Home General ଓଡିଶା ବିଏସଏନଏଏଲ୍‍ର ନିୟନ୍ତ୍ରଣ କୋଲକାତାରୁ

ଓଡିଶା ବିଏସଏନଏଏଲ୍‍ର ନିୟନ୍ତ୍ରଣ କୋଲକାତାରୁ

ଭୁବନେଶ୍ୱର : ଓଡିଶା ଗ୍ରାହକଙ୍କ ବିଏସଏନଏଲ ସିମ୍‍ର ନିୟନ୍ତ୍ରଣ ଏବେ କୋଲକତା ହାତରେ । ବଙ୍ଗଳାରୁ ସବୁକିଛି ନିୟନ୍ତ୍ରଣ ହେଉଥିବାରୁ ଓଡିଶାର ଗ୍ରାହକମାନେ କେବଳ ହଟହଟା ହେଉନାହାନ୍ତି, ବିଏସଏନଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ହାତ ଟେକି ଦେଲେଣି ।

ସବୁ ସରକାରୀ ଦପ୍ତରରେ ବିଏସଏନଏଲ୍‍ ର ଫୋନ୍‍, ମୋବାଇଲ୍‍ ଓ ଇଣ୍ଟରନେଟ୍‍ ବ୍ୟବହାର ବାଧ୍ୟତାମୂଳକ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ଗ୍ରାହକମାନଙ୍କୁ ମାତ୍ର ୧ଟଙ୍କାରେ ୪-ଜି ସେବା ଯୋଗାଇ ଦେବାକୁ ବାରମ୍ବାର ବିଏସଏନଏଲ୍‍ ପକ୍ଷରୁ ଆକର୍ଷଣୀୟ ଘୋଷଣା କରାଯାଉଛି । ଏ ପରିପ୍ରେକ୍ଷୀରେ ପ୍ରତିଦିନ ବହୁ ଲୋକ ନୂଆ ସିମ୍‍ କାର୍ଡ ବିଏସଏନଏଲ୍‍ର ଆଣୁଥିବାବେଳେ ଏଗୁଡିକ କିନ୍ତୁ ଦିନ ଦିନ ଧରି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।

ଭୁବନେଶ୍ୱର ସ୍ଥିତ ବିଏସଏଏନଏଲ୍‍ର ଦପ୍ତରକୁ ତେଣୁ ଲୋକଙ୍କ ଧାଡି ଲମ୍ବୁଛି । ରୂପାଲିଛକ ନିକଟବର୍ତ୍ତୀ ବିଏସଏନଏଲ୍‍ ଦପ୍ତର ପାଖରେ ଏତେ ଗାଡି ଜମୁଛି ଯେ ଆଖପାଖ କଲୋନିର ରାସ୍ତାଘାଟ ବି ଜାମ୍‍ ହୋଇଯାଉଛି । ଘଣ୍ଟା ଘଣ୍ଟା ଧରି ଲିଙ୍କ୍‍ ମିଳୁନଥିବାରୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଗ୍ରାହକମାନଙ୍କୁ ତ୍ୱରିତ ସେବା ଯୋଗାଇ ପାରୁନାହାନ୍ତି ।

ଦାୟିତ୍ୱରେ ଥିବା ଅଧିକାରୀମାନେ କହୁଛନ୍ତି ଯେ ବିଏସଏନଏଲର ଏହି ସ୍ୱଦେଶୀ ସିମ୍‍କୁ ଚଳନକ୍ଷମ କୋଲକତାରୁ କରାଯାଉଛି । ସେଠାରେ ଯେଉଁ ସଂସ୍ଥା ଏହି କାର୍ଯ୍ୟ କରୁଛି ତାହା ଉପରେ ଓଡିଶା ସର୍କଲ ବିଏସଏନଏଲର କିଛି ନିୟନ୍ତ୍ରଣ ନାହିଁ । ତେଣୁ ପୁରୁଣା ସିମ୍‍ ବଦଳାଇବା ଓ ନୂଆ ସିମ୍‍ କିଣିଥିବା ଗ୍ରାହକମାନେ ଆଉ କିଛିଦିନ ଅପେକ୍ଷା କରିବାପାଇଁ ସେମାନେ କେବଳ ଉପଦେଶ ଦେଉଛନ୍ତି ।

