ଭୁବନେଶ୍ୱର : ‘ସ୍କିଲ୍ଡ-ଇନ୍-ଓଡ଼ିଶା’ ବ୍ରାଣ୍ଡ ସାରା ବିଶ୍ୱକୁ ଆଲୋକିତ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍-୨୦୨୩’ ଉଦ୍ଘାଟନ କରି ଦେଶରେ ନୂତନ ଯୁଗର ବୈଷୟିକ ଦକ୍ଷତା ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କ୍ଲାଉଡ୍ କମ୍ପୁ୍ୟଟିଂ, କୃତି୍ରମ ବୈଷୟିକ ବିଦ୍ୟା, ଡାଟା ବିଜ୍ଞାନ ଏବଂ ଅନ୍ୟାନ୍ୟ ଭବିଷ୍ୟତବାଦୀ ଜ୍ଞାନ ନିମନ୍ତେ ଯୁବକମାନଙ୍କୁ ତାଲିମ ଦେଇ ‘ନୂଆ ଓଡ଼ିଶା’ ଗଠନ ଲକ୍ଷ୍ୟରେ ଚଳିତ ବର୍ଷ ଓଡ଼ିଶା ସରକାର ବଜେଟ୍ରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ଭାବରେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ସହିତ ନିଯୁକ୍ତି ବଜାରରେ ଏହି ଦକ୍ଷତାର ସ୍ୱୀକୃତି ଏବଂ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଶିଳ୍ପାନୁଷ୍ଠାନ, ଶିକ୍ଷାବିତ୍ ଓ ନାଗରିକ ସମାଜର ଐକ୍ୟବଦ୍ଧ ପ୍ରୟାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ।
ଓଡ଼ିଶା ଏହି ଉଦ୍ଦେଶ୍ୟରେ ମିଶନ୍ ଶକ୍ତି ପରି ପ୍ରତିବଦ୍ଧ ଅଭିଯାନ ଆରମ୍ଭ କରି ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ହେବା ପାଇଁ ସହଯୋଗ କରିଛି । ସେ କହିଛନ୍ତି ଯେ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ, ଦ୍ରୁତ ବୈଷୟିକ ପ୍ରଗତି ଓ ପରିବର୍ତ୍ତିତ ବଜାର ବ୍ୟବସ୍ଥା କାରଣରୁ ମାନବ ସଂସାଧନ କ୍ଷେତ୍ରରେ ଅଧିକ ପୁଂଜିନିବେଶ ସମେତ ଏକବିଂଶ ଶତାବ୍ଦୀରେ ସଫଳତା ଅର୍ଜନ ପାଇଁ ଯୁବପିଢ଼ିଙ୍କୁ ଦକ୍ଷ କରି ଗଢ଼ିତୋଳିବା ଅପରିହାର୍ଯ୍ୟ ହୋଇପଡ଼ିଛି ।
ଆଜିର ଉଦ୍ଘାଟନ ପର୍ବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନେକାନେକ ଅନୁକୂଳ ପଦକ୍ଷେପ ବଳରେ ଦକ୍ଷତା ବିକାଶ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇପାରିଛି । ସେଥିପାଇଁ ଆମେ ଆଧୁନିକ ଓ ଭବିଷ୍ୟତ ପ୍ରଯୁକ୍ତି ଜ୍ଞାନରେ ଅଧିକ ସୁଫଳ ପାଇବା ନିମନ୍ତେ ଶିଳ୍ପାନୁଷ୍ଠାନଗୁଡ଼ିକ ସହିତ ସହଯୋଗ ଅବ୍ୟାହତ ରଖିଛୁ ।
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍ଚୀ ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍’କୁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ପ୍ରମାଣ ବୋଲି ଅଭିହିତ କରି ରୂପାନ୍ତରଣଶୀଳ ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସ୍ୱାସ୍ଥ୍ୟ ପରି ଦକ୍ଷତା ବିକାଶ ବଳରେ ଓଡ଼ିଶା ବିଶ୍ୱସ୍ତରୀୟ ମାନଦଣ୍ଡ ଭାବରେ ପରିଗଣିତ ହୋଇପାରିବ ବୋଲି ମତ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଲେ ଯେ ରୋବୋଟିକ୍ସ ଓ କୃତି୍ରମ ବୁଦ୍ଧିମତ୍ତାର ବିକାଶ ହେତୁ ବୈଷୟିକ କ୍ଷେତ୍ରରେ ପରିଦୃଷ୍ଟ ଦ୍ରୁତ ପରିବର୍ତ୍ତନ ପରିପ୍ରେକ୍ଷୀରେ ଦକ୍ଷତା ବିକାଶ ବର୍ତ୍ତମାନ ପାଇଁ ବଡ଼ ଆବଶ୍ୟକତା ଭାବରେ ଉଭା ହୋଇଛି । ଏପରି କନ୍କ୍ଲେଭ୍ ନୀତିନିର୍ଦ୍ଧାରକ, ଶିଳ୍ପାନୁଷ୍ଠାନର