରହିଛି,” ବୋଲି ପ୍ରଫେସର ଆଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ।
ଶତାବ୍ଦୀ ଧରି ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇଆସୁଥିବା ଔଷଧୀୟ ଉଦ୍ଭିଦ ଗୁଡ଼ିକ ବିଭିନ୍ନ ଜୈବ ସକ୍ରିୟ ଉପାଦାନର ସମୃଦ୍ଧ ଭଣ୍ଡାର ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ । ଏଗୁଡ଼ିକ ସୁରକ୍ଷିତ, ସୁଲଭ ଓ ସ୍ଥାୟୀ ସ୍ୱାସ୍ଥ୍ୟସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ ।
ଔଷଧୀୟ ଉଦ୍ଭିଦର ଚିକିତ୍ସାଗତ ସମ୍ଭାବନା ସହ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ଏହି କର୍ମଶାଳାର ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ସେ କହିଥିଲେ । ଅତ୍ୟଧିକ ସଂଗ୍ରହ, ଜୀବାବାସ ନଷ୍ଟ ଏବଂ ଜଳବାୟୁ ପରିବର୍ତନରୁ ଔଷଧୀୟ ଉଦ୍ଭିଦକୁ ସୁରକ୍ଷିତ ରଖିବା ସହ ଏହାର ବୈଜ୍ଞାନିକ ଓ ସୁସ୍ଥାୟୀ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏନ୍ଏମ୍ପିବିର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ମହେଶ କୁମାର ଦଧିଚି କହିଥିଲେ ଯେ, ଔଷଧୀୟ ଉଦ୍ଭିଦ ପ୍ରକୃତିର ଏକ ‘ଔଷଧାଳୟ’ ଭାବେ କାର୍ଯ୍ୟ କରିବା ସହ ବିଶ୍ୱର କୋଟି କୋଟି ଲୋକଙ୍କୁ ସ୍ଥାୟୀ ଓ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇଆସୁଛି ।
ବିଶ୍ୱ ଧୀରେ ଧୀରେ ପ୍ରାକୃତିକ ଉତ୍ପାଦ ଆଡ଼କୁ ମୁହାଁଇଥିବା ବେଳେ ଭାରତର ସମୃଦ୍ଧ ଔଷଧୀୟ ଉଦ୍ଭିଦ ସଂପଦର ଚିକିତ୍ସାଗତ ସମ୍ଭାବନାକୁ ବିଶ୍ୱସ୍ତରରେ ଅଭୂତପୂର୍ବ ସ୍ୱୀକୃତି ମିଳୁଛି ବୋଲି ସେ କହିଥିଲେ । ତେବେ ବଢ଼ୁଥିବା ଚାହିଦା ଯୋଗୁଁ ଜୀବାବାସ ନଷ୍ଟ ଓ ଅତ୍ୟଧିକ ଶୋଷଣ ଭଳି ସମସ୍ୟା ସୃଷ୍ଟି ହେଉଛି । ଦେଶର ଏହି ସବୁଜ ଐତିହ୍ୟର ସୁରକ୍ଷା ଓ ସୁସ୍ଥାୟୀ ବ୍ୟବହାର ପାଇଁ ଏନ୍ଏମ୍ପିବି ପ୍ରତିବଦ୍ଧ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି ସଭାପତିତ୍ୱ କରିଥିଲେ ।
ଉଦ୍ଘାଟନୀ ଅଧିବେଶନରେ ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲକାତାର ସ୍କୁଲ୍ ଅଫ୍ ନ୍ୟାଚୁରାଲ୍ ପ୍ରଡକ୍ଟ ଷ୍ଟଡିଜ୍ର ର୍ନିେଦ୍ଦଶକ ପ୍ରଫେସର ପଲ୍ଲବ କାନ୍ତି ହାଲଦାର, ସୋଆ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ଡେବାଜ୍ୟୋତି ଦାସ ଏବଂ କାର୍ଯ୍ୟକ୍ରମର ଆୟୋଜନ ସଚିବ ଡକ୍ଟର ବିଶ୍ୱକାନ୍ତ କର ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

