ଭୁବନେଶ୍ୱର : କର୍କଟ ରୋଗର ଚିକିତ୍ସା ପାଇଁ ଓଡ଼ିଶାରେ ଯେତେ ଅଧିକ ଡାକ୍ତରଖାନା ବ୍ୟବସ୍ଥା ହେଉଛି ରୋଗୀ ସଂଖ୍ୟା ବି ତାହା ତୁଳନାରେ ଢେର୍ ଅଧିକ ହେଉଥିବାରୁ ଏବେ ପ୍ରତି ଜିଲ୍ଲାରେ ଅନ୍ୟୁନ ଗୋଟିଏ କରି ସ୍ୱତନ୍ତ୍ର ସରକାରୀ କର୍କଟ ଚିକିତ୍ସା କେନ୍ଦ୍ରର ଆବଶ୍ୟକତା ଅନୁଭୂତ ହେଉଛି ।
ପୂର୍ବରୁ କଟକରେ କେବଳ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ଓ ଚିକିତ୍ସା ସଂସ୍ଥାନରେ ଏହି ରୋଗର ଚିକିତ୍ସା ସୁବିଧା ଉପଲବ୍ଧ ଥିଲା । ଏବେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ଗୁଡିକରେ କର୍କଟ ରୋଗ ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି । ଏହାଛଡ଼ା ବି ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନା ଗୁଡିକରେ ମଧ୍ୟ କର୍କଟ ରୋଗୀଙ୍କ ପାଇଁ ଉପଚାର ବନ୍ଦୋବସ୍ତ କରାଯାଇଛି । ବରଗଡ଼, ଝାରସୁଗୁଡା, ଜଟଣୀ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର କର୍କଟ ଚିକିତ୍ସା ଲାଗି ଡାକ୍ତରଖାନାମାନ ସ୍ଥାପନ କରାଯାଇଛି । ଆଉ କେତେକ ଘରୋଇ ଡାକ୍ତରଖାନାରେ ମଧ୍ୟ ଆମ ରାଜ୍ୟରେ କର୍କଟ ରୋଗର ଚିକିତ୍ସା ସୁବିଧା ଉପଲବ୍ଧ ଅଛି । ଏହାଛଡ଼ା ରାଜ୍ୟର ବହୁ କର୍କଟ ରୋଗୀ ଉନ୍ନତମାନର ଚିକିତ୍ସା ପାଇଁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲ୍କାତା, ହାଇଦ୍ରାବାଦ୍ ଆଦି ବିଭିନ୍ନ ସ୍ଥାନକୁ ଯାଉଛନ୍ତି ।
ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ଓ ଚିକିତ୍ସା ସଂସ୍ଥାନ ଏବଂ ଭୁବନେଶ୍ୱରର ଏମ୍ସର ବର୍ହିବିଭାଗ ଓ ଅର୍ନ୍ତବିଭାଗରେ ସର୍ବାଧିକ କର୍କଟ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ଦୁଇଟି ସରକାରୀ ସଂସ୍ଥାନରେ ଏତେ ସଂଖ୍ୟକ ରୋଗୀ ହେଉଛନ୍ତି ଯେ ସ୍ଥଳ ବିଶେଷରେ ପେଟ୍ସିଟି, ସିସିଟି, ବାୟୋପ୍ସି ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ରୋଗୀଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି । ବିଶେଷକରି ଏମ୍ସରେ ରୋଗୀସଂଖ୍ୟା ତୁଳନାରେ ଯନ୍ତ୍ରପାତି ଓ ମାନବସମ୍ବଳ କମ୍ ରହିଥିବାରୁ ପେଟ୍ସିଟି, ସିସିଟି ଆଦି ପରୀକ୍ଷା ଲାଗି ମାସେ, ଦୁଇମାସ ପରେ ସମୟ ମିଳୁଛି ଏବଂ ଏହାପରେ ରିପୋର୍ଟ ମିଳିବା ଲାଗି ମଧ୍ୟ ସପ୍ତାହେରୁ ଅଧିକ ସମୟ ଲାଗି ଯାଉଛି ।