ପ୍ରତିନିଧି, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଲୋଚନା, ସମନ୍ୱିତ ଉଦ୍ୟମ ଓ ସହଯୋଗର ଏକ ମଞ୍ଚ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଓଡ଼ିଶାର ଦକ୍ଷତା ବିକାଶ କେବଳ ଏକ ତାଲିମ ପ୍ରକ୍ରିୟା ନହୋଇ ଜୀବନଧାରା ପରିବର୍ତ୍ତନର ଲକ୍ଷ୍ୟ ଭାବରେ ସ୍ୱୀକୃତ ହୋଇଛି । ଏହି କନ୍କ୍ଲେଭ୍ ଦକ୍ଷତା ବିକାଶ କ୍ଷେତ୍ରରେ ସମସ୍ତ ଅଂଶୀଦାରଙ୍କୁ ଗୋଟିଏ ଛାତତଳକୁ ଆଣିବାରେ ସଫଳ ହୋଇଛି ଓ ଏହା ଫଳରେ ନୂତନ ଦିଗର ଉନ୍ମୋଚନ ହୋଇପାରିଛି ବୋଲି ସେ ଦର୍ଶାଇଥିଲେ ।
ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି ଭାରତୀୟ ଶିଳ୍ପ, ବାଣିଜ୍ୟ ମହାସଂଘ (ଫିିକି)ର ଅଧ୍ୟକ୍ଷ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଲେ ଯେ ଏହି କନ୍କ୍ଲେଭ୍ର ପ୍ରସଙ୍ଗ ‘ନୂତନ ବିଶ୍ୱ ପାଇଁ ଦକ୍ଷତା’ ସମକାଳୀନ ଦୃଶ୍ୟପଟରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିବା ଏହି କନ୍କ୍ଲେଭ୍ ଓଡ଼ିଶାବାସୀଙ୍କ ପାଇଁ ନୂତନ ନିବେଶ ସମେତ ଦକ୍ଷତା ବିକାଶକୁ ଉଚ୍ଚସ୍ତରକୁ ନେଇପାରିବ ।
ଉଦ୍ଘାଟନ ପର୍ବରେ ଅନ୍ୟତମ ଆକର୍ଷଣ ଥିଲା ଦକ୍ଷତା ବିକାଶ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର । ସିଙ୍ଗାପୁର ଆଇଟିଇ ଶିକ୍ଷାସେବା ଓ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ; ମିଶନ ଶକ୍ତି ଓ ବିଶ୍ୱ ଦକ୍ଷତା କେନ୍ଦ୍ର; ସିଙ୍ଗାପୁରର ଆଇଟିଇ ଶିକ୍ଷା ସେବା ଓ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗ; ଓଡ଼ିଶା କମ୍ପୁ୍ୟଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍) ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ; ଭାରତୀୟ ଡ୍ରୋନ୍ ଫେଡେରେସନ୍ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ ପୁଂଜିନିବେଶ ନିମନ୍ତେ କେତେକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ନିବେଶ ନିମନ୍ତେ ସମ୍ମତି ପତ୍ର ଉପସ୍ଥାପନ କରିଥିଲେ ।
ଦେଶରେ ଦକ୍ଷତା ବୃଦ୍ଧି ଓ ଯୁବଶକ୍ତି ନିମନ୍ତେ ପୋଷଣୀୟ ଜୀବିକାର୍ଜନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ‘ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍’ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହା୍ୱନର ସମାଧାନ, ଗତିଶୀଳ ପରିବେଶକୁ ଦୃଷ୍ଟିରେ ରଖି ରୋଡ୍ମ୍ୟାପ୍ ପ୍ରସ୍ତୁତି ଏବଂ ଦେଶର ଯୁବକମାନଙ୍କ ନିମନ୍ତେ ନିଯୁକ୍ତି ଅନୁକୂଳ ଦକ୍ଷତାର ଅଭିବୃଦ୍ଧି ଦିଗରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କୁହାଯାଇଛି ।
ଉଦ୍ଘାଟନ ପର୍ବ ପରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେଉଛି । ଭାରତୀୟ ଶିଳ୍ପ ବାଣିଜ୍ୟ ମହାସଂଘ (ଫିକି)ର ସହଯୋଗ କ୍ରମେ ଓଡ଼ିଶା ସରକାର ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଏହି କନ୍କ୍ଲେଭ୍ ତିନିଦିନ ଧରି ଚାଲିବ ।