Home Agriculture ଓପୋଲଫେଡ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଓପୋଲଫେଡ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ରାଜ୍ୟରେ ବର୍ଦ୍ଧିତ କୁକୁଡ଼ା ମାଂସ ଓ ଅଣ୍ଡାର ଚାହିଦା ମେଣ୍ଟାଇବା ଦିଗରେ ଓପୋଲଫେଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନର୍ବାହ କରିପାରିବ । ଓପୋଲୋଫେଡ଼୍‌ ମାଧ୍ୟମରେ ଲୋକଙ୍କୁ ଅଧିକରୁ ଅଧିକ କୁକୁଡ଼ା ମାଂସ ଓ ଅଣ୍ଡା ଯୋଗାଇଦେବା ନିମନ୍ତେ ଓଡ଼ିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ ଅଧିନରେ ଥିବା ସମସ୍ତ କୁକ୍କୁଟ ସମବାୟ ସମିତିକୁ କି୍ରୟାଶୀଳ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି କୃଷି ଭବନଠାରେ ଓପୋଲଫେଡ଼୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓପୋଲଫେଡ଼୍‌ ଦ୍ୱାରା କୁକୁଡ଼ା ମାଂସ ବିକି୍ରକୁ ଅଧିକ ଗୁରୁତ୍ୱ ଦେଇ ବର୍ତ୍ତମାନର ଓପୋଲଫେଡ଼୍‌ ବୁଥ୍‌ରେ ପ୍ରତିଦିନର ବିକ୍ରିକୁ ବୃଦ୍ଧି କରିବା ସହିତ ସହର ଉପକଣ୍ଠ ଆଦିରେ ନୂତନ ବୁଥ୍‌ ଖୋଲିବା ଆବଶ୍ୟକ । ରାଜ୍ୟ ଯୋଜନାରେ ସ୍ଥାପିତ ହେଉଥିବା ବ୍ରଏଲର୍‌ କୁକୁଡ଼ା ୟୁନିଟ୍‌ଗୁଡ଼ିକୁ କୁକ୍କୁଟ ଉତ୍ପାଦନ ସମବାୟ ସମିତି ସହିତ ସଂଯୋଗ କରିବା କିମ୍ବା ଏହି କୁକୁଡ଼ା ଚାଷୀଙ୍କୁ ନେଇ ନୂତନ ସମବାୟ ସମିତି ଗଠନ କରାଗଲେ ଉଭୟ ଓପୋଲଫେଡ଼୍‌ ଏବଂ କୁକୁଡ଼ା ଚାଷୀ ଉପକୃତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏଥି ପାଇଁ ଓପୋଲଫେଡ଼୍‌ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟ ସହଯୋଗରେ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଓପୋଲଫେଡ୍‌ ପକ୍ଷରୁ ଲୋକଙ୍କୁ କୁକୁଡ଼ା ମାଂସ ଓ କୁକୁଡ଼ା ଅଣ୍ଡା ଯୋଗାଣ କରାଯିବା ସହିତ କୁକୁଡ଼ା ଚାଷୀଙ୍କୁ କୁକୁଡ଼ା ଚିଆଁ ଓ କୁକୁଡ଼ା ଦାନା ମଧ୍ୟ ଯୋଗାଇ ଦିଆଯାଉଥିବା ପରିପ୍ରେକ୍ଷୀରେ କୁକୁଡ଼ା ଚାଷୀ ଓପୋଲଫେଡ୍‌ ସହିତ ସଂପୃକ୍ତ ହେବାର ସୁଯୋଗ ରହିଛି ବୋଲି ସେ କହିଥିଲେ । ଅଧିକରୁ ଅଧିକ କୁକୁଡ଼ା ଚାଷୀ ଯେପରି ଓପୋଲଫେଡ୍‌ ସହିତ ସଂଯୁକ୍ତ ହେବେ ସେଥି ନିମନ୍ତେ ଓପୋଲଫେଡ୍‌ କର୍ତ୍ତୃପକ୍ଷ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓପୋଲଫେଡ୍‌ର ସଭାପତି ଶ୍ରୀ ଭୋଳେଶ୍ୱର ସ୍ୱାଇଁଙ୍କ ସମେତ ଓପୋଲଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଜିଏମ୍‌ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।