ଭୁବନେଶ୍ୱର : ଅଖା ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ରାଜ୍ୟରେ ଝୋଟ ଶିଳ୍ପର ଅପମୃତ୍ୟୁ ଘଟାଇବା ସହ ଚାଷୀଙ୍କୁ ପ୍ରକାରାନ୍ତରେ ନଳିତା ଚାଷରୁ ଦୂରେଇ ରଖାଯିବା ଫଳରେ ଝୋଟ ଅଖା ଓ ବ୍ୟାଗ୍ କିଣିବା ବାବଦରେ ଓଡ଼ିଶା ଅନ୍ୟ ରାଜ୍ୟକୁ ବିପୁଳ ଅର୍ଥ ଦେବାକୁ ବାଧ୍ୟ ହେଉଛି ।
ଗୋଟିଏ ସମୟରେ ଝୋଟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା । ରାଜ୍ୟର ଚାଷୀମାନେ ବର୍ଷକୁ ୫୦ହଜାରରୁ ୧ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ଜମିରେ ନଳିତା ଚାଷ କରୁଥିଲେ । ସେତେବେଳେ ଧାନମଣ୍ଡଳ ଝୋଟକଳ ଚାଲୁଥିଲା । ଏହାଛଡ଼ା ଗାଁ ଗାଁରେ ଲୋକେ ହାତରେ ଝୋଟ ସୁତୁଲି ମଧ୍ୟ ପ୍ରସ୍ତୁତ କରୁଥିଲେ । ଧାନ, ଚାଉଳ, ଚିନି, ଡାଲି, ଲୁଣ ଆଦି ଖାଉଟି ସାମଗ୍ରୀର ସଂରକ୍ଷଣ ଓ ବିପଣନ ବେଳେ ଝୋଟ ଅଖା ବହୁଳ ଭାବେ ବ୍ୟବହୃତ ହେଉଥିଲା । ତେଣୁ ନଳିତ ଚାଷ କରି ଲୋକେ ବେଶ୍ ଲାଭବାନ ହେଉଥିଲେ । କେବଳ ସେତିକି ନୁହେଁ, ଜୁଲାଇ-ଅଗଷ୍ଟ ବେଳକୁ ନଳିତା କ୍ଷେତରୁ କଟା ହୋଇଯାଉଥିବାରୁ ଏହାର ପତ୍ର ପଡ଼ି ଚାଷ ଜମି ମଧ୍ୟ ଉର୍ବର ହେଉଥିଲା ଏବଂ ଏହା ଧାନ ଓ ଅନ୍ୟାନ୍ୟ ଚାଷ କ୍ଷେତ୍ରରେ ମଧ୍ୟ ପ୍ରାକୃତିକ ସାର ଯୋଗାଉଥିଲା ।
ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ହେବା ଫଳରେ ଝୋଟ ଅଖା ବ୍ୟାଗ୍ ଆଦିର ବ୍ୟବହାର କମିଗଲା ଏବଂ ଏ ପରିପ୍ରେକ୍ଷୀରେ ପରିଚାଳନାଗତ ତ୍ରୁଟି ଯୋଗୁ ଓଡ଼ିଶାର ଝୋଟ କଳରେ ତାଲା ଝୁଲିଲା । ଏଥିଯୋଗୁ ଝୋଟ କଳ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମ ନିଯୁକ୍ତି ପାଉଥିବା ହଜାର ହଜାର ଲୋକ ଜୀବିକା ହରାଇଲେ । ପ୍ଲାଷ୍ଟିକ୍ ଓ ପଲିଥିନ୍ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସରକାର ଘୋଷଣା କରିବା ସହିତ ଏହାର ବ୍ୟବହାର ଉପରେ କଟକଣା ଜାରି କରିଥିଲେ ମଧ୍ୟ ତାହାକୁ କଡ଼ାକଡ଼ି ଭାବେ ପାଳନ କରାନଯିବାରୁ ଝୋଟ ଶିଳ୍ପ ବିପନ୍ନ ହୋଇପଡିଲା ।
ଇତିମଧ୍ୟରେ ମଣ୍ଡିରେ ଧାନ ବିକିବା ବେଳକୁ ଝୋଟ ବସ୍ତାକୁ ବାଧ୍ୟତାମୂଳକ କରାଯିବା ଫଳରେ ଓଡ଼ିଶାର ଚାଷୀମାନଙ୍କ ପାଇଁ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରୁ ଝୋଟ ଅଖାମାନ ଅଣାଯାଉଛି । ସେହିଭଳି ଚିନି, ଡାଲି, ଚାଉଳ ଆଦି ପ୍ଲାଷ୍ଟିକ୍ ଅଖାରେ ନରଖିବା ଲାଗି ବୈଧାନିକ ସତର୍କତା ଦିଆଯାଉଥିବାବେଳେ ଏଥିପାଇଁ ବି ଅଧିକ ସଂଖ୍ୟକ ଝୋଟ ଅଖାର ଆବଶ୍ୟକତା ରହିଛି । ଓଡ଼ିଶାରେ ଝୋଟ ଉତ୍ପାଦନ ଓ ତାହାର ପ୍ରକ୍ରିୟାକରଣ ପାଇଁ ଅନୁକୂଳ ପ୍ରାକୃତିକ ବାତାବରଣ ଥିବା ଦୃଷ୍ଟିରୁ ନଳିତ ଚାଷ ଓ ଝୋଟ ଶିଳ୍ପକୁ ସରକାର ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହନ ଦେଲେ ଜମିର ଉତ୍ପାଦିକା ଶକ୍ତି ବୃଦ୍ଧି ପାଇବା ସହିତ କୃଷି ଅର୍ଥନୀତି ମଧ୍ୟ ବିକଶିତ ହେବ ଓ ଏଥିଯୋଗୁ ବ୍ୟାପକ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏ ସମୟରେ ଓଡ଼ିଶା ସରକାର ମାଗଣା ଚାଉଳ ହିତାଧିକାରୀମାନଙ୍କ ଲାଗି ଝୋଟ ବ୍ୟାଗ ମାଗଣାରେ ଯୋଗାଇଲେ । ଓଡ଼ିଶାରେ ଝୋଟ ବ୍ୟାଗ ଉତ୍ପାଦିତ ହେଉନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏହି କାର୍ଯ୍ୟକ୍ରମରୁ ବିଶେଷ ଫାଇଦା ଉଠାଇଥିଲେ । ଓଡ଼ିଶାରେ ପ୍ରାୟ ୩କୋଟି ୩୫ଲକ୍ଷ ଲୋକ ମାଗଣା ଚାଉଳର ହିତାଧିକାରୀ ହୋଇଥିବା ବେଳେ ସେମାନଙ୍କ ଲାଗି ପ୍ରାୟ ୨ କୋଟି ବ୍ୟାଗ କିଣାଯିବାରେ ରାଜ୍ୟ ରାଜକୋଷରୁ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ କରାଗଲା ତାହାର ଫାଇଦା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଉଠାଇଲେ । ରାଜ୍ୟ ସରକାର ଶିଳ୍ପ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିବା ପରିପ୍ରେକ୍ଷୀରେ ଖଣିଜ ଶିଳ୍ପ ପଛରେ ନଗୋଡ଼ାଇ କୃଷି ଭିତ୍ତିକ ଶିଳ୍ପର ବିକାଶ ଲାଗି ଧ୍ୟାନଦେଲେ ରାଜ୍ୟ ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି । (ତଥ୍ୟ)