Home Finance ଓମ୍ବାଡ୍‌ସି ପାଣ୍ଠିରେ ୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର

ଓମ୍ବାଡ୍‌ସି ପାଣ୍ଠିରେ ୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ(ଓମ୍ବାଡ୍‌ସି) ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଗୃହଭିତର (ଇନ୍‌ଡୋର୍‌) ଷ୍ଟାଡିୟମ୍‌ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମର ନିର୍ଦ୍ଦେଶକ ପରିଷଦ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି ।

ଏହି ବୈଠକରେ ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକର ଆବଶ୍ୟକତା, ଆବଶ୍ୟକୀୟ ପାଣ୍ଠି ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶପାଇଁ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷାନୁଭୁତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଶ୍ରୀ ମହାପାତ୍ର କହିଥିଲେ ଯେ ଯେହେତୁ ନୂଆ ପ୍ରକଳ୍ପରେ ସ୍ମାର୍ଟ-ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ଆଇ.ସି.ଟି. ପରୀକ୍ଷାଗାର ଆଦି ବ୍ୟବସ୍ଥା ବିକଶିତ କରାଯିବ । ତେଣୁ ଶିକ୍ଷକମାନେ ଆମର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଯତ୍ନବାନ ହେବା ଦରକାର । ଏହାହେଲେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଯୋଗିତା କରିପାରିବେ ।

ଏହି ପ୍ରକଳ୍ପ ମାଧ୍ୟମରେ ଭଲ ଖେଳ ପଡ଼ିଆ, ବିଦ୍ୟାଳୟରେ ଏକ ଆନନ୍ଦମୟ ପରିପାର୍ଶ୍ୱ, ଶୈକ୍ଷିକ ପରିବେଶ ଆଦି ବିକଶିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ ଜଣାଇଥିଲେ ଯେ ଏହି ପ୍ରକଳ୍ପରେ ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ୮୮୯ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ, ଏଥିପାଇଁ ସମୁଦାୟ ୫୩୩.୪୦ କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳକୁ ମଞ୍ଜୁର କରାଯାଇଥିଲା ।

ଖଣିଜ ଅଂଚଳ ଅନ୍ତର୍ଗତ ୧୧ଟି ସହରାଞ୍ଚଳରେ ବହୁମୁଖୀ-ଗୃହଭିତର ଷ୍ଟାଡିୟମ୍‌ ନିର୍ମାଣ ନିମନ୍ତେ ସମୁଦାୟ ୧୦୪.୧୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ଏହି ସହରାଞ୍ଚଳ ମଧ୍ୟରେ ୯ଟି ପୈାର ନିଗମ ଏବଂ ୨ଟି ବିଜ୍ଞାପିତ ଅଂଚଳ ପରିଷଦ ରହିଛି । ପୌର ନିଗମ ଗୁଡ଼ିକ ହେଲା ବେଲ୍‌ପାହାଢ଼, ବ୍ରଜରାଜନଗର, ଆନନ୍ଦପୁର, ବଡବିଲ୍‌, ଜୋଡା, ବିରମିତ୍ରପୁର, ରାଜଗାଙ୍ଗପୁର, ରାଉରକେଲା ଏବଂ ବ୍ୟାସନଗର ପୌର ନିଗମ ।

ସେହିପରି ଉଦଳା ଏବଂ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦକୁ ମଧ୍ୟ ଉକ୍ତ ପ୍ରକଳ୍ପରେ ସାମିଲ୍‌ କରାଯାଇଛି । ଏହି ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର କରି ଖଣିଜ ଅଂଚଳର ଯୁବକ ଯୁବତୀମାନଙ୍କ ମଧ୍ୟରେ ଖେଳ-ବୌଦ୍ଧିକତା ଏବଂ ଖେଳ-କୌଶଳ ବିକଶିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଖଣି ଅଂଚଳରେ ପରିବେଶ ପରିଚାଳନା ବ୍ୟବସ୍ଥାରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଓ ତଥ୍ୟ ଅନୁଶୀଳନର ପ୍ରୟୋଗ ନିମନ୍ତେ ୩.୧୦ କୋଟି ଟଙ୍କାର ପ୍ରକଳ୍ପକୁ ବୈଠକରେ ମଞ୍ଜୁର ଦିଆଯାଇଥିଲା । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ ଜଣାଇଥିଲେ ଯେ ଏହି ପ୍ରକଳ୍ପ ଖଣି ଅଂଚଳରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ଏବଂ ଖଣିଜ ପରିଚାଳନାରେ ତଥ୍ୟ-ଭିତ୍ତିକ ନିଷ୍ପତ୍ତିନେବାରେ ସହାୟକ ହେବ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥୋ, ଅର୍ଥ ବିଭାଗ ପ୍ରମୁଖ ଶାସନ ଶଚିବ ବିଶାଳ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କ୍ରୀଡା ଓ ଯୁବ ବ୍ୟାପାର ଶାସନ ସଚିବ ଭିନିଲ୍‌ କ୍ରିଷ୍ଣା, ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସାନ୍‌ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ ପ୍ରକଳ୍ପ ସମ୍ବନ୍ଧିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।