ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଥିବା ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି । ଏହି ସରକାରୀ କ୍ୟାବ୍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି ।
ଚଳିତବର୍ଷ ଜାନୁୟାରୀ ମାସରେ ପରିବହନ ବିଭାଗ ପକ୍ଷରୁ ଓଡିଶା ଯାତ୍ରୀ ଆପ୍ ଆରମ୍ଭ ହୋଇଥିଲା । ସରକାରୀ ଆପ୍ ସହିତ ଏଥିପାଇଁ କମିଶନ ଦେବାକୁ ପଡୁନଥିବାରୁ ଗାଡିଚାଳକମାନେ ନିଜକୁ ଏଥିରେ ପଞ୍ଜିକୃତ କରାଇଥିଲେ । ବର୍ତ୍ତମାନ ସୁଦ୍ଧା ୧୦ହଜାର ଚାଳକ ଏଥିରେ ନିଜକୁ ପଞ୍ଜିକୃତ କରିସାରିଲେଣି ।
ସରକାରୀ କ୍ୟାବ୍ ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ ଲୋକେ ବି ଏଥିପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ କଟକରେ ଏକ ଲକ୍ଷ ୬୧ହଜାର ଲୋକ ଭଡା ସମ୍ପୂର୍ଣ୍ଣ ହୋଇ ସାରିଲାଣି । ଏଥିରେ ସର୍ବାଧିକ ଟ୍ରିପ୍ ରହିଛି ରାଜଧାନୀରେ । ସାଢେ ୧୦ଲକ୍ଷରୁ ଅଧିକ ଲୋକେ ଏହି ଆପ୍ରେ ସର୍ଚ୍ଚ କରିଥିବା ଜଣାଯାଇଛି ।
ତେବେ ସବୁଠାରୁ ବଡକଥା ହେଉଛି ରାଜଧାନୀରେ ଗାଡିଚାଳକମାନେ ଏହି କ୍ୟାବ୍ ବ୍ୟବସ୍ଥାରେ ୨କୋଟି ୫ଲକ୍ଷ ଟଙ୍କା ଆୟ କରିଥିବାବେଳେ କଟକରେ ୫ଲକ୍ଷ ୯୦ହଜାର ଟଙ୍କା ଆୟ କରିଛନ୍ତି । ଏ ବାବଦରେ ସେମାନଙ୍କୁ କୌଣସି ଅର୍ଥ କମିଶନ ବାବଦରେ ଦେବାକୁ ପଡୁନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରଚଳନ ଥିବା ଅନ୍ୟ କ୍ୟାବ୍ ବ୍ୟବସ୍ଥାରେ ପଞ୍ଜିକୃତ ହେଉଥିବା ଚାଳକମାନେ ଯେତିକି ରୋଜଗାର କରିଥାନ୍ତି ତାହାର ଗୋଟିଏ ବଡ ଅଂଶ କମିଶନ ଆକାରରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଓଡିଶା ଯାତ୍ରୀ ପାଇଁ କୌଣସି କମିଶନ ଦେବାକୁ ପଡୁନଥିବାରୁ ଚାଳକମାନେ ଏବେ ଅନ୍ୟ କ୍ୟାବ୍ ବ୍ୟବସ୍ଥାରୁ ମୁହଁ ଫେରାଇବାରେ ଲାଗିଛନ୍ତି ।
ଓଡିଶା ଯାତ୍ରୀ ଉପରେ ପୁଲିସ୍ ନଜର ରଖିଥିବାରୁ ଏହା ଅତ୍ୟନ୍ତ ସୁରକ୍ଷିତ ବୋଲି କୁହାଯାଉଛି । ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ତେବେ ତୁରନ୍ତ ପୁଲିସ୍କୁ ଜଣାଇଲେ ଉଭୟ ପୁଲିସ୍ ଓ ପରିବହନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିଯୋଗୁଁ ଅନ୍ୟ କ୍ୟାବ୍ ଚାଳକମାନେ ଯେଭଳି ଯାତ୍ରୀମାନଙ୍କ ବୁକିଂକୁ ବାରମ୍ବାର ବାତିଲ କରିବା ସହିତ ବିଳମ୍ବିତ ରାତିରେ ନଗଦ ଆକାରରେ ଅଧିକ ଅର୍ଥ ଦାବି କରୁଛନ୍ତି ତାହା ଓଡିଶା ଯାତ୍ରୀରେ ପରିଲକ୍ଷିତ ହେଉନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ରାଜଧାନୀରେ ୧ଲକ୍ଷ ୨୪ହଜାର ବ୍ୟବହାରକାରୀ ନିଜକୁ ପଞ୍ଜିକୃତ କରିଥିବାବେଳେ କଟକରେ ଏହି ସଂଖ୍ୟା ୩୭ହଜାରରୁ ଅଧିକ ରହିଛି । ତେବେ ଏହି ବ୍ୟବସ୍ଥାକୁ ଓଡିଶାର ଅନ୍ୟ ଜିଲ୍ଲାଗୁଡିକୁ ସମ୍ପ୍ରସାରିତ କରିବା ସହିତ ଜାତୀୟ ସ୍ତରରେ ପାଦ ଥାପିବାପାଇଁ ପରିବହନ ବିଭାଗ ଲକ୍ଷ୍ୟ ରଖିଛି ।
ପରିବହନ ବିଭାଗ ଇତି ମଧ୍ୟରେ ଓଡିଶା ଯାତ୍ରୀ ସହିତ ଘରୋଇ ଆମ୍ବୁଲାନ୍ସକୁ ଯୋଡିବାପାଇଁ ଯାଉଛନ୍ତି । ଏହାଦ୍ୱାରା ଓଡିଶା ଯାତ୍ରୀର କଳେବର ବୃଦ୍ଧି ପାଇବା ସହିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଶୋଷଣରୁ ମୁକୁଳି ପାରିବେ । (ତଥ୍ୟ)