ଭୁବନେଶ୍ୱର,୧୧ା୯-(ତଥ୍ୟ) ଓଡ଼ିଆରେ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ନାମ ଫଳକମାନ ଲେଖିବା ସହିତ ସରକାରୀ ଦପ୍ତରରେ ନଥିପତ୍ରଠାରୁ ଚିଠିପତ୍ର ପର୍ଯ୍ୟନ୍ତ ସମସ୍ତ କାମ ଓଡ଼ିଆ ଭାଷାରେ କରିବା ପାଇଁ ବାରମ୍ବାର ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରୁଥିବା ବେଳେ ଏହାର ବିଶେଷ କିଛି ପ୍ରଭାବ ଅନୁଭୂତ ହେଉନାହିଁ । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର କୁହାଯାଉଥିବା ଖୋଦ୍ ରାଜ୍ୟ ସଚିବାଳୟରେ ଜାରି ହେଉଥିବା ବିଜ୍ଞପ୍ତିଠାରୁ ଆରମ୍ଭ କରି ଚିଠିପତ୍ର ଆଦି ମଧ୍ୟ ପ୍ରାୟତଃ ଇଂରାଜୀ ଭାଷାରେ ହେଉଛି ।
ଓଡ଼ିଶାରେ ସରକାରୀ କାମ ଓଡ଼ିଆ ଭାଷାରେ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ବାରମ୍ବାର ସରକାରୀ କର୍ମଚାରୀମାନଙ୍କୁ ତାଲିମ ଦେଉଛି । ଏ ବାଦରେ ଯେତେ ସମୟ ଓ ସମ୍ବଳ ଖର୍ଚ୍ଚ ହେଉଛି ସେଥିରୁ ବିଶେଷ କିଛି ଫାଇଦା ମିଳୁନାହିଁ । ରାଜ୍ୟ ସଚିବାଳୟ ସମେତ ବିଭିନ୍ନ ଦପ୍ତରରେ କାମ କରୁଥିବା ଓଡ଼ିଆ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅନେକଙ୍କର ଓଡ଼ିଆ ଭାଷା ପ୍ରୀତି କମ୍ ଏବଂ ଇଂରାଜୀ ଭାଷା ପ୍ରୀତି ଅଧିକ ରହୁଥିବାରୁ ସଂଖ୍ୟାଧିକ ନଥିପତ୍ର କାମ ଓ ଚିଠିପତ୍ର, ବିଜ୍ଞପ୍ତି ଆଦି ଇଂରାଜୀ ଭାଷାରେ କରାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ବିଧାନସଭା ସମ୍ମତିକ୍ରମେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ସରକାରୀ ଭାଷା ଆଇନ୍, ୧୯୫୪ ପ୍ରଣୀତ ହୋଇଥିଲା । ଇତିମଧ୍ୟରେ ୭୧ବର୍ଷ ଅତିକ୍ରମ କରିଯାଇଥିଲେ ବି ସରକାରୀ ଦପ୍ତରଗୁଡ଼ଇିର ସବୁ କାମ ଓଡ଼ିଆରେ ହୋଇପାରୁ ନାହିଁ । ତେବେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବିଭାଗୀୟ ଶାସନ ସଚିବ ଓ ଅଧିକାରୀମାନେ ଓଡ଼ିଆ ଭାଷାରେ ସରକାରୀ କାମ କରୁଥିଲେ ।
ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ଯଦି କେହି ଓଡ଼ିଶାରେ ନାମଫଳକରେ ଓଡ଼ିଆ ଭାଷା ବ୍ୟବହାର ନକରେ ତେବେ ସଂପୃକ୍ତ ପ୍ରତିଷ୍ଠାନଗୁଡ଼ିକରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏ ସଂକ୍ରାନ୍ତରେ ମଧ୍ୟ ସରକାରୀ ବିଜ୍ଞପ୍ତି ବାରମ୍ବାର ଜାରି ହେଉଛି । ଓଡ଼ିଶା ସରକାର ଓଡ଼ିଆ ଅସ୍ମିତା ଉପରେ ବିଶେଷ ଗୁରୁତ୍ୱ ଦେଉଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଉପରେ ଜୋର ଦେଉଛନ୍ତି ।
କିଛିମାସ ତଳେ ଓଡ଼ିଶାହାଇକୋର୍ଟ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଓଡ଼ିଆ ଭାଷାରେ ୭୫ଟି ରାୟ ପ୍ରକାଶ ପାଇଥିଲା । ଏବେ ହାଇକୋର୍ଟରେ ମାମଲା ପରିଚାଳନା ବେଳେ ଅନେକ କ୍ଷେତ୍ରରେ ଓକିଲମାନେ ଇଂରାଜୀ ସହିତ ଓଡ଼ିଆ ଭାଷାରେ ତର୍କ ଉପସ୍ଥାପନ କରୁଛନ୍ତି । ଅଥଚ ଅନ୍ୟପକ୍ଷରେ ବଦଳି କିମ୍ବା ନିଯୁକ୍ତି ଆଦେଶ ହେଉ ଅଥବା ଅନ୍ୟାନ୍ୟ ଚିଠିପତ୍ର ଯେ କାହିଁକି ଓଡ଼ିଆ ଭାଷାରେ କରାନଯାଉଛି ତାହା କେହି ବୁଝିପାରୁ ନାହାନ୍ତି ।
ଯେଉଁ ଅଧିକାରୀ ଓ କର୍ମଚାରୀମାନେ ସରକାରୀ କାମରେ ଓଡ଼ିଆ ଭାଷାକୁ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠୁଛି । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଆଦି ଦେଶର ବହୁ ରାଜ୍ୟରେ ସରକାରୀ ଦପ୍ତର କାର୍ଯ୍ୟ ସଂପୃକ୍ତ ରାଜ୍ୟଗୁଡ଼ିକର ଭାଷାରେ ହେଉଥିବା ବେଳେ ଓଡ଼ିଶା କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ଭଳି ଜଣାପଡୁଛି । (ତଥ୍ୟ)