ଏଥିଘେନି ବହୁ ଗ୍ରାହକ ଖୋଲା ଅସନ୍ତୋଷ ବ୍ୟକ୍ତ କରୁଥିବାବେଳେ ଆଖପାଖରେ ବୁଲୁଥିବା ଦଲାଲମାନେ ସେମାନଙ୍କୁ ଘରୋଇ କମ୍ପାନିର ସିମ୍‍ ନେବାପାଇଁ ପ୍ରବର୍ତ୍ତାଉଛନ୍ତି । ତେବେ ବହୁ ଗ୍ରାହକ ଭାରତ ସରକାରଙ୍କ ସଂସ୍ଥା ବିଏସଏନଏଲ ସହିତ ଆବେଗିକ ଭାବେ ଜଡିତ ଥିବାରୁ ଅନ୍ୟ ଘରୋଇ କମ୍ପାନୀର ଜାଲରେ ପଡିବାକୁ ଚାହୁଁନାହାନ୍ତି ।

କେନ୍ଦ୍ର ସରକାରରେ ଟେଲି ଯୋଗାଯୋଗ ବିଭାଗର ମନ୍ତ୍ରୀ ଅଛନ୍ତି ଓଡିଶାରୁ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ୍‍ ଅଶ୍ୱିନୀ ବୈଷ୍ଣବ । ଅଥଚ ଓଡିଶାର ଉପାନ୍ତ ଅଞ୍ଚଳ ତ ଦୂରରକଥା, ଖୋଦ ରାଜଧାନୀ ଭୁବନେଶ୍ୱରରେ ବିଏସଏନଏଲ ଦେଉଥିବା ସିମ୍‍ ଭୁବନେଶ୍ୱର କିମ୍ବା ଓଡିଶାର ଅନ୍ୟ କୌଣସି ସହରରେ କାର୍ଯ୍ୟକ୍ଷମ କରାନଯାଇ ଏହା କାହିଁକି ବଙ୍ଗଳାରେ କରାଯାଉଛି ବୋଲି ଅନେକ ଗ୍ରାହକ ପ୍ରଶ୍ନ ଉଠାଉଛନ୍ତି ।

ରାଜ୍ୟରେ ଏବେ ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ମୋବାଇଲରେ କଥାବାର୍ତ୍ତା ଓ ଇଣ୍ଟରନେଟ୍‍ ବ୍ୟବହାର ପାଇଁ ପାହାଡ ଉପରକୁ କିମ୍ବା ଗଛରେ ଚଢିବାକୁ ପଡୁଛି । ଏବେ ଖୋଦ ରାଜଧାନୀରେ ଏହି ରୋଗ ଦିନକୁ ଦିନ ଅଧିକରୁ ଅଧିକ ସଂକ୍ରମିତ ହେଉଛି । ଯେଉଁମାନଙ୍କ ଘରେ ୧୫/୨୦ବର୍ଷ ଧରି ମୋବାଇଲ ଫୋନ୍‍ ଓ ସେଥିରେ ଥିବା ଇଣ୍ଟରନେଟ୍‍ ବ୍ୟବହାର କରାଯାଇ ପାରୁଥିଲା ଏବେ ସେମାନଙ୍କ ଭିତରୁ ଅନେକଙ୍କ ଘରେ ମୋବାଇଲ ଟାୱାର ପାଉନାହିଁ । ଫଳରେ ନିଶାଡି ଓ ଅପରାଧିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ରାଜଧାନୀ ଭୁବନେଶ୍ୱରରେ ଅନେକ ବରିଷ୍ଠ ନାଗରିକ ଏମିତିକି ମହିଳାମାନେ ଏଥିଯୋଗୁଁ ମନସ୍ତାପରେ ରହୁଛି । ଯଦି କିଛି ଅଘଟଣ ଘଟେ ତେବେ ଟାୱାର ଅଭାବରୁ ସେମାନେ ପୁଲିସ ଏମିତିକି ଆମ୍ବୁଲାନ୍ସକୁ ମଧ୍ୟ ନିଜ ମୋବାଇଲ ଫୋନ୍‍ରୁ ଯୋଗାଯୋଗ କରିବା ସମ୍ଭବପର ହେବନାହିଁ ।

ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ସ୍ୱଦେଶୀ ମେଳା ଆୟୋଜନ କରିବା ଏବଂ ଲୋକେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାଲାଗି ଆହ୍ୱାନ ଦେଉଥିବାବେଳେ ଭାରତ ସରକାରଙ୍କ ବିଏସଏନଏଲ ତାହାର ସେବା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ସାଧାରଣ ଲୋକେ ମତବ୍ୟକ୍ତ କରୁଛନ୍ତି । ବିଏସଏନଏଲ ସେବାରେ ମାନ୍ଦା ଅବସ୍ଥା ବୃଦ୍ଧି ପାଉଥିବାରୁ ଏହାର ଫାଇଦା ନେଇ ଘରୋଇ କମ୍ପାନୀମାନେ ସେମାନଙ୍କ ସିମ୍‍ ବଜାର ବଢାଇବା ସହିତ ମନଇଚ୍ଛା ଦର କଷୁଥିବା ଦେଖାଯାଉଛି । (ତଥ୍ୟ)