କଟକ ଓ ଭୁବନେଶ୍ୱରରେ ଥିବା ଏହି ଦୁଇଟି ଉନ୍ନତମାନର ଡାକ୍ତରଖାନାରେ କେବଳ ଓଡ଼ିଶାର ନୁହେଁ ଅନ୍ୟ ରାଜ୍ୟର ବହୁ କର୍କଟ ରୋଗୀ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏଠାରେ ଆଉଟ୍ଡୋର୍ ଟିକେଟଟିଏ କରିବା ପାଇଁ କର୍କଟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ରାତି ଅନିଦ୍ରା ହୋଇ ଧାଡ଼ିରେ ଛିଡାହେବାକୁ ପଡୁଛି । ସମ୍, ଆପୋଲୋ, କଳିଙ୍ଗ, କେୟାର, କିମ୍ସ, ଉତ୍କଳ, ଆମ୍ରି, ସ୍ପର୍ଶ ଭଳି ଭୁବନେଶ୍ୱରର ଘରୋଇ ଡାକ୍ତରଖାନା ଗୁଡିକରେ କର୍କଟ ରୋଗୀଙ୍କର ଭିଡ ବି ଢେର୍ ରହୁଛି ।
କର୍କଟ ରୋଗ ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ତମାଖୁ, ମଦ ସମେତ ଅନ୍ୟ ନିଶା ଗୁଡିକୁ ବନ୍ଦ କରିଦିଆଯିବ ଏବଂ ଚାଷଜମିରେ ରାସାୟନିକ ସାର୍, ହର୍ମୋନ୍ ଓ କୀଟନାଶକ ଆଦିର ପ୍ରୟୋଗକୁ ନିୟନ୍ତ୍ରିତ କରାଯିବ ତେବେ କର୍କଟ ରୋଗୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ କମିଯିବ ଏବଂ କର୍କଟ ରୋଗର ଚିକିତ୍ସା ପାଇଁ ସରକାର ଖର୍ଚ୍ଚ କରୁଥିବା ବିପୁଳ ଅର୍ଥ ମଧ୍ୟ ବଞ୍ôଚଯିବ । ବହୁ କ୍ଷେତ୍ରରେ ବିଳମ୍ବରେ କର୍କଟ ରୋଗ ଚିହ୍ନଟ ହେଉଥିବାରୁ ଚିକିତ୍ସା ଜଟିଳ ହେଉଛି । ତେଣୁ ଏ ସଂକ୍ରାନ୍ତରେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଗଲେ କର୍କଟ ରୋଗର ନିୟନ୍ତ୍ରଣ ଓ ଚିକିତ୍ସା ସହଜ ହୋଇପାରିବ ।
ଏହାଛଡ଼ା ରାଜ୍ୟ ସରକାର ନିଜ ଖର୍ଚ୍ଚରେ କର୍କଟ ରୋଗ ପାଇଁ ଔଷଧ ପ୍ରସ୍ତୁତ କରିପାରିଲେ ଶସ୍ତାରେ ଓ ସହଜରେ ଏହି ରୋଗର ଔଷଧ ରୋଗୀଙ୍କ ନିକଟରେ ପହଞ୍ôଚ ପାରିବ । ପରିବେଶ ପ୍ରଦୂଷଣ, ନିଶା ପ୍ରସାରଣ ସହିତ ଜଙ୍କଫୁଡ୍ର ବହୁଳ ବ୍ୟବହାର, ଅପମିଶ୍ରିତ ଖାଦ୍ୟପଦାର୍ଥ ଡାଲି, ଚାଉଳ, ଗହମ, ଫଳ, ପନିପରିବା ଆଦିର ସଂରକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଆଦି ଯୋଗୁ କର୍କଟ ରୋଗ ଭୟଙ୍କର ଭାବେ ବଢୁଛି ।
ଏମିତିକି ରାଜ୍ୟରେ ଛୋଟ ଛୋଟ ପିଲାମାନେ ମଧ୍ୟ କର୍କଟ ରୋଗରେ ଛଟପଟ ହେଉଥିବା ପରିପ୍ରେକ୍ଷୀରେ ଅଗ୍ରଣୀ କର୍କଟ ଚିକିତ୍ସା ପ୍ରତିଷ୍ଠାନ ଗୁଡିକରେ ସ୍ୱତନ୍ତ୍ର ଶିଶୁ ୱାର୍ଡରେ ରଖାଯାଉଛି । ଜଟଣୀର ନାଇଜର୍ ନିକଟରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କର୍କଟ ଡାକ୍ତରଖାନା ପାଇଁ ଇତିମଧ୍ୟରେ ଶୁଭ ଦିଆଯାଇଛି । ବରଗଡ଼ ଭଳି କୃଷି ପ୍ରଧାନ ଓ ଝାରସୁଗୁଡା ଭଳି ଶିଳ୍ପ ପ୍ରଧାନ ଅଞ୍ଚଳଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ, ରାଉରକେଲା ଆଦିରେ କର୍କଟ ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହୁଥିବା ଡାକ୍ତରମାନେ କହୁଛନ୍ତି । (ତଥ୍ୟ)