Home Mining ଓଡିଶା ଲୁହାପଥର ଚୀନ୍‍କୁ ରପ୍ତାନି

ଓଡିଶା ଲୁହାପଥର ଚୀନ୍‍କୁ ରପ୍ତାନି

ଭୁବନେଶ୍ୱର : ଓଡିଶାରୁ ଯେତେ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି ତାହା ମୁଖ୍ୟତଃ ଚୀନ୍‍କୁ ହିଁ ଯାଉଛି । ଏହି ଖଣିଜ ସାମଗ୍ରୀ ଓଡିଶାରେ ଥିବା ବନ୍ଦର ବ୍ୟତିର ରାଜ୍ୟ ବାହାରର ବନ୍ଦର ବାଟଦେଇ ରପ୍ତାନି କରାଯାଉଛି ।

ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪-୧୫ ରୁ ଚଳିତବର୍ଷ ଫେବୃୟାରୀ ୨୫ ତାରିଖ ସୁଦ୍ଧା ଓଡିଶାରୁ ବିଦେଶକୁ ଯାଇଥିବା ଲୁହାପଥର ପ୍ରାୟତଃ ଚୀନ୍‍କୁ ହିଁ ଯାଇଛି । ଚୀନ୍‍ ବ୍ୟତିତ ଅଳ୍ପ କିଛି ପରିମାଣର ଲୁହାପଥର ବ୍ରିଟିଶ ଭର୍ଜିନ ଉପଦ୍ୱୀପ, ସିଙ୍ଗାପୁର ଓ ସୁଇଜରଲ୍ୟାଣ୍ଡକୁ ଯାଇଛି ।

ଓଡିଶାରୁ ବିଦେଶକୁ ରପ୍ତାନି ହେଉଥିବା ଲୁହାପଥର ସବୁ ରାଜ୍ୟରେ ଥିବା ପାରାଦୀପ, ଧାମରା, ଗୋପାଳପୁର ବନ୍ଦର ସମେତ ହଳଦିଆ, ଭାଇଜାଗ, ଗଙ୍ଗାଭରମ, କାକିନାଡା ବାଟ ଦେଇ ଯାଉଛି । ବିଦେଶକୁ ଲୁହାପଥର ପଠାଉଥିବା କମ୍ପାନୀଗୁଡିକ ମଧ୍ୟରେ ଜେଏସ୍‍ଡବ୍ଲ୍ୟୁ ଷ୍ଟିଲ, କେ.ସି.ପ୍ରଧାନ, ଏନ୍‍.ରାମ ଆଣ୍ଡ କୋ, ମିଡ୍‍ ଇଷ୍ଟ ଷ୍ଟିଲ ଲିମିଟେଡ, ଓଏମ୍‍ସି, ସିରାଜୁଦ୍ଦିନ ଆଣ୍ଡ କୋ, ତାରିଣି ପ୍ରସାଦ ମହାନ୍ତି, ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ ଆଦି ରହିଛନ୍ତି । ତେବେ ଏସ୍‍.ଏନ୍‍.ମହାନ୍ତି କମ୍ପାନୀ ସିଙ୍ଗାପୁର ଓ ସୁଇଜରଲାଣ୍ଡକୁ ଲୁହାପଥର ରପ୍ତାନି କରିଥିବାବେଳେ କଳିଙ୍ଗ ମାଇନିଂ କର୍ପୋରେସନ ବ୍ରିଟିଶ ଭର୍ଜିନ ଉପଦ୍ୱୀପକୁ ଲୁହାପଥର ପଠାଇଛି । ଅନ୍ୟ ସମସ୍ତ କମ୍ପାନୀ କେବଳ ଚୀନ୍‍କୁ ହିଁ ରପ୍ତାନି କରିଛନ୍ତି ।

ସେହିଭଳି ୨୦୧୪-୧୫ ମସିହାରେ ଓଡିଶାରୁ ବିଦେଶକୁ ୪ଲକ୍ଷ ୨୫ହଜାର ମେଟ୍ରିକ ଟନ୍‍ ଲୁହାପଥର ରପ୍ତାନି ହୋଇଥିବାବେଳେ ୨୦୧୫-୧୬ରେ ୭୭,୫୦୦ ମେଟ୍ରିକ ଟନ୍‍, ୨୦୧୬-୧୭ ରେ ୧କୋଟି ୧୮ଲକ୍ଷ ମେଟ୍ରିକ ଟନ୍‍, ୨୦୧୭-୧୮ରେ ୬୧ଲକ୍ଷ ୫୦ହଜାର ମେଟ୍ରିକ ଟନ୍‍, ୨୦୧୮-୧୯ରେ ୫୨ଲକ୍ଷ ୪୬ହଜାର ମେଟ୍ରିକ ଟନ୍‍, ୨୦୧୯-୨୦ ରେ ୩କୋଟି ୨୫ଲକ୍ଷ ଟନ୍‍ରୁ ଅଧିକ ରପ୍ତାନି ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଫେବୃଆରୀ ୨୫ ତାରିଖ ସୁଦ୍ଧା ଓଡିଶାରୁ ବିଦେଶକୁ ୩କୋଟି ୫୭ଲକ୍ଷ ୭୬ହଜାର ଟନ୍‍ରୁ ଅଧିକ ଲୁହାପଥର ବିଦେଶକୁ ଚାଲାଣ ହୋଇ ସାରିଲାଣି ।