ଭୁବନେଶ୍ୱର : ଓଡିଶା ଯାତ୍ରୀ ଆପ୍ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ୧କୋଟି ୬୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କଲେଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଯାତ୍ରୀ ଗତବର୍ଷ ଜାନୁଆରୀ ୪ ତାରିଖରେ ରାଜଧାନୀରେ ଶୁଭାରମ୍ଭ ହୋଇଥିଲା । ବର୍ତ୍ତମାନ ଏହା ଭୁବନେଶ୍ୱର, କଟକ ଓ ପୁରୀ ଅଞ୍ଚଳରେ କାର୍ଯ୍ୟ କରୁଛି । କ୍ରୁଟ୍ ଦ୍ୱାରା ଏହି ସଂସ୍ଥାର ପରିଚାଳନା ମୁଭିଂ ଟେକ୍ ଇନୋଭସେନ୍ସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାଦ୍ୱାରା କରାଯାଉଛି । ଓଡିଶା ଯାତ୍ରୀ ଆପ୍ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ସୁଲଭ, ନିରାପଦ ଏବଂ ଦକ୍ଷ ପରିବହନ ପ୍ରଦାନ କରିବା ସହିତ ଡ୍ରାଇଭରମାନଙ୍କୁ ସେମାନଙ୍କ ରୋଜଗାରର ଶତ ପ୍ରତିଶତ ଦେଇ ସଶକ୍ତ କରିଥାଏ ।
ଓଡିଶା ଯାତ୍ରୀ ଆପ୍ ଶୁଭାରମ୍ଭ ପରଠାରୁ ଏପର୍ଯ୍ୟନ୍ତ ୬.୬୪ ଲକ୍ଷ ଟ୍ରିପରେ ୧୦କୋଟି ୪୦ଲକ୍ଷ ଟଙକାର ବ୍ୟବସାୟ ଚାଳକଙ୍କ ଦ୍ୱାରା କରାଯାଇଛି ଏବଂ ଏଥିରୁ କ୍ରୁଟ୍କୁ ୪କୋଟି ୬ଲକ୍ଷ ଟଙ୍କା ମିଳିଛି ।
ମନ୍ତ୍ରୀ କହିଛନ୍ତି ଯେ ଓଡିଶା ସରକାରଙ୍କ ଦ୍ୱାରା ଏହି ସେବା ଲୋକଲୋଚନକୁ ଆଣିବା ତଥା ଏହାର ସମ୍ପୂର୍ଣ୍ଣ ଲାଭ ଲୋକମାନଙ୍କୁ ଯୋଗାଇବାପାଇଁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଚାର ପ୍ରସାର ପାଇଁ ମୋଟ୍ ୧,୬୫,୨୨,୭୦୨ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥି ମଧ୍ୟରେ ଡିଜିଟାଲ ମାର୍କେଟିଙ୍ଗ ପାଇଁ ସର୍ବାଧିକ ପ୍ରାୟ ୧କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ କିଓସ୍କ ନିର୍ମାଣ ପାଇଁ ୧୫ଲକ୍ଷ ୮୧ହଜାର, ଭିଡିଓ ବିଜ୍ଞାପନ ପାଇଁ ୬ଲକ୍ଷ ୬୬ ହଜାର ଓ ବ୍ରାଣ୍ଡ୍ ପ୍ରମୋସନ ପାଇଁ ୩ଲକ୍ଷ ୧୩ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

