ଭୁବନେଶ୍ୱର : ଓଡିଶାରେ ୫୨,୧୮୯ କୋଟି ଟଙ୍କା ମୂଲ୍ୟର ୪୨୫୭ ଦୈର୍ଘ୍ୟର ୩୫ ରେଳଲାଇନ୍ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୧୧୮୪ କିଲୋମିଟର ରେଳଲାଇନ୍ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିପାଇଁ ୨୦,୧୪୧ ଟଙ୍କା ବ୍ୟୟ କରାଯାଇଛି । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯୋଜନା, ମଞ୍ଜୁରୀ ଓ ନିର୍ମାଣ ସ୍ତରରେ ୧୨ଟି ନୂଆ ଲାଇନ୍ , ଗୋଟିଏ ଗଜ୍ ପରିବର୍ତ୍ତନ ଏବଂ ୨୨ଟି ଦୋହରୀକରଣ ଲାଇନ୍ ରହିଛି । ଏଗୁଡିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଓଡିଶାରେ ଅଛି । ଏଥି ମଧ୍ୟରୁ ୧୧୮୪ କିଲୋମିଟର ଲାଇନ୍ କାର୍ଯ୍ୟକ୍ଷମ ହୋଇଛି । ଏଥି ମଧ୍ୟରୁ ୩ଟି ନୂତନ ଲାଇନ୍ ଓ ୬ଟି ଦୋହରୀକରଣ ଲାଇନ୍ ଯାହାର ଦୈର୍ଘ୍ୟ ୯୯କିଲୋମିଟର ରହିଛି ତାହା ଗତ ଚାରିବର୍ଷ ୨୦୧୯-୨୦ ରୁ ୨୦୨୨-୨୩ ମଧ୍ୟରେ ମଞ୍ଜୁର କରାଯାଇଛି ।
ଚଳିତବର୍ଷ ଏପ୍ରିଲ୍ ପହିଲା ସୁଦ୍ଧା ୨୬ଟି ନୂଆ ଲାଇନ୍ ଏବଂ ୩୮ଟି ଦୋହରୀକରଣ ଲାଇନ୍ର ସର୍ଭେ ହୋଇଛି ଯାହାର ଦୈର୍ଘ୍ୟ ୩୪୧୪ କିଲୋମିଟର । ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ଲୋକ ପ୍ରତିନିଧିଙ୍କ ଦ୍ୱାରା ଓଡିଶା ପାଇଁ ଅଧିକରୁ ଅଧିକ ରେଳପ୍ରକଳ୍ପ ଦାବି ହେଉଛି । ଅପହଞ୍ଚ ଇଲାକାରେ ରେଳବାଇକୁ ପହଞ୍ଚାଇବା ସହିତ ରାଜ୍ୟର ସାମାଜିକ ଆର୍ଥିକ ବିକାଶ ପାଇଁ ସେମାନେ ଦାବି କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମୟରୁ କଳାହାଣ୍ଡି ଓ ନୂଆପଡାକୁ ଜିଲ୍ଲାକୁ ବନ୍ଦ ରହିଥିବା ରେଳ ସେବା ଆରମ୍ଭ ହୋଇଛି । ସେହିଭଳି ରେଳ ଚଳାଚଳର ସୁବିଧା, ବ୍ୟବସାୟିକ ସହଜତା ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରେଳବାଇ ରେଳ ଚଳାଚଳ କରିଥାଏ ।
କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ୱାଗନ କାରଖାନା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୭-୧୮ ମସିହାରୁ କଳାହାଣ୍ଡି ଠାରେ ଇଲେକଟ୍ରିକ ଲୋକୋ ଓଭରହୋଲିଂ ୱାର୍କସପ୍ ପାଇଁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ।
ମନ୍ତ୍ରୀ କହିଛନ୍ତି ଯେ ୨୦୧୪ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ବଢିବାରେ ଲାଗିଛି । ୨୦୦୯-୧୪ ମଧ୍ୟରେ ବଜେଟ୍ରେ ବର୍ଷକୁ ହାରାହାରି ଭାବେ ଓଡିଶା ପାଇଁ ୮୩୮ କୋଟି ଟଙ୍କା ମଞ୍ଜୁର ହେଉଥିବାବେଳେ ୨୦୧୪-୧୯ ମଧ୍ୟରେ ଏହା ବର୍ଷକୁ ହାରାହାରି ୪୧୨୬ କୋଟି ଟଙ୍କା ରହିଛି, ଯାହାକି ୩୯୨% ଅଧିକ ।
୨୦୨୩-୨୪ ବଜେଟ୍ରେ ଓଡିଶା ପାଇଁ ସର୍ବାଧିକ ୧୦,୦୧୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଯାହାକି ୨୦୦୯-୧୪ରୁ ହାରାହାରି ବ୍ୟୟବରାଦ ତୁଳନାରେ ୧୦୯୫ ପ୍ରତିଶତ ଅଧିକ । ସେ କହିଛନ୍ତି ଯେ ୨୦୧୪ -୨୩ ମଧ୍ୟରେ ୧୫୮୩ କିଲୋମିଟର ଲାଇନ୍କୁ ମଞ୍ଜୁରୀ ମିଳିଥିଲା ଯେଉଁଥିରେ ୩୮୪ କିଲୋମିଟର ନୂଆ ଓ ୧୧୯୯ କିଲୋମିଟରର ଦୋହରୀକରଣ ଥିଲା । ଏହା ବର୍ଷକୁ ହାରାହାରି ୧୭୫.୮୯ କିଲୋମିଟର ଥିଲା ଯାହା କି ୨୦୦୯-୧୪ ମଧ୍ୟରେ ମଞ୍ଜୁର ରେଳଲାଇନ୍ ତୁଳନାରେ ୨୨୯ ପ୍ରତିଶତ ଅଧିକ । ୨୦୦୯-୧୪ ମଧ୍ୟରେ ଓଡିଶା ପାଇଁ ବର୍ଷକୁ ହାରାହାରି ୫୩.୪ କିଲୋମିଟର ରେଳଲାଇନ୍ ମଞ୍ଜୁର ହୋଇଥିଲା । (ତଥ୍ୟ)