Home Education ଓସେପା ଓ ଓୟୁଏଟି ମଧ୍ୟରେ ବୁଝାମଣା

ଓସେପା ଓ ଓୟୁଏଟି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରାଯାଇଛି ।

ଚଳିତ ଶିକ୍ଷାବର୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଓସେପା ଓୟୁଏଟି ସହିତ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଅଧୀନରେ ୨୬ଟି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍ ପାଇଁ ଓୟୁଏଟି, ଭୁବନେଶ୍ୱର ଏବଂ ନିର୍ଦ୍ଦିଷ୍ଟ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ସହିତ ଆନୁଷ୍ଠାନିକ ଭାବେ ଯୋଡ଼ାଯାଇଛି ।

ଏହି ଯୋଜନା ଦ୍ୱାରା ଛାତ୍ରଛାତ୍ରୀମାନେ ଓୟୁଏଟିର ପରୀକ୍ଷାଗାର, କୃଷି ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ କୃଷି, ପଶୁପାଳନ, ଉଦ୍ୟାନ କୃଷି ଭଳି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ବୈଷୟିକ ସହାୟତା ପାଇପାରିବେ । ଏହି ଅନୁଭୂତି ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତ କାର୍ଯ୍ୟ ପରିବେଶ ବୁଝିବାରେ ଏବଂ ସ୍କୁଲରେ ଶିଖିଥିବା ଦକ୍ଷତାକୁ କାର୍ଯ୍ୟରେ ଲଗାଇବାରେ ସାହାଯ୍ୟ କରିବ । ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଧନ୍ଦାମୂଳକ କାର୍ଯ୍ୟ ପାଇଁ ସଂରଚିତ ବ୍ୟାବହାରିକ ତାଲିମ ଏବଂ କ୍ଷେତ୍ର ପରିଦର୍ଶନ ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାକ୍ଟିକାଲ୍ କାର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର, ଉଦ୍ୟୋଗୀତା ଏବଂ କ୍ୟାରିୟର ପ୍ରସ୍ତୁତିକୁ ସୁଦୃଢ଼ କରିବା ।

ଏହି ୨୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୬ଟି ଧନ୍ଦାମୂଳକ ବିଷୟରେ ତାଲିମ ଦିଆଯିବ— ଆମ୍ବ ଚାଷ, ବାଇଗଣ/ବିଲାତି ଜାତୀୟ ଫସଲ ଚାଷ, ଧାନ ଚାଷ, ପଶୁ ସ୍ୱାସ୍ଥ୍ୟ, ଦୁଗ୍ଧ ପ୍ରକଳ୍ପ, ଏବଂ ସାଇଟ୍ରସ ଜାତୀୟ ଫଳ ଚାଷ । ସମ୍ପୃକ୍ତ ଜିଲ୍ଲାର କୃଷି କ୍ଷେତ୍ରର ସାମର୍ଥ୍ୟ, ସ୍ଥାନୀୟ ସମ୍ବଳ ଏବଂ ଜୀବିକା ସୁଯୋଗକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି ।