ଭୁବନେଶ୍ୱର : ଭାରତୀୟ ଜନସଂଘ ଦଳରୁ ଜନ୍ମ ନେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ଏକାକୀ ଓଡିଶାରେ ସରକାର ଗଠନ କରୁଥିବାବେଳେ ଏହି ସଂଗଠନର ରୋଚକ ନିର୍ବାଚନୀ ପରିସଂଖ୍ୟାନ ସମ୍ପର୍କରେ ଜାଣିବାପାଇଁ ସାଧାରଣ ଲୋକଙ୍କ ଉତ୍କଣ୍ଠା ରହିଛି ।
୧୯୫୧ ଅକ୍ଟୋବର ୨୧ତାରିଖରେ ଦିଲ୍ଲୀରେ ଜନସଂଘ ଗଠିତ ହେବା ପରଠାରୁ ୧୯୭୭ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଓଡିଶାରେ ଏହି ଦଳର ଜଣେ ହେଲେ ପ୍ରାର୍ଥୀ ଜିଣିନଥିଲେ । ୧୯୭୭ ମସିହାରେ ଜନତାପାର୍ଟିର ଅଂଶୀଦାର ଥିବା ଜନସଂଘର ଚାରି ଜଣ ପ୍ରଥମଥର ପାଇଁ ଚକ୍ର ହଳଧର ଚିହ୍ନରେ ବିଜୟୀ ହୋଇଥିଲେ । ସେତେବେଳକୁ ଜନସଂଘର ଦୀପ ଚିହ୍ନ ଜନତାପାର୍ଟିର ଚକ୍ର ହଳଧରରେ ବିଲିନ ହୋଇଯାଇଥିଲା । ଏହି ଚାରିଜଣ ବିଧାୟକ ହେଲେ ବିଶ୍ୱଭୂଷଣ ହରିଚନ୍ଦନ, ବିମ୍ବାଧନ କୁଅଁର, ପ୍ରସନ୍ନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସ୍ୱାଇଁ । ଏମାନଙ୍କ ଭିତରୁ ଶ୍ରୀ ହରିଚନ୍ଦନ ଜନତାପାର୍ଟି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।
ଜନତାପାର୍ଟିରେ ବିଭାଜନ ପରେ ୧୯୮୦ ଏପ୍ରିଲ୍ ୬ତାରିଖରେ ଜାତୀୟ ସ୍ତରରେ ବିଜେପି ଗଠିତ ହୋଇଥିଲା । ସେତେବେଳେ ଦିଲ୍ଲୀରେ ଅନୁଷ୍ଠିତ ବିଜେପିର ଜନ୍ମ ସମାରୋହକୁ ଓଡିଶାରୁ ମାତ୍ର ୨୧ଜଣ ପ୍ରତିନିଧି ଯାଇଥିଲେ ଏବଂ ଏହି ଅଧିବେଶନରେ ଅଟଳ ବିହାରୀ ବାଜପେୟୀ ନୂଆ ଦଳର ଜାତୀୟ ସଭାପତି ହୋଇଥିବାବେଳେ ଶ୍ରୀ ହରିଚନ୍ଦନଙ୍କୁ ରାଜ୍ୟଶାଖାର ସଭାପତି କରାଯାଇଥିଲା ।
ଓଡିଶାରେ ୧୯୮୦ ନିର୍ବାଚନରେ ପ୍ରବଳ ଇନ୍ଦିରା ହାୱା ଭିତରେ ଜନତା ପାର୍ଟି ଫିକା ପଡିଯାଇଥିବାବେଳେ କଂଗ୍ରେସ ସର୍ବାଧିକ ୧୧୮ଟି ଆସନରୁ ଜିଣିଥିଲା । ଏଥର ନବଗଠିତ ବିଜେପି କୌଣସି ଆସନରୁ ଜିଣିନଥିବାବେଳେ ୧୯୮୫ ନିର୍ବାଚନରେ କିନ୍ତୁ ପ୍ରସନ୍ନ ପଟ୍ଟନାୟକ ବିଜେପିର ପ୍ରଥମ ବିଧାୟକ ଭାବେ କାମାକ୍ଷାନଗରରୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ଓଡିଶାରେ ବିଜେପି ବିଧାୟକଙ୍କ ସଂଖ୍ୟା ମାତ୍ର ୨ ଥିବାବେଳେ ୧୯୯୫ରେ କିନ୍ତୁ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଥିଲା । ୧୯୯୭ରେ ବିଜେଡି ଜନ୍ମ ନେବାପରେ ବିଜେପି ସହ ନିର୍ବାଚନୀ ବୁଝାମଣା କରି ଦୁଇଦଳର ମେଣ୍ଟ ୨୦୦୦ର ବିଧାନସଭା ନିର୍ବାଚନ ଲଢିଥିଲେ ଏବଂ ଏଥିରେ ବିଜେଡି ୬୮ଟି ଆସନ ପାଇଥିବାବେଳେ ସହଯୋଗୀ ବିଜେପି ୩୮ଟି ଆସନରେ ଜିଣି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେଣ୍ଟ ସରକାର ଗଢିଥିଲେ ।
୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ୬୧ଟି ଆସନ ପାଇଥିବାବେଳେ ସହଯୋଗୀ ଦଳ ଭାବେ ବିଜେପି ୩୨ଟି ଆସନରୁ ଜିଣି ରାଜ୍ୟରେ ମିଳିତ ସରକାର ଗଢିଥିଲେ । ତେବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପରେ ୨୦୦୮ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା । ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ୧୦୩ ଆସନରେ ଏକାକୀ ଜିଣି ସରକାର ଗଢିଥିବାବେଳେ ବିଜେପି ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ରହିଥିଲା ।
୨୦୧୪ ବିଧାନସଭା ନିର୍ବାଚନରେ ବିଜେପିର ଆସନସଂଖ୍ୟା ୧୦କୁ ବଢିଥିଲା ଏବଂ ଦଳ କଂଗ୍ରେସ ପଛକୁ ତୃତୀୟ ସ୍ଥାନରେ ଥିଲା । ତେବେ ୨୦୧୯ର ବିଧାନସଭା ନିର୍ବାଚନରେ ବିଜେଡି ୧୧୨ ଆସନ ଜିଣି ଏକାକୀ ସରକାର ଗଢିଥିବାବେଳେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ୨୩ଟି ଆସନ ଦଖଲ କରି ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ସହ ବିରୋଧିଦଳ ନେତା ପଦବୀ ମଧ୍ୟ ହାତେଇଥିଲା । ସଦ୍ୟ ସମାପ୍ତ ୨୦୨୪ର ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେଡିର ଆସନସଂଖ୍ୟା ୫୧କୁ କମିଥିବାବେଳେ କଂଗ୍ରେସ ୧୪ଟିରେ ସନ୍ତୁଷ୍ଟ ରହିଛି । ଅନ୍ୟ ପକ୍ଷରେ ବିଜେପି ୭୮ଟି ଆସନ ଦଖଲ କରି ସଂଖ୍ୟା ଗଣିଷ୍ଠତା ହାସଲ କରିବା ସହ ପ୍ରଥମଥର ପାଇଁ ଓଡିଶାରେ ସରକାର ଗଠନ କରୁଛି । (ତଥ୍ୟ)