Home General ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ମନୋନୀତ

ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ମନୋନୀତ

ଭୁବନେଶ୍ୱର : ଓଡ଼ିଆ ସିନେମା ନିର୍ଦ୍ଦେଶକ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର “ତିନ ଅଧ୍ୟାୟ’ ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆ ଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି ।

ଏହି ଚଳଚିତ୍ରଟି ଇଣ୍ଡିଆନ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବ । ଏହି ଚଳଚିତ୍ର ମହୋତ୍ସବ ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ନିୟନ୍ତ୍ରିତ ଡିରେକ୍ଟୋରେଟ୍ ଅପ ଫିଲ୍ମ ଫେଷ୍ଟିଭାଲ୍‌ସ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥାଏ ।

ବଲିଉଡର ବିଶିଷ୍ଟ ସାଉଣ୍ଡ ଡିଜାଇନର ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ରଟି କୋଭିଡ-୧୯ ମହାମାରୀ ଯୋଗୁଁ ସାରା ଭାରତରେ ହୋଇଥିବା ଲକଡାଉନ ସମୟରେ ମୁମ୍ବାଇ ସହରରେ ନିର୍ମିତ ହୋଇଥିଲା । ଏହି ଚଳଚିତ୍ରରେ ଜୀବନର ୩ଟି ପର୍ଯ୍ୟାୟ ବିପତି, ଉତ୍ପତି ଓ ଚକ୍ରକୁ ବୁଝାଇବାକୁ ଉଦ୍ୟମ କରାଯାଇଛି । ଏହା ଭାରତୀୟ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି ଶ୍ରୀ ସାହୁ କହିଛନ୍ତି ।

ଶ୍ରୀ ସାହୁଙ୍କ ପତ୍ନୀ ଶ୍ରୀମତି ସୁପ୍ରଭା ସାହୁଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚିତ୍ର ୨୦୩ଟି ନନ-ଫିଚର ଫିଲ୍ମ ମଧ୍ୟରୁ ଚୟନ କରାଯାଇଥିବା ୨୦ଟି ଚଳଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି ।

ତାଙ୍କ ବାସଗୃହ ନିକଟରେ ସାରା ଦେଶ ଲକଡାଉନ ଦ୍ୱାରା ସ୍ତବ୍ଧ ହୋଇଥିବା ସମୟରେ ଏକ କାଉ ନିଜର ବସା ନିର୍ମାଣ କରୁଥିବା ତାଙ୍କର ଧ୍ୟାନ ଆକର୍ଷଣ କରିଥିଲା । “ଅବିରତ ଭାବେ କାଉଟିର ପ୍ରଚେଷ୍ଟାକୁ ମୁଁ ଲକ୍ଷ୍ୟ କରୁଥିଲି ଓ ଏହି ଚଳଚିତ୍ରଟି ଏହି ବିଷୟ ଉପରେ କେନ୍ଦ୍ରିତ’ ବୋଲି ଶ୍ରୀ ସାହୁ କହିଛନ୍ତି ।

ଜାତୀୟ ସ୍ତରରେ ପୁରଷ୍କୃତ ଏହି ସାଉଣ୍ଡ ଡିଜାଇନର ପୂର୍ବରୁ “ତୁମହାରି ସୁଲୁ’, “ନିର୍ଜା’, “ଏନଏଚ ୧୦’ ଓ “କମ୍ମିନେ’ ଭଳି ଚଳଚିତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଶ୍ରୀ ସାହୁ ଜଣେ ଇଲେକଟ୍ରୋନିକ ଇଂଜିନିୟର ହୋଇଥିବା ବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଡିଗ୍ରୀ ହାସଲ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବାଲୁରିଆ ପଂଚାୟତର ଆରଜି ଗ୍ରାମ ନିବାସୀ ଶ୍ରୀ ସାହୁ ବଲିଉଡରେ ଗତ ୨୪ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ।