Home Agriculture ଓଡିଶା ପିଆଜ କୁଆଡେ ଯାଉଛି ?

ଓଡିଶା ପିଆଜ କୁଆଡେ ଯାଉଛି ?

ଭୁବନେଶ୍ୱର : ପିଆଜ ଚାଷ ପାଇଁ ରାଜ୍ୟ ସରକାର ଯେତିକି ସହାୟତା ଦେଉଛନ୍ତି ତାହାଠାରୁ ଅଧିକ ଅର୍ଥ ଦେଉଛନ୍ତି ସଂରକ୍ଷଣ ପାଇଁ । ତେବେ ଏତେ ପ୍ରକାର ରିହାତି ପରେ ବି ଓଡିଶା ପିଆଜ କୁଆଡେ ଯାଉଛି ତାହା ବଡ ପ୍ରଶ୍ନବାଚୀ ହୋଇଛି ।

ଓଡିଶାରେ ଏପ୍ରିଲ୍‍ ଓ ମଇ ମାସରେ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍‍ ପିଆଜ ଉତ୍ପାଦନ ହୋଇଥାଏ । ଏତିକି ପରିମାଣର ପିଆଜ ରାଜ୍ୟର ଚାହିଦା ମେଣ୍ଟାଇ ପାରିବ ବୋଲି ଖୋଦ ସରକାର କହୁଛନ୍ତି । ତେବେ ପିଆଜ ଓ ଅଧିକ ଉତ୍ପାଦନ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ଜରିଆରେ ଗୋଟିଏ ହେକ୍ଟରର ପିଆଜ ଚାଷ ପାଇଁ ୫୮ହଜାର ଟଙ୍କାର ସହାୟତା ଦେଉଛନ୍ତି ।

ସେହିଭଳି ପିଆଜକୁ ସଂରକ୍ଷଣ ପାଇଁ ବି ଅର୍ଥ ସହାୟତା ଦିଆଯାଉଛି । ପିଆଜ ଯେହେତୁ ଶୀତଳଭଣ୍ଡାରରେ ରୁହେନାହିଁ ତେଣୁ ୨୫ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ପିଆଜ ସାଇତା ଗୃହ ନିର୍ମାଣ ପାଇଁ ୫୦ ପ୍ରତିଶତ ରିହାତି ବା ସର୍ବାଧିକ ୮୭,୫୦୦ ଟଙ୍କାର ଦିଆଯାଉଛି । ଚାଷୀମାନେ ନିଜର ଉତ୍ପାଦିତ ପିଆଜକୁ ଏହି ସାଇତା ଗୃହରେ ୩/୪ ମାସ ରଖିପାରିବେ ।

ଏତେ ସବୁ ସତ୍ୱେ ବି ଓଡିଶା ବାହାରୁ ପିଆଜ ନଆସିଲେ ଏଠାକାର ବଜାରରେ ତିରୋଟ ସ୍ଥିତି ସୃଷ୍ଟି ହୁଏ । ବିଶେଷକରି ମହାରାଷ୍ଟ୍ରର ନାସିକ ପିଆଜ ମଣ୍ଡି ଉପରେ ଓଡିଶା ନିର୍ଭରଶୀଳ । ବର୍ଷ ସାରା ଏଠାରୁ ଦୈନିକ ପିଆଜ ବୋଝେଇ ଟ୍ରକ ଓଡିଶାମୁହାଁ ହୋଇଥାନ୍ତି । ବର୍ତ୍ତମାନ ଡିଜେଲ ଦର ବୃଦ୍ଧି ଯୋଗୁଁ ଟ୍ରକଭଡା ବଢୁଥିବାରୁ ପିଆଜ ଦରରେ ଓଡିଶାବାସୀ ବି ଏହାର ବୋଝ ବୋହୁଛନ୍ତି । ଓଡିଶା ବଜାରରେ ଏବେ ପିଆଜ କିଲୋ ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି । ଏଭଳି ଦରବୃଦ୍ଧି ପାଇଁ ବ୍ୟବସାୟୀମାନେ ଅନ୍ୟ ରାଜ୍ୟର ମଣ୍ଡି ଓ ଗାଡିଭଡାକୁ ଦାୟୀ କରୁଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଓଡିଶାରୁ ଉତ୍ପାଦିତ ପିଆଜ ଯାଉଛି କୁଆଡେ ? ସୂଚନା ଅନୁଯାୟୀ ଓଡିଶାରୁ ଉତ୍ପାଦିତ ପିଆଜ ଅମଳ ସମୟରେ ହିଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ହାତେଇ ନେଉଛନ୍ତି । ବିପୁଳ ରିହାତି ସତ୍ୱେ ବି ଓଡିଶାରେ ପିଆଜ ସଂରକ୍ଷିତ ହୋଇ ରହିପାରୁ ନାହିଁ । ତେଣୁ ବର୍ଷସାରା ରାଜ୍ୟବାସୀ ଅନ୍ୟ ରାଜ୍ୟର ହାତଟେକାକୁ ଅନାଇ ବସିବା ସହିତ ସେମାନଙ୍କ ଇଚ୍ଛା ଅନୁଯାୟୀ ଦର ଦେଉଛନ୍ତି । ଏ ବାବଦରେ ରାଜ୍ୟରୁ ପ୍ରତିବର୍ଷ ଶହ ଶହ କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଚାଲିଯାଉଥିବାବେଳେ ଓଡିଶାରେ ପିଆଜ ପାଇଁ ସରକାରଙ୍କ ସବସିଡ୍‍ ଅର୍ଥ ପାଣିରେ ପଡିବା ଭଳି ଅବସ୍ଥା ହୋଇଛି । (ତଥ୍ୟ)